ପାଠକୀୟ ପୁରସ୍କାର ହିଁ ଶ୍ରେଷ୍ଠ ପୁରସ୍କାର: ସୌମ୍ୟ

‘ରତ୍ନଚିରା’ର ବାର୍ଷିକ ଉତ୍ସବ ଓ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ବର: କାହାରି ଦୟା ବା ଅନୁକମ୍ପାରୁ ମିଳୁଥିବା ପୁରସ୍କାର ଗ୍ରହଣ କରିବା ଉଚିତ ନୁହେଁ। ବର୍ତ୍ତମାନ ଆମ ସାହିତ୍ୟ ଜଗତରେ ପୁରସ୍କାରକୁ ନେଇ ଏକ ଅସୁସ୍ଥ ପରମ୍ପରା ଦେଖାଦେଇଛି। ପୁରସ୍କାର ପାଇବା ନେଇ ସାହିତ୍ୟିକମାନଙ୍କ ମଧ୍ୟରେ ଯେଭଳି ପ୍ରତିଯୋଗିତା, ଈର୍ଷା, ଅସୂୟା ଭାବ ଦେଖାଦେଉଛି, ତାହା ସମସ୍ତଙ୍କୁ ବିବ୍ରତ କଲା ଭଳି। କିନ୍ତୁ ଯେଉଁ ଯୋଗ୍ୟ ବ୍ୟକ୍ତିମାନେ ପୁରସ୍କାର ପାଉନାହାନ୍ତି, ସେଥିପାଇଁ ସେମାନେ ବିବ୍ରତ ହୁଅନ୍ତୁ ନାହିଁ। ସେମାନେ ପାଠକୀୟ ପୁରସ୍କାର ପାଇବା ପାଇଁ ସବୁବେଳେ ଉଦ୍ୟମ କରନ୍ତୁ। କାରଣ ଜଣେ ସାହିତ୍ୟିକ ପାଇଁ ତାହା ହିଁ ଶ୍ରେଷ୍ଠ ପୁରସ୍କାର। ଜୟଦେବ ଭବନରେ ଆୟୋଜିତ ‘ରତ୍ନଚିରା’ର ବାର୍ଷିକ ଉତ୍ସବ ଓ ସାରସ୍ବତ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଶିକ୍ଷାବିତ୍‌ ତଥା ସାହିତ୍ୟିକା ହରିପ୍ରିୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ବର୍ତ୍ତମାନ ମୁଦ୍ରିତ ଗଣମାଧ୍ୟମକୁ ନେଇ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ। ବିଶେଷକରି ଯେଉଁ ସମ୍ପାଦକମାନେ ପତ୍ରିକା ପ୍ରକାଶ କରୁଛନ୍ତି,‌ ସେମାନେ ପ୍ରକୃତ ହିତାଧିକାରୀ ଚୟନ କରି ସେମାନଙ୍କ ପାଖରେ ନିୟମିତ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ପତ୍ରିକାକୁ ବଞ୍ଚାଇ ରଖିବାର ବେଳ ଆସିଛି ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେହନୁର କହିଲେ, ସାହିତ୍ୟ ସଭା ନ ହେଲେ ସାହିତ୍ୟିକଙ୍କ ଭିତରେ ଅନୁପ୍ରେରଣା ସୃଷ୍ଟି ହୁଅନ୍ତା ନାହିଁ। ଈଶ୍ବର ମଣିଷକୁ ଭଲ ଓ ମନ୍ଦ ଗୁଣ ଦେଇଛନ୍ତି। ଆମର କର୍ତ୍ତବ୍ୟ ଭଲ ଗୁଣଗୁଡ଼ିକୁ ବାହାରକୁ ଆଣି ମନ୍ଦକୁ ପ୍ରତ୍ୟାହାର କରିବା। ଭଲ ଗୁଣକୁ ବାହାରକୁ ଆଣିପାରିଲେ ହିଁ ସାଧୁ, ସାହିତ୍ୟିକ, ପ୍ରଶାସକ ଆଦି ସୃଷ୍ଟି ହୋଇ ସମାଜ ପାଇଁ ଭଲ କାମ କରିପାରିବେ। ବର୍ତ୍ତମାନ ସାହିତ୍ୟ ପତ୍ରିକା ତା’ର କକ୍ଷ ପରିବର୍ତ୍ତନ କରିଛି। ଲୋକସଂପର୍କରେ ବୃଦ୍ଧି ଘଟିଛି। ଏବେ ମୋବାଇଲ୍‌ ସ୍କ୍ରିନ୍‌ ମାଧ୍ୟମରେ ଅନେକ ସାହିତ୍ୟ ଆଲୋଚନା, ଚର୍ଚ୍ଚା, ପଠନ ଓ ଲିଖନ ଆଦି ହୋଇପାରୁଛି।

ସମ୍ମାନିତ ଅତିଥି ସାହିତ୍ୟିକ ତଥା ଅନୁବାଦକ ସୁଭାଷ ଶତପଥୀ କହିଲେ, ବର୍ତ୍ତମାନ ମନ୍ଦ ଲେଖା ଭଲ ଲେଖାକୁ ପ୍ରଭାବିତ କରୁଛି। ତେଣୁ ସମ୍ପାଦକମାନେ ନିଜର ମୌଳକ ଦାୟିତ୍ବ ଉପରେ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ସବୁ ପରେ ବି ଆହୁରି ଲେଖା ହେବାର ଆବଶ୍ୟକତା ରହିଛି। ପତ୍ରିକାର ସମ୍ପାଦିକା ସ୍ନେହଲତା ପୃଷ୍ଟି ସ୍ବାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟିକ ତଥା ପ୍ରାଧ୍ୟାପକ ନେତାଜୀ ଅଭିନନ୍ଦନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭାଷାବିତ୍‌ ଦେବାଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ। ମେ’ ମାସର ‘ରତ୍ନଚିରା’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଡାକ୍ତର ସରୋଜିନୀ ଷଡ଼ଙ୍ଗୀଙ୍କୁ ‘ରତ୍ନଚିରା ସାରସ୍ବତ ସମ୍ମାନ’, ଯୁବ ଲେଖିକା ସ୍ଥିତପ୍ରଜ୍ଞା ପାଣିଗ୍ରାହୀଙ୍କୁ ‘ରତ୍ନଚିରା ଯୁବ ଲେଖକ ସମ୍ମାନ’, ଅମ୍ବିକାପ୍ରସାଦ ବାରିକଙ୍କୁ ‘ରତ୍ନଚିରା ପାଠକ ସମ୍ମାନ’, ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କାଙ୍କୁ ‘ରତ୍ନଚିରା ସାହିତ୍ୟ ସଂଗଠକ ସମ୍ମାନ’, ପ୍ରଫେସର୍‌ ବସନ୍ତ ପଣ୍ଡାଙ୍କୁ ‘ରତ୍ନଚିରା ପ୍ରବନ୍ଧ ସମ୍ମାନ’, ସରୋଜ ମହାପାତ୍ରଙ୍କୁ ‘ରତ୍ନଚିରା କବିତା ସମ୍ମାନ’, ନାରାୟଣ ମହାଳିକଙ୍କୁ ‘ରତ୍ନଚିରା ଗଳ୍ପ ସମ୍ମାନ’, ଆଶୁତୋଷ ପାତ୍ରଙ୍କୁ ‘ରତ୍ନଚିରା ଅନୁବାଦ ସମ୍ମାନ’, ଶଶିଭୂଷଣ ବେହେରାଙ୍କୁ ‘ରତ୍ନଚିରା ଗୀତିକବିତା ସମ୍ମାନ’, କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କୁ ‘ରତ୍ନଚିରା ବିଶେଷ ସମ୍ମାନ’ ପ୍ରଦାନ କରାଯାଇଥିଲା।
ପ୍ରଥମ ଅଧିବେଶନରେ କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବକୁ କବୀ ନିରୁପମା କର ଓ ଲୋପାମୁଦ୍ରା ମେକାପ ସଂଯୋଜନା କରିଥିଲେ। କବି ପିନାକୀ ମିଶ୍ର, ରବି ଶତପଥୀ, ସରୋଜ ବଳ, ତ୍ରିଲୋଚନ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର