କଟକ : କଟକର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ହାତରେ ଇଞ୍ଜେକ୍ସନ ଫୋଡି ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। ମୃତ ଡାକ୍ତର ହେଉଛନ୍ତି ବୁର୍ଲା ମେଡିକାଲ୍ କଲେଜର ଫାର୍ମାକୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ସସ୍ମିତା ବିଶ୍ୱାଳ(୪୫)। ତାଙ୍କ ସ୍ୱାମୀ ନିହାରରଂଜନ ମହାନ୍ତି ଭୁବନେଶ୍ୱରରେ ଓପିଟିସିଏଲ୍ରେ ଏଜିଏମ୍ ଅଛନ୍ତି। ସସ୍ମିତା ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମାନସିକ ସମସ୍ୟା ଯୋଗୁଁ ସେ ଏଭଳି ଆତ୍ମହତ୍ୟା କରିଥିବା ପ୍ରାଥମିକ ଛାନଭିନ୍ରୁ ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ଏକ କଳା ରଙ୍ଗର ବ୍ୟାଗ୍ ଏବଂ ଇଞ୍ଜେକ୍ସନ ଜବତ କରିଛି । ଜବତ ହୋଇଥିବା ବ୍ୟାଗ୍ରେ ଔଷଧ ଏବଂ ଅନ୍ୟାନ୍ୟ କାଗଜପତ୍ର ଥିବା କୁହାଯାଉଛି । ପୁଲିସ ମୃତଦେହକୁ ବଡ଼ ମେଡିକାଲ୍ର ଶବ ସଂରକ୍ଷଣ ଗୃହରେ ରଖିଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ କଟକ ବଡ଼ ମେଡିକାଲ୍ର ଫାର୍ମାକୋଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ସସ୍ମିତା ବିଶ୍ୱାଳଙ୍କ ୨୦୧୫ ମସିହାରେ ଆସୋସିଏଟ୍ ପ୍ରଫେସର ପଦବିକୁ ପଦୋନ୍ନତି ପରେ ବୁର୍ଲା ବଦଳି ହୋଇଥିଲା । ତେବେ ଡାକ୍ତର ସସ୍ମିତା ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତିନି ଦିନ ତଳେ କଟକ ବଡ଼ ମେଡିକାଲ୍ ଆସି ଡାକ୍ତରୀ ଚିକିତ୍ସା କରାଇଥିଲେ। କିନ୍ତୁ ଆଜି ମଧୁପାଟଣା ଥାନା ଅନ୍ତର୍ଗତ ପଞ୍ଚମୁଖୀ ହନୁମାନ ମନ୍ଦିର ଭୋଗ ଦୋକାନ ପିଣ୍ଡାରେ ଦିନ ୩ଟା ୩୦ ବେଳେ ଏକ ବ୍ୟାଗ ଧରି ବସିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଅପରାହ୍ନ ପ୍ରାୟ ୫ଟା ବେଳକୁ ସେ ଏକ ଇଞ୍ଜେକ୍ସନ (ଭେକ୍ୟୁଭୋନିୟମ୍) ହାତ ଭେନ୍ରେ ଫୋଡ଼ି ଆତ୍ମହତ୍ୟା କରିଥିଲେ। ଘଟଣା ସଂପର୍କରେ ମଧୁପାଟଣା ଥାନା ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହାତରେ ଇଞ୍ଜେକ୍ସନ ଝୁଲୁଥିବା ବେଳେ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଇଞ୍ଜେକ୍ସନ ଯାଇନଥିବା ଦେଖିବାକୁ ମିଳିଥିଲା। ଇଞ୍ଜେକ୍ସନ ନେବା ସମୟରେ ହିଁ ତାଙ୍କ ମୃତ୍ୟୁ ହୋଇଥବା ଅନୁମାନ କରାଯାଉଛି। ଅପରାହ୍ନ ପ୍ରାୟ ୪ଟାରୁ ୫ଟା ଭିତରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ ଶବ ଉଦ୍ଧାର ପରେ ଏକ ଅପମୃତ୍ୟୁ ମାମଲା(କେସ୍ ନଂ ୧୫) ରୁଜୁ କରିଥିବା ଥାନା ଅଧିକାରୀ ଜିତେନ୍ଦ୍ର ଦଳାଇ କହିଛନ୍ତି ।
ଡାକ୍ତର ବିଶ୍ୱାଳଙ୍କ ବାପା ଆନେସ୍ଥେସିଆ ବିଭାଗର ପ୍ରଫେସର ଥିଲେ । ଗତ କିଛି ବର୍ଷ ମଧ୍ୟରେ ବାପା, ମା, ଭାଇ ଏବଂ ପୁଅଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ସେ ଓ ତାଙ୍କ ଭାଇ ବ୍ରହ୍ମପୁର ମେଡିକାଲ୍ କଲେଜରେ ଏମବିବିଏସ୍ ପଢୁଥିବା ବେଳେ ଏକ ସମୟରେ ମାତ୍ରାଧିକ ଇନ୍ସୁଲିନ୍ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହି ଘଟଣାରେ ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ସସ୍ମିତା ବଞ୍ଚି ଯାଇଥିଲେ। ପରବର୍ତ୍ତୀ ସମୟରେ ବି ସେ କେତେ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସସ୍ମିତାଙ୍କ ସ୍ୱାମୀ ନିହାରରଂଜନ ମହାନ୍ତି ବାଦମବାଡ଼ି ପାଲାମଣ୍ଡପ ସେସୁ କଲୋନିରେ ରହୁଥିବା ବେଳେ ତାଙ୍କ ପୁଅ ଜାନୁଆରି ମାସରେ ମହାନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ନିହାର ଓ ସସ୍ମିତାଙ୍କର ଏବେ ଆଉ ଗୋଟିଏ ପୁଅ ଅଛି।