ଫେସ୍‌ବୁକ୍‌ରେ ସାର୍‌ଙ୍କ ଲଭ୍‌ ଷ୍ଟୋରି!

ଖଣ୍ଡଗିରି : ଜଣେ ପୂର୍ବତନ ଶିକ୍ଷକ ଫେସ୍‌ବୁକ୍‌ ଓ ହ୍ବାଟ୍‌ସ ଆପ୍‌ରେ ପୁରୁଣା ଛାତ୍ରୀଙ୍କୁ ପରୋକ୍ଷରେ ପ୍ରେମ ନିବଦେନ ବାର୍ତ୍ତା ପ୍ରେରଣ କରିବା ଭଳି ଅଭିଯୋଗକୁ ନେଇ ଖଣ୍ଡଗିରିରୁ ଆରମ୍ଭ କରି କାକଟପୁର ପର୍ଯ୍ୟନ୍ତ ଚର୍ଚା। ପୂର୍ବତନ ଶିକ୍ଷକ ଜଣଙ୍କ ଏବେ ପୁରୀ ଗୋପ ଅଞ୍ଚଳରେ ରେଭେନ୍ୟୁ ଅଧିକାରୀ ଭାବେ କାର୍ଯ୍ୟରତ। ତେବେ ଛାତ୍ରୀ ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ଅଡ଼ୁଆରେ ପଡ଼ିଛି କମିସନରେଟ୍‌ ପୁଲିସ।

ମାମଲାଟି ଏମିତି। ପୁରୀ କାକଟପୁର ଅଞ୍ଚଳର ପ୍ରୀତି ମଲ୍ଲିକ(ଛଦ୍ମନାମ) ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ୍ ନର୍ସଭାବେ କାମ କରନ୍ତି। ତାଙ୍କୁ ଗତ ୧୩ ତାରିଖରେ ତାଙ୍କ ପୂର୍ବତନ ସ୍କୁଲ୍ ଶିକ୍ଷକ ଉଭୟ ଫେସ୍‌ବୁକ୍‌ ଓ ହ୍ବାଟ୍‌ସ ଆପ୍‌ରେ ଖରାପ ବାର୍ତ୍ତା ପ୍ରେରଣ କରିଥିବା ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ବାପା ବୟସର ଶିକ୍ଷକ ଜଣଙ୍କ ଜଣେ ପୁରୁଣା ଛାତ୍ରୀଙ୍କୁ ଏଭଳି ଅଭଦ୍ର ଆଚରଣ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ପ୍ରୀତିଙ୍କ ଅଭିଯୋଗ ଅନୁସାରେ ୨୦୦୯ ମସିହାରେ ସେ ପଢ଼ୁଥିବା ବାଳିକା ବିଦ୍ୟାଳୟରେ ସେ ଶିକ୍ଷକତା କରୁଥିଲେ। ପରେ ଓଡ଼ିଶା ରେଭେନ୍ୟୁ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ ହୋଇ ଗୋପରେ ରେଭେନ୍ୟୁ ଅଧିକାରୀଭାବେ କାମ କରୁଛନ୍ତି।

ଗତ ପ୍ରାୟ ୬ ମାସ ହେଲା ପୂର୍ବତନ ଶିକ୍ଷକ ଜଣଙ୍କ ଫେସ୍‌ବୁକ୍‌ ଓ ହ୍ବାଟ୍‌ସ ଆପ୍‌ରେ ‌ଯୋଗାଯୋଗରେ ଥିଲେ। ପରେ ସେ ସାର୍‌ଙ୍କ ପରୋକ୍ଷ ଇଙ୍ଗିତକୁ ବୁଝି ପାରି ଘରେ ଜଣାଇଥିଲେ, ମାତ୍ର ତାଙ୍କ ଅଭିଭାବକମାନେ କଥ‌ାକୁ ଗୁରୁତ୍ବ ଦେଇ ନଥିଲେ। ମାତ୍ର ଗତ ୧୩ ତାରିଖରେ ସାର୍‌ ପୁଣି ପ୍ରୀତିଙ୍କୁ ଏଭଳି ମେସେଜ୍ ପଠାଇଥିଲେ। ଏସବୁ ପ୍ରୀତିଙ୍କୁ ବାଧିଥିଲେ ବି ସେ ସାର୍‌ଙ୍କ ମୁହଁରେ କିଛି କହି ପାରି ନଥିଲେ। ତେଣୁ ସେ ପୁଲିସଠାରୁ ନ୍ୟାୟ ମାଗିବାକୁ ପସନ୍ଦ କରିଥିଲେ। କିନ୍ତୁ କାକଟପୁର ଥାନା ପୁଲିସ ମାମଲା ଖଣ୍ଡଗିରିରେ ଆରମ୍ଭ ହୋଇଥିବା କହି ଫେରାଇ ଦେବାରୁ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ବୋଲି ପ୍ରୀତି କହିଛନ୍ତି। ମାତ୍ର ପୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ନଥିବାରୁ ସେ ବାରମ୍ବାର ଦୌଡ଼ୁଥିବା ଅଭିଯୋଗ କରିଛନ୍ତି। ଏ ନେଇ ଖଣ୍ଡଗିରି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କ କହିବା କଥା ପ୍ରୀତିଙ୍କ ଅଭିଯୋଗକୁ ନେଇ ଛାନ୍‌ଭିନ୍ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର