ଅଭିଯୁକ୍ତ ଗିରଫ, ସହଯୋଗୀକୁ ଖୋଜୁଛି ପୁଲିସ

ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା

ଭୁବନେଶ୍ୱର: କେଶୁରା ସ୍ଥିତ ଜୟମାତାଦୀ ଫର୍ଣ୍ଣିଚର ଦୋକାନରେ ପଶି ରାହୁଲ ସାମନ୍ତରାୟ ନାମକ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କେଶୁରା ଅଞ୍ଚଳର ସନ୍ତୋଷ ଗୌଡ଼(୨୯)। ପ୍ରକାଶ ଥାଉ କି, ଶୁକ୍ରବାର ସନ୍ଧ୍ୟାରେ ଦୋକାନ ମାଲିକ ପ୍ରଶାନ୍ତ ନାୟକ କୌଣିସ କାମରେ ବାହାରକୁ ଯାଇଥିଲେ। ସେହି ସମୟରେ ଶଳା ରାହୁଲଙ୍କୁ ଦୋକାନରେ ବସାଇଥିଲେ। ରାହୁଲ ଦୋକାନରେ ବସିଥିବା ବେଳେ ପଡ଼ୋଶୀ ଦୋକାନରେ ଭୋଜି କରୁଥିବା ସନ୍ତୋଷ ଓ ତାର ସହଯୋଗୀମାନେ ହଠାତ୍‌ ଦୋକାନ ଭିତରକୁ ପଶି ଆସିଥିଲେ। ଦୋକାନରେ କାହିଁକି ପଶୁଛ ବୋଲି ରାହୁଲ ପଚାରିବାରୁ ସନ୍ତୋଷ ଓ ତାର ସହଯୋଗୀମାନେ ରାଗି ଯାଇ ଗାଳିଗୁଲଜ କରିବା ସହ ଦୋକାନରେ ଥିବା ଅସବାବପତ୍ର ଭଙ୍ଗାରୁଜା କରିଥିଲେ। ରାହୁଲ ତୁରନ୍ତ ପ୍ରଶାନ୍ତଙ୍କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ହେଲେ ପ୍ରଶାନ୍ତ ପହଞ୍ଚିବା ପୂର୍ବରୁ ଯୁବକମାନେ ରାହୁଲଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ। ଫଳରେ ରାହୁଲ ଗୁରୁତର ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ଦୋକାନରେ ପଡ଼ି ରହିଥିଲେ। ପ୍ରଶାନ୍ତ ତୁରନ୍ତ ରାହୁଲଙ୍କୁ ଚିକିତ୍ସା ପାଇଁ ସହିଦନଗର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏନେଇ ପ୍ରଶାନ୍ତ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ତୋଷର ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର