ମେ’ ୧୨ରେ ବିରାଟ କୋହଲି ଦେବେ ଭୋଟ, ସେଦିନ ହେବ ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦେଶର ମଙ୍ଗଳ ପାଇଁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବାର୍ତ୍ତା ଦେଇଥାନ୍ତି। ଏଥର କୋହଲି ଦେଶବାସୀଙ୍କୁ ନିର୍ବାଚନ ସଂପର୍କିତ ବାର୍ତ୍ତା ଦେଇଛନ୍ତି। ବିରାଟ କୋହଲି କହିଛନ୍ତି ଯେ, ସେ ଆଗାମୀ ମେ’ ୧୨ରେ ଲୋକସଭା ନିର୍ବାଚନ ପାଇଁ ମତଦାନ କରିବେ। ସେହି ଦିନ ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୨ ସଂସ୍କରଣର ଫାଇନାଲ ମ୍ୟାଚ ମଧ୍ୟ ହେବ।

ଆଇପିଏଲରେ ବ୍ୟସ୍ତ ଥିବା କୋହଲିଙ୍କ ମତଦାନ କରିବା ସଂପୂର୍ଣ୍ଣ ରୂପେ ନିଶ୍ଚିତ ନୁହେଁ। କେବଳ କୋହଲି ନୁହେଁ ବରଂ ଆହୁରି ଅନେକ କ୍ରିକେଟର ମତଦାନ କରିପାରୁ ନାହାନ୍ତି। ଏହାରି ମଧ୍ୟରେ ବିରାଟ କୋହଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ସେ ଭୋଟ ଦେବା ପାଇଁ ପ୍ରସ୍ତୁତ। ଏଥି ସହିତ କୋହଲି ସାଧାରଣ ଜନତାଙ୍କୁ ମତଦାନ କରିବା ପାଇଁ ଅପିଲ କରିଛନ୍ତି। ନିର୍ବାଚନ ଶେଷ ହେବା ପରେ ଆଇସିସି ଦ୍ୱାରା ପରିଚାଳିତ ବିଶ୍ୱକପ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ ହୋଇଯିବ।

କୋହଲି ସୋସିଆଲ ମିଡିଆରେ ନିଜର ଭୋଟ ପରିଚୟ ପତ୍ର ସେୟାର କରିଛନ୍ତି। କୋହଲିଙ୍କ ଅଧିକାଂଶ ଜୀବନ ଦିଲ୍ଲୀରେ କଟିଥିବା ବେଳେ, ସେ ଏବେ ମୁମ୍ବାଇରେ ବସବାସ କରୁଛନ୍ତି। ମାତ୍ର କୋହଲିଙ୍କ ମତଦାନ ପରିଚୟରେ ଗୁରୁଗ୍ରାମର ନିବାସୀ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର