ଅଭିନବ ପ୍ରୟାସ : ସରକାରୀ ବସ୍‌ରେ ପାଠପଢ଼ା

ଜୟପୁର : ସରକାରୀ ବସ୍ ଭିତରେ ପିଲାଙ୍କ ପାଠ ପଢ଼ା । କଥାଟି ବିଶ୍ବାସ ହେଉନଥିଲେ ହେଁ ସତ । ତେବେ ବାସ୍ତବତା ହେଉଛି ସରକାରୀ ବସଟି କେବଳ ଏକ ଚିତ୍ର । ବିଦ୍ୟାଳୟର ଶ୍ରେଣୀ ଗୃହକାନ୍ଥରେ ଏଭଳି ଢ଼ଙ୍ଗରେ ସରକାରୀ ବସର ଚିତ୍ର ଅଙ୍କା ଯାଇଛି ଯେ ଯେକୌଣସି ବ୍ୟକ୍ତି ବି ଦେଖିବା ପରେ କିଛି କ୍ଷଣ ପାଇଁ ଅଟକିଯିବ । ଏହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିବା ବେଳେ ବସ୍ ଦେଖିବା ନା’ରେ ପିଲାଙ୍କ ଉପସ୍ଥାନ ବି ବଢ଼ିଛି । ପ୍ରଥମ ଥର ପାଇଁ ଏଭଳି ଚିତ୍ର ଅଙ୍କା ଯାଇଥିବା ଯୋଗୁଁ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଅଭିଭାବକ ବି ସ୍କୁଲକୁ ଆସି ଏହାକୁ ଦେଖି ବେଶ୍ ଖୁସି ହେଉଛନ୍ତି ।

ରାଜ୍ୟ ସରକାର ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଠାରୁ ଆରମ୍ଭ କରି ପିଲାଙ୍କୁ ପୋଷାକ, ସାଇକେଲ, ପାଠ୍ୟପୁସ୍ତକ ଆଦି ବଣ୍ଟନ ବି କରୁଛନ୍ତି । ତେବେ ଏତେସବୁ ସରକାରୀ ବ୍ୟବସ୍ଥା ସତ୍ବେ ପିଲାଙ୍କ ଉପସ୍ଥାନ ଯେଭଳି ସଂଖ୍ୟାରେ ବଢ଼ିବା କଥା ତାହା ହୋଇପାରୁନଥିବା ବେଳେ ଏଭଳି ଚିତ୍ରକୁ ଦେଖି ପିଲା ନିୟମିତ ଭାବେ ବିଦ୍ୟାଳୟ ଆସୁଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ବିଗତ ଦିନରେ ମାଲକାନଗିରି ଜିଲ୍ଲା ବୁଟିଗୁଡ଼ା ନୋଡାଲ ବିଦ୍ୟାଳୟର ଶ୍ରେଣୀ ଗୃହ କାନ୍ଥରେ ଟ୍ରେନ୍ ଆକୃତିର ଚିତ୍ର ଆଙ୍କି ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପ୍ରୟାସ ସମଗ୍ର ରାଜ୍ୟରେ ଆଲୋଡନ କରିଥିଲା । ଏହି ସମାନ ଆଭିମୁଖ୍ୟ ରଖି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଏକ ସରକାରୀ ବସର ଚିତ୍ର ଅଙ୍କାଯାଇଛି । ଜୟପୁର ଠାରୁ ମାତ୍ର ୨୨ କିମି ଦୂରରେ ଥିବା କୁନ୍ଦୁରା ଅଂଚଳକୁ ସରକାରୀ ବସ୍ ଯାତାୟତ କରୁନଥିବା ବେଳେ ଏଭଳି ଚିତ୍ର ଦେଖି ପିଲା ସରକାରୀ ବସର ପ୍ରକୃତ ରୂପରେଖଟି ଜାଣିବାରେ ସକ୍ଷମ ହୋଇପାରିଛନ୍ତି । ଶ୍ରେଣୀ ଗୃହର କବାଟଟି ଏଭଳି ସ୍ଥାନରେ ରହିଛି ଯେ ସରକାରୀ ବସର ସମ୍ମୁଖ ଭାଗ ଗେଟ୍ ଭଳି ରହିଛି । ପ୍ରତିଦିନ ପିଲା ଏହି କବାଟ ଦେଇ ଯାଉଛନ୍ତି ଏବଂ ପାଠ ପଢ଼ୁଛନ୍ତି ।

କୁନ୍ଦୁରାସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟ ପରିସରରେ ୪୦ ଶର୍ଯ୍ୟା ବିଶିଷ୍ଟ ହୋଷ୍ଟେଲ ବି ରହିଛି । ବିଦ୍ୟାଳୟ ଶ୍ରେଣୀ ଗୃହ କାନ୍ଥରେ କେବଳ ସରକାରୀ ବସର ଚିତ୍ର କରାଯାଇନାହିଁ ବରଂ ବିଭିନ୍ନ ସ୍ଥାନରେ ସ୍ବଚ୍ଛଭାରତ ଅଭିଯାନ, ପ୍ଲାଷ୍ଟିକ୍ ବ୍ୟବହାରକୁ ମନା ଆଦି ଚିତ୍ର କରାଯିବା ସହ ଖୁଣ୍ଟି ଗୁଡିକରେ ବିଭିନ୍ନ ଫଳର ଚିତ୍ର ଅଙ୍କାଯାଇଛି । କେଉଁ ଫଳ ଆହାର ସ୍ବାସ୍ଥ୍ୟପାଇଁ ହିତକାରକ ତାହାର ଚିତ୍ର ବି ଅଙ୍କାଯାଇଛି । ଏଭଳି ଚିତ୍ର ଆଙ୍କିବା ଦ୍ବାରା ପାଠପଢ଼ାର ଏକ ବାତାବରଣ ବି ସୃଷ୍ଟି ହୋଇପାରିଛି । କୁନ୍ଦୁରା ବ୍ଲକର ଏହି ସ୍କୁଲ ସହ ଜିରାଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ନୋଡାଲ ସ୍କୁଲ ଭାବେ ଗ୍ରହଣ କରିଛି ଶିକ୍ଷା ବିଭାଗ । ବ୍ଲକ ପକ୍ଷରୁ ଏଭଳି ଚିତ୍ର କରାଯାଇ ଅଭିନବ ପ୍ରୟାସ କରାଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ କହିବା ସହ ଏଥିରେ ପିଲା ଆଗ୍ରହ ହୋଇ ନିୟମିତ ଆସୁଛନ୍ତି ଏବଂ ଉପସ୍ଥାନ ବି ବଢ଼ିଛି ବୋଲି କହିଛନ୍ତି । କିଛି ଛାତ୍ରଛାତ୍ରୀ କହିିିିଛନ୍ତି ଆମେ ସରକାରୀ ବସ୍ ଦେଖି ନଥିଲୁ କିନ୍ତୁ ଚିତ୍ର କରାଯିବା ପରେ ସରକାରୀ ବସ ଆକୃତି ଉପରେ ଅବଗତ ହୋଇପାରିଲୁ ବୋଲି କହଛନ୍ତି।

ସମ୍ବନ୍ଧିତ ଖବର