ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ଜୟନ୍ତ ମହାପାତ୍ରଙ୍କୁ ସାହିତ୍ୟ ଅକାଦେମିର ଫେଲୋ ଭାବେ ମନୋନୀତ କରାଯାଇଛି। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ କବିତା ରଚନା କରୁଥିବା କବି ଜୟନ୍ତ ମହାପାତ୍ରଙ୍କର କବିତାଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ପାଠକୀୟ ଆଦରତା ଲାଭ କରିବା ସହ ସ୍ୱୀକୃତି ମଧ୍ୟ ପାଇଛି। କବି ଜୟନ୍ତ ମହାପାତ୍ର ୩୦ଟି କବିତା ପୁସ୍ତକ ରଚନା କରିଥିବା ବେଳେ ତାଙ୍କ କବିତାଗୁଡ଼ିକ ବିଭିନ୍ନ ସମୟରେ ବିଭିନ୍ନ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ଜଣେ ଅଧ୍ୟାପକ ଭାବେ ନିଜର ବୃତ୍ତଗତ ଜୀବନ ଆରମ୍ଭ କରିଥିବା ଜୟନ୍ତ ମହାପାତ୍ର ପରବର୍ତ୍ତୀ ସମୟରେ ଜଣେ ଅନ୍ତର୍ଜାତୀୟ କବି ଭାବେ ବେଶ ସୁନାମ ଅର୍ଜନ କରିବା ସହ ତାଙ୍କର କବିତା ପାଇଁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ତାଙ୍କୁ ସମ୍ମାନଜନକ ପିଏଚ୍ଡି ଉପାଧି ମିଳିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମିଳିଛି ସମ୍ମାନଜନକ ଡିଲିଟ୍ ଉପାଧି।
ଉଲ୍ଲେଖଯୋଗ୍ୟ, ସାହିତ୍ୟ ଅକାଦେମିର ଫେଲୋସିପ୍ ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ପ୍ରଖ୍ୟାତ ସାହିତ୍ୟିକମାନଙ୍କୁ ଏହା ପ୍ରଦାନ କରା ଯାଇଥାଏ। ବର୍ତ୍ତମାନ କବି ଜୟନ୍ତ ମହାପାତ୍ରଙ୍କ ସହିତ ରାଜ୍ୟର ବିଶିଷ୍ଟ ସାହିତ୍ୟିକ କବି ରମାକାନ୍ତ ରଥ ଓ କବି ସୀତାକାନ୍ତ ମହାପାତ୍ର ଓ କଥାକାର ମନୋଜ ଦାସ ମଧ୍ୟ ସାହିତ୍ୟ ଅକାଦେମିର ଫେଲୋ ଅଛନ୍ତି।