ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ଅନ୍ତସତ୍ତ୍ୱା ମହିଳାଙ୍କୁ ବିମାନ ବନ୍ଦରରେ ବିବସ୍ତ୍ର କରି ଯାଞ୍ଚ କରାଗଲା

ନୂଆଦିଲ୍ଲୀ: ଅାସାମର ଗୋହ୍ଵାଟି ବିମାନ ବନ୍ଦରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ବିମାନ ବନ୍ଦରରେ ଯାତ୍ରୀଙ୍କ ଯାଞ୍ଚ ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ବିବସ୍ତ୍ର କରି ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଯାଞ୍ଚ ସମୟରେ ଅନ୍ତସତ୍ତ୍ୱା ମହିଳାଙ୍କ ପେଟକୁ ଚାପି ଚାପି ସିଆଇଏସ୍‌ଏଫ୍‌ର ଜଣେ ମହିଳା ଇନ୍ସପେକ୍ଟର ଦେଖିଥିଲେ। ଏପରି କରିବା ଦ୍ୱାରା ଅନ୍ତସତ୍ତ୍ୱା ମହିଳାଙ୍କୁ କଷ୍ଟ ହେବା ସହ ତାଙ୍କ ଆତ୍ମସମ୍ମାନକୁ ବି ଆଞ୍ଚ୍‌ ଆସିଥିଲା ବୋଲି କହିଥିଲେ।

ଏହି ଘଟଣା ନେଇ ଅଭିଯୋଗ ହେବା ପରେ ମହିଳା ଇନ୍ସପେକ୍ଟରଙ୍କୁ ସ୍କ୍ରିନିଙ୍ଗ ଡିୟୁଟିରୁ ଟ୍ରେନିଂ ପାଇଁ ପଠାଇ ଦିଆଯାଇଛି। ଏତଦ୍‌ ବ୍ୟତୀତ ସିଆଇଏସ୍‌ଏଫର ଶୀର୍ଷ ଅଧିକାରୀ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ରାତିରେ ଅନ୍ତସତ୍ତ୍ୱା ଥିବା ମହିଳା ଡୋଲି ଗୋସ୍ୱାମୀ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ସ୍ପାଇସ୍‌ ଜେଟରେ ଦିଲ୍ଲୀ ଯାଉଥିଲେ। ଯାଞ୍ଚ ପାଇଁ ହୁଇଲ୍‌ ଚ୍ୟାୟାର୍‌ରେ ଯାଉଥିବା ସମୟରେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ଥିଲେ ଏବଂ ଅନ୍ତସତ୍ତ୍ୱା ହେବାର ପ୍ରମାଣପତ୍ର ମାଗିଥିଲେ। ମହିଳାଙ୍କ ସହିତ ତାଙ୍କ ସ୍ୱାମୀ ବି ଥିଲେ। ସେତେବେଳେ ମହିଳା କହିଲେ ସମସ୍ତ କାଗଜପତ୍ର ବ୍ୟାଗ୍‌ରେ ରହି ଯାଇଛି। ପ୍ରଥମେ ମହିଳାଙ୍କୁ ବିମାନରେ ଯିବା ପାଇଁ ଅଟକା ଯାଇଥିଲା। ବିମାନରେ ଯିବା ପାଇଁ ବାରମ୍ବାର ଅନୁରୋଧ କ୍ରମେ ଯାଞ୍ଚ ଅଧିକାରୀ ମହିଳାଙ୍କୁ ଏକ ରୁମ୍‌କୁ ନେଇଥିଲେ, ଯେଉଁଠାରେ ସିଆଇଏସ୍‌ଏଫ୍‌ର ମହିଳା ଯବାନ ତାଙ୍କ ପୋଷାକ ଓହ୍ଲାଇ ପେଟକୁ ଦବାଇ ଦବାଇ ଯାଞ୍ଚ କରିଥିଲେ, ଏପରି କରିବା ପଛରେ ଉଦ୍ଦେଶ୍ୟ ଥିଲା ସେ ଜାଣିବାକୁ ଚାହୁଁଥିଲେ ମହିଳା ବାସ୍ତବରେ ଅନ୍ତସତ୍ତ୍ୱା ଅଛନ୍ତି କି ନାହିଁ?

ମହିଳାଙ୍କ ସ୍ୱାମୀ ଶିଶିର ଶର୍ମାଙ୍କ କହିବାନୁସାରେ ବିମାନ ବନ୍ଦରରେ ଡାକ୍ତର ଯଦି ପତ୍ନୀଙ୍କୁ ଏଭଳି ଯାଞ୍ଚ କରି ଥାଆନ୍ତେ ତେବେ ମୋର କିଛି ଆପତ୍ତି ନ ଥିଲା। କିନ୍ତୁ ମହିଳା ଯବାନଙ୍କ ଏଭଳି ଯାଞ୍ଚ ଆଦୌ ଠିକ୍‌ ନ ଥିଲା। ଏହାପରେ ସେ ସିଆଇଏସ୍‌ଏଫ୍‌ର ଶୀର୍ଷ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଦମ୍ପତ୍ତିଙ୍କୁ କ୍ଷମା ମାଗିବା ସହ ଉକ୍ତ ମହିଳା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର