ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ

ଖଣ୍ଡଗିରି: ଏକତରଫା ଭଲ ପାଉଥିବା ଯୁବତୀଙ୍କୁ ନିଜର ସ୍ତ୍ରୀ ବୋଲି ଦାବି କରି ଗଣ୍ଡଗୋଳ କରିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଇନ୍‌ଫୋସିଟି ଥାନା କାନନବିହାରର ରଜତ ରଂଞ୍ଜନ ପଣ୍ଡା(୨୬)। ରଜତ ଇଂଜିନିୟରିଂ ପାସ୍ କରିଛନ୍ତି। ବଳପୂର୍ବକ ଅପହରଣ କରିବାକୁ ଉଦ୍ୟମ କରୁଥିବା ଭଳି ସଂଗିନ୍ ଅଭିଯୋଗରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ବି.ଟେକ୍‌ ପଢ଼ିବା ସମୟରୁ ରଜତ ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଜଣେ ସହପାଠିନୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ବାପା ମା’ ଏହା ଜାଣିବା ପରେ ସେମାନେ ରଜତଙ୍କ ବାପା ମା’ଙ୍କୁ ଜଣାଇଥିଲେ। ଶେଷ‌ରେ ଯୁବତୀଙ୍କ ବାପା ରଜତଙ୍କୁ ଜ୍ବାଇଁ କରିବାକୁ ସମ୍ମତି ପ୍ରକାଶ କରିଥିଲେ। କିନ୍ତୁ ସର୍ତ୍ତ ଥିଲା ରଜତ ଚାକିରି ହେଉ ବା କିଛି କର୍ମସଂସ୍ଥାନ କଲେ ଏହି ବିବାହ ସମ୍ଭବ ହେବ। ମାତ୍ର ଏହା ଭିତରେ ରଜତ କୌଣସି ସଂସ୍ଥାରେ ନିଯୁକ୍ତି ତ ପାଇଲେ ନାହିଁ ବରଂ କୁସଙ୍ଗରେ ପଡ଼ିବା ଦେଖିବାକୁ ମିଳିଥିଲା। ତେଣୁ ଯୁବତୀଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିରେ ରଜତଙ୍କ ରାଗ ବଢ଼ି ଯାଇଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରେ ସେ ଯୁବତୀଙ୍କ ଘରେ ପଶି ଗଣ୍ଡଗୋଳ କରିଥିଲେ। ଯୁବତୀଙ୍କୁ ନିଜ ସ୍ତ୍ରୀ ବୋଲି ସମ୍ବୋଧନ କରି ଜୋର୍ କରି ଘରୁ ନେଇଯିବାକୁ ଉଦ୍ୟମ କରିଥିଲେ। ଏମିତିକି ବିବାହ ନ କରାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଯୁବତୀ ଖଣ୍ଡଗିରି ଥାନାକୁ ଫୋନ୍‌ କରି ଜଣାଇଥିଲେ। ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଜତକୁ ସେଠାରୁ ଗିରଫ କରିନେଇଥିଲା।

ସମ୍ବନ୍ଧିତ ଖବର