ଭୁବନେଶ୍ୱର : ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଟି ବସ୍ ସେବା ବନ୍ଦ ହୋଇଯାଇଥିବା ବେଳେ ଏବେ ଏହାକୁ ଆରମ୍ଭ କରିବାକୁ ଯୋଜନା କରିଛି ବିପିଟିଏସ୍ଏଲ୍। ଏଣିକି ସିଟି ବସ୍ ସେବା ଯେପରି ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହେବ ଏବଂ ଅଧିକରୁ ଅଧିକ ଯାତ୍ରୀ ଏହାକୁ ବ୍ୟବହାର କରିପାରିବେ ସେନେଇ ନଗର ଉନ୍ନୟନ ବିଭାଗ ଯୋଜନା କରିଛି। ବିମାନବନ୍ଦର ପରିସରରେ ସିଟି ବସ୍ ପାଇଁ ବୁକିଂ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନବନ୍ଦର ପରିସରରେ ସିଟି ବସ୍ ବୁକିଂ ପାଇଁ ଏକ କାଉଣ୍ଟର ଖୋଲିବାକୁ ମାଗଣାରେ ୫ ବର୍ଗମିଟରର ସ୍ଥାନ ଯୋଗାଇ ଦେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଏହାଦ୍ୱାରା ସିଟି ବସ୍ ସେବା ସୂଚାରୁ ରୂପେ ଚାଲିବ ଏବଂ ଅଧିକ ଯାତ୍ରୀ ଯାତାୟତ କରିବେ ବୋଲି ସଚିବ ଆଶା ରଖିଛନ୍ତି।
ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହିଭଳି ପ୍ରସ୍ତାବ ଉପରେ ଆମେ ବିଚାର କରିବୁ। ବିମାନବନ୍ଦରରୁ ପୁରୀ, ରାଜଧାନୀର ବିଭିନ୍ନ ସ୍ଥାନକୁ ସିଟି ବସ୍ ସେବା ଆରମ୍ଭ ହେବା ଦରକାର। ଏହାଦ୍ୱାରା ବହୁ ଯାତ୍ରୀ ଉପକୃତ ହେବେ। ନଗର ଉନ୍ନୟନ ବିଭାଗ ସଚିବଙ୍କ ଚିଠି ଉପରେ ଆମେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବୁ ବୋଲି ଶ୍ରୀ ହୋତା କହିଛନ୍ତି।