କଳିଙ୍ଗରେ ମହିଳା ହକିର ଦମ୍‌ଦାର ପଦାର୍ପଣ, ଚମକିଲେ ଲିଲିମା ୫-୧ରେ ହାରିଲା ଆମେରିକା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମହିଳା ହକିର ଦମ୍‌ଦାର ପଦାର୍ପଣ ହୋଇଛି। ପୂର୍ବରୁ ପୁରୁଷ ହକି ବିଶ୍ବକପ୍, ହକି ଚାମ୍ପିଅନ୍ସ ଟ୍ରଫି, ହକି ବିଶ୍ବ ଲିଗ୍ ଫାଇନାଲ୍ସ ଭଳି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବା କଳିଙ୍ଗ ଷ୍ଟାଡିୟମ ଭାରତୀୟ ମହିଳା ହକି ଦଳ ପାଇଁ ମଧ୍ୟ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଭାରତୀୟ ମହିଳା ହକି ଦଳ ଏଠାରେ ଖେଳିଥିବା ପ୍ରଥମ ଅନ୍ତର୍ଜାତୀୟ ମୁକାବିଲାକୁ ୫-୧ ଗୋଲ୍‌ର ବୃହତ୍ ବ୍ୟବଧାନରେ ଜିତି ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ଦିଗରେ ଏକ ବଡ଼ ପାହୁଣ୍ଡ ପକାଇଛି। ତିନି ଓଡ଼ିଆ ତାରକା ଲିଲିମା ମିଞ୍ଜ, ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇ ଘରୋଇ ପ୍ରଶଂସକଙ୍କ ମନ ଜିତି ନେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଖେଳିଥିବା ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଏମାନେ ସ୍ମରଣୀୟ କରିଛନ୍ତି। ଭାରତ ପ୍ରଥମ ମୁକାବିଲାକୁ ଜିତି ଦୁଇ ମ୍ୟାଚ୍ ବିଶିଷ୍ଟ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ୧-୦ରେ ଆଗୁଆ ରହିଛି। ଶନିବାର ପ୍ରତିଯୋଗିତାର ଦ୍ବିତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଦୁଇ ଦିନର ଫଳାଫଳକୁ ମିଶାଇ ବିଜେତା ଘୋଷିତ ହେବ। ଗୋଲ୍ ବ୍ୟବଧାନରେ ଆଗୁଆ ରହିଥିବା ଦଳ ହିଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବ।
ଶୁକ୍ରବାର ମ୍ୟାଚ୍ ଆରମ୍ଭରୁ ଭାରତୀୟ ମହିଳା ଦଳ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରରେ ଅବଶ୍ୟ ଆମେରିକା ଭାରତୀୟ ଖେଳାଳିଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ କିନ୍ତୁ ଭାରତ ଚାପ ବଢ଼ାଇବାକୁ ସକ୍ଷମ ହୋଇଥିଲା। ଆମେରିକା ଏହି କ୍ବାର୍ଟରରେ ଦୁଇଟି ପେନାଲ୍ଟି କର୍ନର ବେକାର ଯିବାକୁ ଦେଇଥିଲା। ୨୯ ମିନିଟରେ ଭାରତ ଲିଲିମା ମିଞ୍ଜଙ୍କ ମାଧ୍ୟମରେ ପ୍ରଥମ ଗୋଲ୍ ଦେଇଥିଲା। ନେହା ଗୋୟଲଙ୍କଠାରୁ ମିଳିଥିବା ପାସ୍‌କୁ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଲିଲିମା କଳିଙ୍ଗ ଷ୍ଟାଡିୟମ ଏବଂ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଥମାର୍ଧ ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଦୁଇ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ଭାରତ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଏହି ଦୁଇଟି ଗୋଲ୍ ଶର୍ମିଳା ଦେବୀ ଓ ଅଧିନାୟିକା ରାଣୀ ରାମପାଲ ଦେଇଥିଲେ। ସେହିଭଳି ୪୬ରୁ ୫୧ ମିନିଟ୍ ଭିତରେ ଭାରତ ଆଉ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ନଭନୀତ କୌରଙ୍କ ଗୋଲ୍ ପରେ ଗୁରଜିତ କୌର ପେନାଲ୍ଟି ଷ୍ଟ୍ରୋକରେ ଗୋଲ୍ ବାହାର କରି ଭାରତକୁ ୫-୦ରେ ଆଗୁଆ କରିଥିଲେ। ୩ ମିନିଟ୍ ପରେ ଆମେରିକା ଏରିନ ମାଟସନଙ୍କ ପେନାଲ୍ଟି ଷ୍ଟ୍ରୋକ୍ ଗୋଲ୍ ବଳରେ ମାତ୍ର ଗୋଟିଏ ଗୋଲ୍ ଶୁଝି ପାରିଥିଲା। ଏହା ପୂର୍ବରୁ ସଂଧ୍ୟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେ ମଧ୍ୟ ମ୍ୟାଚ୍ ଶେଷରେ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଏଫ୍‌ଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଏବଂ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର