ଚନ୍ଦ୍ରଶେଖରପୁର ଥାନା ଆଗରୁ ଡକାୟତି ଘଟଣା, ୪ ଅଟକ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଆଗରୁ ଗତ ମାସ ୨୬ ତାରିଖରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଆଜି ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ କାନନବିହାର ଫେଜ୍ ୧ ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକର ଦାସଙ୍କ ଘରୁ ଡକାୟତି କରିଥିବା ପୁଲିସ୍ ସନ୍ଦେହ କରୁଛି। ପୁଲିସ ସିସିଟିଭି ଫୁଟେଜ୍‌ ସହ ସେମାନଙ୍କ ଚେ‌ହେରାକୁ ମେଳ କରାଉଛି। ଏହା ସ୍ପଷ୍ଟ ହେବା ପରେ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ରାତି ପ୍ରାୟ ୧୧ଟା ବେଳେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତି ନିକଟରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବା ଖବର ପାଇଥିଲେ। ତୁରନ୍ତ ଶ୍ରୀ ନାୟକ ସେଠାରେ ଚଢ଼ଉ କରି ପାଇ ସମସ୍ତଙ୍କୁ କାବୁ କରିଥିଲେ। ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନେ ଚୋରି ସାମଗ୍ରୀକୁ ଭାଗବଣ୍ଟା କରିବା ସହିତ ଅନ୍ୟ ଏକ ସ୍ଥାନରେ ଡକାୟତି କରିବାକୁ ଯୋଜନା କରୁଥିବା ଜଣାପଡ଼ିଥିଲା। ତେବେ ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ଦାସଙ୍କ ଘରୁ ସେମାନେ ଡକାୟତି କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି ବୋଲି ପୁଲିସ କହିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର