୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହରର ତାପମାତ୍ରା, ୫ ଦିନ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୩ଟି ସହରର ତାପମାତ୍ରା | ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାତି ଅନୁଭୂତ ହୋଇଥିବାବେଳେ ଏହା ପଛକୁ ତାଳଚେର ୪୪.୯,ବଲାଙ୍ଗୀର ୪୪.୮,ଭବାନୀପାଟଣା ୪୪.୬,ଝାରସୁଗୁଡ଼ା ୪୪.୨ ଡିଗ୍ରୀ ତାପମାତ୍ରା ରହିଛି | ସେହିପରି ସମ୍ବଲପୁରରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୫ ଡିଗ୍ରୀ, ହୀରାକୁଦରେ ୪୩.୩ ଡିଗ୍ରୀ, ଫୁଲବାଣୀରେ ୪୧.୪ ଡିଗ୍ରୀ,ମାଲକାନଗିରିରେ ୪୨.୦ ଡିଗ୍ରୀ, ସୋନପୁରରେ ୪୨.୨ ଡିଗ୍ରୀ, ବୌଦ୍ଧରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି | ତେବେ କଟକ ଓ ଭୁବନେଶ୍ୱରର ତାପମାତ୍ରା ଯଥାକ୍ରମେ ୩୪.୮ ଡିଗ୍ରୀ ଓ ୩୪.୫ ଡିଗ୍ରୀ ରହିଛି |

ସେହିପରି ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବା ସହ ତାତିରୁ ନିସ୍ତାର ନାହିଁ ବୋଲି ସତର୍କ କରାଇଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି ଓ ଅନୁଗୁଳ ପ୍ରମୁଖ ୧୧ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ ରାଜ୍ୟର ଏହି ୧୧ଟି ଜିଲ୍ଲା ପାଇଁ ୟେଲୋ ବା ହଳଦିଆ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ପ୍ରବାହିତ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ କାଳରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଏହି ୧୧ଟି ଜିଲ୍ଲାରେ ବୃଦ୍ଧ ଓ ଶିଶୁମାନଙ୍କୁ ସକାଳ ୮ଟା ପରଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ପଦାକୁ ନ ବାହାରିବା ପାଇଁ ଜାରି ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର