ଭୁବନେଶ୍ୱର : ଏବର୍ଷ ବି ସ୍କୁଲ ଓ କଲେଜରେ ପଡ଼ିବ ତାଲା। ପାଠପଢ଼ା ଆରମ୍ଭ ହେବାର ୨ ମାସ ପରେ ପୁଣିଥରେ ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ। ଗୁରୁବାର ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ବିଶାଳ ଶୋଭାଯାତ୍ରା କରିବା ସହ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମିଳିତ ମଞ୍ଚ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି। ବର୍ଷାକୁ ଖାତିର ନ କରି ୨୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନରେ ବସି ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଗ୍ୟ ବିବେଚିତ ହେବା ଦିନଠାରୁ ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ନ ଦେବା ଯାଏ ଆନ୍ଦୋଳନରୁ ଇଞ୍ଚେ ହଟିବେ ନାହିଁ। ଯଦି ରାଜ୍ୟ ସରକାର ପୂର୍ବଭଳି ନିଦା ବିଷ୍ଣୁ ସାଜନ୍ତି କିମ୍ବା ପୁନର୍ବାର ଠକିବାର ପ୍ରୟାସ କରନ୍ତି, ତେବେ ଆଗାମୀ ଦିନରେ ସରକାରଙ୍କୁ ଗାଁ ଗହଳିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ଘେରିବେ। କାନ୍ଥ ବାଡ଼ ସବୁଠାରେ ସରକାରଙ୍କର ଜନବିରୋଧୀ ନୀତିକୁ ଲେଖାଯିବା ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖି ରାସ୍ତାକଡ଼ରେ ପାଠ ପଢ଼ାଇବାକୁ ବାଧ୍ୟ ହେବେ। ସରକାରଙ୍କ ଶିକ୍ଷା ଓ ଶିକ୍ଷକମାରଣ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ପ୍ରଚାରପତ୍ର ମାଧ୍ୟମରେ ଅବଗତ କରାଯିବ। ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମିଳିତ ମଞ୍ଚର ଆବାହକ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଚରମ ଚେତାବନୀ ଶୁଣାଇଛନ୍ତି।
ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳ, ଗଣସଙ୍ଗଠନ, ବୁଦ୍ଧିଜୀବୀ, ସାଧାରଣ ଲୋକେ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଗାନ୍ଧୀମାର୍ଗରେ ସାମିଲ ହୋଇ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଆନ୍ଦୋଳନ ଆହୁରି ବ୍ୟାପକ ହେବା ପୂର୍ବରୁ ସରକାର ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ। ଶିକ୍ଷକଙ୍କ ହକ୍ ଦାବିଗୁଡ଼ିକୁ ପୂରଣ କରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ପରିବେଶ ଫେରାଇ ଆଣନ୍ତୁ ବୋଲି ମିଳିତମଞ୍ଚ ସଭାପତି ପ୍ରକାଶ ଚନ୍ଦ୍ର ଜେନା, ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ସତ୍ୟନାରାୟଣ ତ୍ରିପାଠୀ, ଡ. ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରି ଚରଣ ସାହୁ, ଶତାବୁଦ୍ଦିନ୍ ଅହମ୍ମଦ ପ୍ରମୁଖ କହିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମନ୍ତ୍ରୀସ୍ତରୀୟ କମିଟି ସହ ରାଜ୍ୟ ସରକାର ଆଲୋଚନା କରିବାର ସମ୍ଭାବନା ରହିଛି।