ଯୁବ ସମାବେଶ ପାଇଁ ଡ୍ୟୁଟିକୁ ଆସୁଥିବାବେଳେ ଦୁର୍ଘଟଣାର ଶିକାର

ଟ୍ରେନ୍‌ରୁ ଖସି ହୋମ୍‌ଗାର୍ଡଙ୍କ ଦୁଇଗୋଡ଼ କଟିଲା

ବାହାନଗା: ସକାଳୁ ସକାଳୁ ବିଛଣାରୁ ଉଠିଥିଲେ। ନିତ୍ୟକର୍ମ ସହ ଅନ୍ୟ କାମ ବି କରିଥିଲେ। ଖାଇ ସାରିବା ପରେ ହୋମ୍‌ଗାର୍ଡ ୟୁନିଫର୍ମ ପିନ୍ଧି ଘରୁ ବାହାରିଥିଲେ। ବାଲେଶ୍ବରରେ ହେଉଥିବା ଯୁବ ସମାବେଶରେ ତାଙ୍କର ଟ୍ରାଫିକ୍‌ ନିୟନ୍ତ୍ରଣ ଡ୍ୟୁଟି ଥିବାରୁ ଟ୍ରେନ୍‌‌ ଧରିଥିଲେ। ‌ହେଲେ ବିଧିର ବିଧାନ ଥିଲା ଅଲଗା। ତେବେ ଟ୍ରେନରେ ଚଢ଼ିବା ବେଳେ ନିୟନ୍ତ୍ରଣ ରଖି ନ ପାରି ସେ ଚକ ତଳେ ପଡ଼ିଗଲେ। ଆଉ ନିଜର ଦୁଇ ଗୋଡ଼ ସବୁଦିନ ପାଇଁ ହରାଇ ବସିଲେ। ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି ରେମୁଣା ଅଞ୍ଚଳର ହୋମଗାର୍ଡ ନଟବର ନାୟକ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ: ଆଜି ବାଲେଶ୍ବର ସହର ପୁଲିସ ପରେଡ୍‌ ପଡ଼ିଆରେ ବିଜୁ ଯୁବ ବାହିନୀର ଆଂଚଳିକ ଯୁବ ସମାବେଶ କାର୍ଯ୍ୟକ୍ରମ ଥିଲା। ଫଳରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସୋର ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟ କରୁଥିବା ରେମୁଣା ବ୍ଲକ୍‌ ତୁଣ୍ଡରା ଅଂଚଳର ନଟବର ନାୟକଙ୍କୁ ଆଇଟିଆଇ ଛକରେ ଡ୍ୟୁଟି ଦିଆଯାଇଥିଲା। ତେଣୁ ସେ ଭଦ୍ରକ-ବାଲେଶ୍ବର ଲୋକାଲ୍‌ ଟ୍ରେନ୍‌ ଯୋଗ ସୋରରୁ ବାଲେଶ୍ବର ଆସୁଥିଲେ। ତେବେ ନୀଳଗିରି ରୋଡ୍‌ ଷ୍ଟେସନ୍‌ରେ ଟ୍ରେନ୍‌ଟି ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲା। କାଳେ ଡ୍ୟୁଟିକୁ ଡେରି ହେବ ଭାବି ସେଠାରେ କୌଣସି କାରଣରୁ ଛିଡ଼ା ହୋଇଥିବା ଦୂରନ୍ତ ଏକ୍ସପ୍ରେସ୍‌ରେ ନଟବର ଚଢ଼ୁଥିଲେ। ଏହି ସମୟରେ ଟ୍ରେନ୍‌ଟି ଚାଲିବା ଆରମ୍ଭ କରିବାରୁ ସେ ନିୟନ୍ତ୍ରଣ ହରାଇ ଟ୍ରେନ୍ ଚକ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କର ଦୁଇ ଗୋଡ଼ କଟିଯାଇଥିଲା। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ନଟବରଙ୍କୁ ଡାକ୍ତରଖାନା ନେଇଥିଲା। ଏନେଇ ଖବର ପାଇବା ପରେ ବାଲେଶ୍ବର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାର ବ୍ୟବସ୍ଥା କରାଇବା ସହ ରେଡ୍‌କ୍ରସ୍‌ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର