ଜିତେନ୍ଦ୍ରଙ୍କ ଆର୍ଥିକ ସ୍ଥିତି ଯାଞ୍ଚ କଲେ ସରକାର, ଭଙ୍ଗା ଘରେ ଚକା ଜହ୍ନ!

ସମ୍ବଲପୁର : ଭାରତ ସରକାରଙ୍କ ଦ୍ବାରା ପଦ୍ମ ସମ୍ମାନ ପାଇଥିବା ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ କିଭଳି ଅବସ୍ଥାରେ ଅଛନ୍ତି ସେ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସରକାରଙ୍କଠାରୁ ଚିଠି ମିଳିବା ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ହେମନ୍ତ ପ୍ରଧାନ ଶୁକ୍ରବାର ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଘରକୁ ଯାଇଥିଲେ। ଶ୍ରୀ ହରିପାଲଙ୍କ ଆର୍ଥିକ ସ୍ଥିତି, ତାଙ୍କ ଆୟର ପନ୍ଥା, ସ୍ବାସ୍ଥ୍ୟାବସ୍ଥା ଆଦି ସଂପର୍କରେ ବୁଝିବା ସହ ଶ୍ରୀ ହରିପାଲଙ୍କ ଘର ଓ ରହୁଥିବା ସ୍ଥାନ ବୁଲି ଦେଖିଥିଲେ। ଶ୍ରୀ ପ୍ରଧାନ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ ବି ଏ ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି।

ଲୋକପ୍ରିୟ ସମ୍ବଲପୁରୀ ଗୀତ ରଂଗବତୀ କେବେଠୁ ରାଜ୍ୟ ଓ ଦେଶର ସୀମା ଡେଇଁ ବିଦେଶରେ ପହଞ୍ଚି ସାରିଛି। ଏହି ବହୁଚର୍ଚ୍ଚିତ ଗୀତର ଚିରସବୁଜ ଗାୟକ ହେଲେ ଜିତେନ୍ଦ୍ର ହରିପାଲ। ତାଙ୍କ ନାମ ଆଗରେ ଡକ୍ଟର ଉପାଧି ଲାଗିଛି। ଶ୍ରୀ ହରିପାଲ ପଦ୍ମଶ୍ରୀରେ ବି ଭୂଷିତ ହୋଇ ସାରିଛନ୍ତି। ପୁରସ୍କାର ଓ ସମ୍ମାନର ତାଲିକା ହିସାବ କଲେ ବହିଟିଏ ହେବ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ପାଖରୁ ଦେଖି ନଥିବା ବା ଅତି ନିକଟରୁ ଜାଣି ନଥିବା ଲୋକେ ତାଙ୍କ ସଂପର୍କରେ ଭିନ୍ନ ଧାରଣା ରଖିଥିବେ। ‌ସାଧାରଣ ଲୋକେ ଶ୍ରୀ ହରିପାଲଙ୍କୁ ଜଣେ ଗାୟକଭାବେ ଖୁବ ଭଲ ପାଆନ୍ତି। କିନ୍ତୁ ଏହି ମହାନ ଗାୟକଙ୍କ ଜୀବନଶୈଳୀ ଅନେକଙ୍କୁ ଆଜି ବି ଅଜଣା।

ସମ୍ବଲପୁର ସହର ଷ୍ଟେସନ୍‌ପଡ଼ା (ବସ୍ତି)ରେ ରେଳବାଇ ଜମି ଉପରେ ଛିଡ଼ା ହୋଇଥିବା ଏକ ଖପର ଘରେ ରହନ୍ତି ଶ୍ରୀ ହରିପାଲ ଓ ତାଙ୍କ ପରିବାର। ବୟସ ୭୧ ଡେଇଁଲାଣି। କିନ୍ତୁ ମଞ୍ଚରେ ନାଚିନାଚି ଗୀତ ଗାଉଥିଲାବେଳେ ଝଲସେ ଯୁବସୁଲଭ ଉଦ୍ଦାମତା। ହେଲେ ତାଙ୍କ ଦୁଇ ଆଣ୍ଠୁରେ ରହିଛି ଭୀଷଣ ଯନ୍ତ୍ରଣା। ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ବି ଅର୍ଥାଭାବରୁ ଯାଇପାରି ନାହାନ୍ତି। ପତ୍ନୀ ମଲ୍ଲିକାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁ ନାହିଁ। ୨୦୧୦ରେ ତାଙ୍କ ମଝିଆ ପୁଅଙ୍କ ପରଲୋକ ହୋଇ ଯାଇଥିଲା। ଠିକ ତା’ପରେ ପରେ ସାନ ପୁଅ ଦୁର୍ଘଟଣାଗ୍ରସ୍ତ ହୋଇ ଏକପ୍ରକାର ଅକ୍ଷମ ହୋଇ ପଡ଼ିଲେ। ସାନ ପୁଅ, ବୋହୂ ଓ ତାଙ୍କ ତିନି ପିଲାଙ୍କ ଲାଳନ ପାଳନ ଦାୟିତ୍ବ ହରିପାଲଙ୍କ ଉପରେ। ସେହିପରି ବିଧବା ବୋହୂ ଏବଂ ତାଙ୍କ ପିଲାର ଭରଣ ପୋଷଣ ମଧ୍ୟ ହରିପାଲଙ୍କ କାନ୍ଧରେ। ଦୁଇ ବଖରା ଘରେ ଜାଗା ନ ହେବାରୁ ବଡ଼ ପୁଅ ପାରସ ପରିବାର ସହ ସେହି ବସ୍ତିରେ ଆଉ ଏକ ଘରେ ଭଡ଼ା ରହୁଛନ୍ତି। ସେ ଅଟୋ ଚଳାଇ କୌଣସି ମତେ ନିଜ ପରିବାର ଚଳାଉଛନ୍ତି। ତିନି ଝିଅଙ୍କ ମଧ୍ୟରୁ ଜଣେ ପୂର୍ବରୁ ବାହା ହୋଇଥିଲାବେଳେ ଗତ ବର୍ଷ ଅନ୍ୟ ଦୁଇ ଝିଅଙ୍କୁ ବାହା ଦେଇଛନ୍ତି। ଏହି ପରିବାର ଚଳାଇବା ପାଇଁ ଜିତେନ୍ଦ୍ର ବିଭିନ୍ନ ସ୍ଥାନରେ ଗୀତ ଗାଇ ଯାହା ଦୁଇ ପଇସା ଉପାର୍ଜନ କରନ୍ତି। କିନ୍ତୁ ବର୍ତ୍ତମାନର ସମୟରେ ଦ୍ବିଅର୍ଥବୋଧକ ଓ ଅଶ୍ଲୀଳ ଗୀତ ଗାଇବାକୁ ରୋକଠୋକ ମନା କରି ଦେଉଥିବାରୁ ତାଙ୍କୁ ଆୟୋଜକମାନେ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। କଳକାର ଭତ୍ତା ବାବଦରେ ପୂର୍ବରୁ ୫୦୦ ଟଙ୍କା ମିଳୁଥିଲା ଏବେ ୧୨୦୦ ଟଙ୍କା ମିଳୁଛି। ରାସନ କାର୍ଡରେ ପୂର୍ବରୁ ଟଙ୍କିକିଆ ଚାଉଳ ଓ କିରାସିନି ମିଳୁଥିଲାବେଳେ ଥରେ ବିଜୁଳି ବିଲ୍‌ ଅଧିକ ଆସିଲା ବୋଲି ତାହା ବନ୍ଦ ହୋଇଯାଇଛି। ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି ସେ। ଭଙ୍ଗାଘରେ ଚମକୁଥିବା ଚକା ଜହ୍ନ ଧୀରେଧୀରେ ମଳିନ ହେବାକୁ ବସିଛି। ଅନେକ ଲୋକ ଜିତେନ୍ଦ୍ରଙ୍କୁ ବ୍ୟବହାର କରି ଅର୍ଥ ଉପାର୍ଜନ କରିଛନ୍ତି, କିନ୍ତୁ ତାଙ୍କୁ ତା’ର ପାହୁଲାଟିଏ ବି ଲାଭ ମିଳେ ନାହିଁ ବୋଲି କହିଛନ୍ତି ତାଙ୍କ ଶୁଭଚିନ୍ତକ ନିହାଲ ସିଂହ।

ସମ୍ବନ୍ଧିତ ଖବର