ସାଂସଦ ତାପସ ପାଲଙ୍କ ବିରୋଧରେ ଥିବା ତଥ୍ୟ ଦାଖଲ କରିବ ସିବିଆଇ

ରୋଜ୍‌ଭ୍ୟାଲି ଠକେଇ ମାମଲା

କଟକ : ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ବିରୋଧରେ ରୋଜଭ୍ୟାଲି ମାମଲାରେ ଯେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ରହିଛି ସେ ସଂପର୍କରେ ତଥ୍ୟ ଦାଖଲ କରିବ ସିବିଆଇ। ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜେରା ପାଇଁ ତାଙ୍କୁ ଆଉ ରିମାଣ୍ଡରେ ନେବା ଆବଶ୍ୟକ କି ନାହିଁ ସେ ସଂପର୍କରେ ମଧ୍ୟ ସିବିଆଇ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରୋଜ୍‌ଭ୍ୟାଲି ଠକେଇ ଘଟଣାର ସାନି ତଦନ୍ତର ସାନି ସ୍ଥିତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ଉପସ୍ଥାପନ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ତାପସ ପାଲଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଭୁବନେଶ୍ୱର ସିବିଆଇ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସିବିଆଇ ତାଙ୍କୁ ରିମାଣ୍ଡରେ ନେଇ ଜେରା ମଧ୍ୟ କରିଥିଲା। ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହିତ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ସହିତ ରୋଜଭ୍ୟାଲି ଚେନ୍‌ ମାର୍କେଟିଂ ସିଷ୍ଟମ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର