ଦାଦନ ଖଟିବାକୁ ଯାଇ ହୀନସ୍ତା : ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ଶ୍ରମିକ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୭ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ହୀନସ୍ତା ହୋଇ ଫେରିଛନ୍ତି। ସେମାନଙ୍କୁ ମଜୁରୀ ମିଳି ନଥିବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ସଦାଶିବପୁର ବାଲି କଲୋନିର ୧୭ ଜଣ ଶ୍ରମିକଙ୍କୁ ଏମପିଭି-୫ ଗ୍ରାମର ଗୌତମ ମାହତ ଦୈନିକ ୪୫୦ଟଙ୍କା ମଜୁରି ଦେବ ବୋଲି ପ୍ରଲୋଭିତ କରିଥିଲା। ଏହାପରେ ସେ ଏମପିଭି-୩୬ ଗାଁର ସୁଶାନ୍ତ ମଣ୍ଡଳ ନିକଟକୁ ସେ ଶ୍ରମିକଙ୍କୁ ନେଇ ଯାଇଥିଲା। ପରବର୍ତୀ ସମୟରେ ସୁଶାନ୍ତ ଏହି ଶ୍ରମିକଙ୍କୁ ବାଙ୍ଗାଲୁରୁ ନେଇ ଗୋଯିଏ ରେଳ ଷ୍ଟେସନ କାମରେ ଲଗାଇଥିଲା। କିନ୍ତୁ ପ୍ରାୟ ଦୁଇ ମାସ ୪ ଦିନ କାମ କରିବା ପରେ ମଧ୍ୟ ଶ୍ରମିକଙ୍କୁ ମଜୁରୀ ମିଳିଲା ନାହିଁ। ତେଣୁ ଶ୍ରମିକମାନେ ସେଠାରୁ ଫେରି ଗୌତମକୁ ଭେଟିଥିଲେ। ଅଭିଯୋଗ ଜଣାଇବା ପରେ ସୁଶାନ୍ତ ନିକଟକୁ ଯାଇ ଶ୍ରମିକଙ୍କ ଟଙ୍କା ଫେରାଇବାକୁ ଗୌତମ କରିଥିଲା। କିନ୍ତୁ ଟଙ୍କା ଦେବା ବଦଳରେ ଗୌତମଙ୍କୁ ମାରପିଟ କରିଥିଲେ ସୁଶାନ୍ତ ଓ ପରିବାର। ଏନେଇ କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା।

ଏହାସତ୍ତ୍ବେ ଟଙ୍କା ନମିଳିବାରୁ ଆଜି ଶ୍ରମିକମାନେ ମାଲାକନଗିରି ଆସି ଶ୍ରମ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ସମରା ପ୍ରଧାନ, ରାଜେଶ ଦଳପତି, ଡମୁ ଦୁରଲିଆ, ଟୁନୁ ଦୁରଲିଆ, ଜଗବନ୍ଧୁ ହନ୍ତାଳ, ସମରା ପାଙ୍ଗି ପ୍ରମୁଖ ଶ୍ରମିକ ଉପସ୍ଥିତ ଥିଲେ। ସେହିପରି ଆଦିବାସୀ ନେତା ଘନଶ୍ୟାମ ମାଡକାମୀ, ସନୁ ଅନଗୁ ପ୍ରମୁଖ ତୁରନ୍ତ ଶ୍ରମିକଙ୍କ ପାଉଣା ଫେରାଇବାକୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର