ସେମିରେ ଇଷ୍ଟ୍‍ ବେଙ୍ଗଲ୍‌

ଶେଷ ମିନିଟ୍‌ରେ ହାରିଲା ଆଇଜଲ୍‌

ଭୁବନେଶ୍ୱର: ଇଷ୍ଟ୍‍ ବେଙ୍ଗଲ ପ୍ରଥମ ଦଳ ଭାବେ ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଦୁଇ ଆଇଲିଗ୍‌ ଦଳ ଇଷ୍ଟ୍‍ବେଙ୍ଗଲ ଏବଂ ଆଇଜଲ୍‌ ଏଫ୍‌ସି ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ୱାର୍ଟର୍‌ ଫାଇନାଲ୍‌ ଲଢ଼େଇରେ ଇଷ୍ଟ୍‍ ବେଙ୍ଗଲ ୧-୦ ଗୋଲ୍‌ରେ ବାଜି ମାରି ନେଇଛି। ଶେଷ ମିନିଟ୍‌ରେ ଗୋଲ୍‌ ବରଣ କରି ଆଇଜଲ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛି। ରବିବାରର ପ୍ରଥମ କ୍ୱାର୍ଟର୍‌ ଫାଇନାଲ୍‌ରେ ଇଷ୍ଟ୍‍ ବେଙ୍ଗଲ ବଲ୍‌ ଗଡ଼ାଇଥିଲା। ଆରମ୍ଭରୁ ଇଷ୍ଟ୍‍ ବେଙ୍ଗଲ ଆକ୍ରାମକ ଆଭିମୁଖ୍ୟ ନେଇଥିଲେ ମଧ୍ୟ ଆଇଜଲ୍‌ର ରକ୍ଷଣଭାଗକୁ ଭେଦ କରି ପାରିନଥିଲା। ତିନିଟି ସହଜ ସୁଯୋଗ ମଧ୍ୟ ହାତଛଡ଼ା କରିଥିଲା। ଅନ୍ୟପକ୍ଷରେ ଆଇଜଲ୍‌ ନିଜର ରକ୍ଷଣାତ୍ମକ ଖେଳ ଜାରି ରଖି ପ୍ରଥମାର୍ଧକୁ ଗୋଲ୍‌ଶୂନ୍ୟ ଭାବେ ଶେଷ କରିଥିଲା। ଦ୍ୱିତୀୟାର୍ଧରେ ମଧ୍ୟ  ଅଧିକାଂଶ ସମୟ ବଲ୍‌ ଇଷ୍ଟ୍‍ ବେଙ୍ଗଲ ପାଖରେ ରହିଥିଲା। ଆଇଜଲ୍‌ ପ୍ରଥମାର୍ଧ ପରି ଦ୍ୱିତୀୟାର୍ଧରେ ମଧ୍ୟ ରକ୍ଷଣାତ୍ମକ ଭଙ୍ଗୀରେ ଖେଳିଥିଲା। ଫଳରେ ଇଷ୍ଟ୍‍ ବେଙ୍ଗଲର ସୁଯୋଗକୁ ସହଜରେ ପ୍ରତିହତ କରି ଦେଉଥିଲା। କିନ୍ତୁ ୯୦ତମ ମିନିଟ୍‌ରେ ଇଷ୍ଟ୍‍ ବେଙ୍ଗଲ୍‌ର ଲିବେରିଆ ତାରକା ଘାନେଫୋ ଅଂଶୁମାନା କ୍ରୋମା ବଲ୍‌କୁ ଆଇଜଲ୍‌ର ପେନାଲ୍‌ଟି ଏରିଆ ଭିତରେ ପୂରାଇ ଦେଇଥିଲେ। ଏହି ସମୟରେ ଆଇଜଲ ଗୋଲ୍‌ ରକ୍ଷକ ଲାଲଓ୍ଵମ୍ପିଆ ତାଙ୍କୁ ଫାଉଲ୍‌ ମାରି ଅଟକାଇଥିଲେ। ଯାହାଫଳରେ ଇଷ୍ଟ୍‍ ବେଙ୍ଗଲ୍‌କୁ ପେନାଲ୍‌ଟି ମିଳିଯାଇଥିଲା। ଏହାକୁ ଲାଲ୍‌ଦାନ୍‌ମାଓ୍ଵିଆ ରାଲ୍‌ତେ ଗୋଲ୍‌ରେ ପରିଣତ କରି ଇଷ୍ଟ୍‍ ବେଙ୍ଗଲକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଏକମାତ୍ର ଗୋଲ୍‌ ଦେଇଥିବା ଲାଲ୍‌ଦାନ୍‌ମାଓ୍ଵିଆ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର