ବିଧାନସଭାରେ ଅଚଳାବସ୍ଥା

ଭୁବନେଶ୍ୱର : ଯେଉଁ ସମୟରେ ମହାନଦୀ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ବିତର୍କ ଜାରି ରହିଥିଲା, ଠିକ୍‌ ସେହି ସମୟରେ ଏହାକୁୁ ନେଇ ବିଧାନସଭା ଅଚଳ କରିଦେଲେ ସରକାରୀ ଦଳ। ନଦୀ ସଂଯୋଗୀକରଣ ନେଇ ଛତିଶଗଡ଼ ସରକାରଙ୍କ ଯୋଜନା ସଂପର୍କରେ ସଂପୃକ୍ତ ରାଜ୍ୟର ଜଳସଂପଦ ମନ୍ତ୍ରୀ ବି୍ରଜମୋହନ ଅଗ୍ରଓ୍ଵାଲ ୯ ତାରିଖରେ ସେଠାରେ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ, ତାହାକୁ ଅସ୍ତ୍ର କରି ଆଜି ବିଜେଡି ଗୃହରେ ତମ୍ବିତୋଫାନ କରିଛି। ଉଭୟ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ସମାଲୋଚନା କରାଯିବା ସହିତ ଗୃହରେ ସରକାରୀ ଦଳର ସଭ୍ୟମାନେ ଶୂନ୍ୟକାଳରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ଛତିଶଗଡ଼ ସରକାର ଏମିତି କଲେ ମହାନଦୀ ଉପରେ ଏହାର କି ପ୍ରଭାବ ପଡିବ, ସେ ନେଇ ଜଳସଂପଦ ବିଭାଗଠାରୁ ରିପୋର୍ଟ ତଲବ କରିବା ଲାଗି ବାଚସ୍ପତିଙ୍କୁ ନିବେଦନ କରିଥିଲେ। ପରିସ୍ଥିତି ଲକ୍ଷ୍ୟ କରି ବାଚସ୍ପତି ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ବିଜେଡି ସଭ୍ୟ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ।

ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକ ସଂଜୟ ଦାସବର୍ମା ବୈଧାନିକ ପ୍ରଶ୍ନ ଛଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ମହାନଦୀ ବିବାଦକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ନ୍ୟାୟିକ ଲଢେଇ ଜାରି ରଖିଛନ୍ତି। ଏପଟେ ଛତିଶଗଡ଼ ସରକାର ମହାନଦୀକୁ ଶୁଷ୍କ କରିଦେବା ଲାଗି ଷଡ଼ଯନ୍ତ୍ର ଚଳାଇଛନ୍ତି। ୯ ତାରିଖରେ ଶ୍ରୀ ଅଗ୍ରଓ୍ଵାଲ ନିଜେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ନଦୀ ସଂଯୋଗୀକରଣ ନକ୍ସା ପ୍ରସ୍ତୁତି ଚୂଡାନ୍ତ ହୋଇଛି। ତେନ୍ଦୁଲା ଓ ପିଆରି ନଦୀ ସହିତ ରେହାର-ଆତେମ, ଆହିରାନ୍‌-ଖାରଙ୍ଗ, ହସଦେଓ-କେଓ୍ଵାଇ ଆଦି ଛୋଟ ନଦୀକୁ ସଂଯୋଗ କରାଯିବ। ଏହାଦ୍ୱାରା ମହାନଦୀ ତଳମୁଣ୍ଡରେ ପରିଣାମ କଣ ହେବ, ତାହା ଆଶଙ୍କା ସୃଷ୍ଟି କରୁଛି। ଉଭୟ ମୌସୁମୀ ଓ ଅଣମୌସୁମୀ ସମୟରେ ଏହାର ଜବରଦସ୍ତ ପ୍ରଭାବ ପଡିପାରେ।

ଦାସବର୍ମା ଅଭିଯୋଗ କରିଥିଲେ, ଛତିଶଗଡ଼ ସରକାରଙ୍କ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ତଥା ଏକତରଫା ଓ ମନମୁଖୀ କାର୍ଯ୍ୟକୁ କେନ୍ଦ୍ର ସରକାର ସମର୍ଥନ ଦେଇ ଆସୁଛନ୍ତି। ଏପରିସ୍ଥଳେ ବାଚସ୍ପତି ତୁରନ୍ତ ଜଳସଂପଦ ବିଭାଗ ନିର୍ଦେଶ ଦିଅନ୍ତୁ ଯେ ଯଦି ପ୍ରସ୍ତାବିତ ଏହି ସଂଯୋଗୀକରଣ ହୁଏ, ତେବେ ମହାନଦୀ ଉପରେ ଏହାର ପ୍ରଭାବ କଣ ପଡିବ। ଓଡ଼ିଶାର କଣ କ୍ଷତି ଘଟିବ, ଏହାର ପ୍ରଭାବ କେତେଦୂର ପରିଲକ୍ଷିତ ହେବ , ସେ ନେଇ ଜଳସଂପଦ ବିଭାଗ ରିପୋର୍ଟ ପ୍ରସ୍ତୁତ କରିବା ଉଚିତ୍‌। ଏଥସହିତି କଲ୍‌ମା ଗେଟ୍‌ ବନ୍ଦ ପ୍ରସଙ୍ଗ ଓ ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ଏକକ ଟ୍ରିବ୍ୟୁନାଲ ନିଷ୍ପତ୍ତିର କଡ଼ା ସମାଲୋଚନା କରିଥିଲା ବିଜେଡି।

ଦାସବର୍ମା କହି ସାରିବା ମାତ୍ରେ ବିଜେଡି ବିଧାୟକମାନେ ନିଜ ଆସନରେ ଛିଡା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ। ବାଚସ୍ପତି ପ୍ରଦୀପ ଅମାତ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଗୃହ ସ୍ୱାଭାବିକ ହୋଇନଥିଲା।

ଆଜି ଏ ପ୍ରସଙ୍ଗରେ ବିଧାନସଭା ବାହାରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ଅଧ୍ୟାପକ ମରୁଡ଼ି ଓ ଶିକ୍ଷା ଅବ୍ୟବସ୍ଥା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ଆଲୋଚନା ହୋଇପାରିଲା ନାହିଁ। ସରକାରୀ ଦଳର ହୋ-ହଲ୍ଲା ଭିତରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ପରେ ଏହାର କୌଣସି ଆବଶ୍ୟକତା ଥିଲା ବୋଲି ମନେ ହେଉନାହିଁ।

ଶ୍ରୀ ମିଶ୍ର କହିଥିଲେ, ଛତିଶଗଡ଼ ସରକାର ନଦୀ ସଂଯୋଗୀକରଣ ନେଇ ଚଳାଇଥିବା ଯୋଜନା ଅତ୍ୟନ୍ତ ନିନ୍ଦନୀୟ। ବିରୋଧୀ ଦଳ ଏହାର ନିନ୍ଦା ଓ ପ୍ରତିବାଦ କରୁଛି। ରାଜ୍ୟ ସରକାର ତୁରନ୍ତ ଏ ନେଇ ସର୍ବଶେଷ ଅନୁଧ୍ୟାନ କରି ସୁପ୍ରିମକୋର୍ଟରେ ତଥ୍ୟ ରଖିବା ଉଚିତ୍‌।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ ଯେ ଏଠି ବିଧାନସଭାରେ ହୋ-ହଲ୍ଲା, ଚିତ୍କାର କଲେ, ଓଡ଼ିଶାକୁ ନ୍ୟାୟ ମିଳିଯିବ ନାହିଁ। ବରଂ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ତଥ୍ୟ ଦିଅନ୍ତୁ।

ସମ୍ବନ୍ଧିତ ଖବର