ସମବାୟ ସମିତି କେଳେଙ୍କାରୀ ନେଇ ଗୃହ ଗରମ : ସାହାଣ ମେଲା, ରାମ୍ପି ଖାଇଯାଉଛନ୍ତି

ବାଲେଶ୍ୱର-ଭଦ୍ରକ ବ୍ୟାଙ୍କ ପ୍ରସଙ୍ଗରେ ଗର୍ଜିଲେ
କୋଅପରେସନ୍ ନା କରପସନ୍ କହିଲେ ବିଷ୍ଣୁ
କୋରାପୁଟରେ ଦୁର୍ନୀତିର ଲମ୍ୱା ହିସାବ ଦେଲେ ତାରା
ମନ୍ତ୍ରୀଙ୍କ ଉତ୍ତର, ଦୁର୍ନୀତି ସହିତ ସାଲିସ କରାଯିବ ନାହିଁ

ଭୁବନେଶ୍ୱର : ସମବାୟ ବ୍ୟାଙ୍କ ଦୁର୍ନୀତି ନେଇ ଆଜି ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଅଭିଯୋଗର ପାହାଡ଼ ଠିଆ କରିଥିଲେ। ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ କୋରାପୁଟ କେନ୍ଦ୍ରୀୟ ବ୍ୟାଙ୍କ ଦୁର୍ନୀତି ସଂପର୍କରେ ଗର୍ଜିଥିଲେ ସଭ୍ୟମାନେ। ବିଜେପି ପକ୍ଷରୁ ବିଧାୟକ ଦଳ ଉପନେତା ବିଷ୍ଣୁ େସଠୀ ଅଭିଯୋଗ କରିଥିଲେ, ଦୁର୍ନୀତି ସବୁ ସୀମା ଟପିଯାଇଛି। କିଏ କିଏ ଏହି ବିଭାଗକୁ କରପ୍‍ସନ୍‍ ବିଭାଗ କହିଲେଣି। କଂଗ୍ରେସ ଆଉ ଦି’ ପାଦ ଆଗକୁ ଯାଇ ବର୍ଷିଥିଲା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଥିଲେ, େକାରାପୁଟ ଜିଲ୍ଲାରେ ଏବେ ସାହାଣ ମେଲା ଦୁର୍ନୀତି ଚାଲିଛି । ରାମ୍ପି ଖାଇ ଯାଉଛନ୍ତି ।

ଅନ୍ୟପକ୍ଷରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକମାନଙ୍କ ଅଭିଯୋଗର ପ୍ରତିଟି ଉତ୍ତର ରଖିଥିଲେ। ଗୃହକୁ ଆଶ୍ୱସନା େଦଇଥିଲେ, କୌଣସି ପରିସ୍ଥିତିରେ ଦୁର୍ନୀତି ସହିତ ସାଲିସ କରାଯିବାର ପ୍ରଶ୍ନ ଉଠୁନାହିଁ ।

ସମବାୟ ଦୁର୍ନୀତି ସଂପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ଉପନେତା ଶ୍ରୀ ସେଠୀ କହିଥିଲେ, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାପକ ଜାଲିଆତି ହୋଇଛି। ପ୍ରିୟାପ୍ରୀତିତୋଷଣ ସୀମା ଡେଇଁଛି। ୭୨ ବର୍ଷ ପରେ ସାଧାରଣରେ ଯେଉଁ କଥାଟି ଚର୍ଚ୍ଚା ହେଉଛି, ତାହା ହେଉଛି, କୋ-ଅପରେସନ ବିଭାଗ କରପ୍‍ସନ୍‍ ବିଭାଗରେ ପରିଣତ ହୋଇଛି।

ବିଧାୟକ କହିଥିଲେ, ସେଠାରେ ଥିବା ସମସ୍ତ ୩୭ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଭାତହାଣ୍ଡିରୁ େଗାଟିଏ ଭାତ ଚିପିବା ଭଳି ଏହି ଗୋଟିଏ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ତୃଣମୂଳସ୍ତରରେ ଦୁର୍ନୀତି କିଭଳି ଚରିଯାଇଛି, ଏକଥାରୁ ଯେ କେହି ବୁଝିପାରିବେ। ସବୁ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ବ୍ୟାଙ୍କରେ ଜଣେ ଡ୍ରାଇଭର ଅଛନ୍ତି। ଆଉ ଜଣକୁ ଆଉଟସୋର୍ସିଂରେ ରଖାଯାଇଛି। ତା’ପରେ ବି ସଭାପତି ନିଜର ସଂପର୍କୀୟଙ୍କୁ ଡ୍ରାଇଭର ରଖିଛନ୍ତି। ନିର୍ବାଚନରେ ସେହି ଗାଡ଼ି ବ୍ୟବହାର ହେଉଥିଲା। ୩୬୫ ଦିନ ଯାକ ଟିଏ ଓ ଡିଏ ନେଇଛନ୍ତି ସଭାପତି ଓ ଅନ୍ୟମାନେ। ସଭାପତିଙ୍କର ଭିଜିଟ୍‍ ବୁକ୍‍ ନାହିଁ। ୨୦୧୪ରେ ବ୍ୟାଙ୍କ ଗାଡ଼ି କିଣାଗଲା। କିନ୍ତୁ ଏ ମଧ୍ୟରେ ମରାମତି ବାବଦରେ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯଦି କିଣାଯାଇଥିବା ବଲେରୋ ସ୍ଥିତି ଏମିତି ତେବେ ନୂଆ ଗାଡ଼ି କିଣାଯିବାରେ ଅସୁବିଧା କଣ ଅଛି?

ରମେଶ ଭାରତୀ ସୁରେଶ ଭାରତୀଙ୍କୁ, ଲମ୍ୱୋଦର ଦାସ ଦିବ୍ୟାଭାରତୀଙ୍କୁ, ଦେବ କୁମାର ଦେ ନିହାର ରଂଜନ ଦେଙ୍କୁ, ଏମିତି ପ୍ରତ୍ୟେକ ସଦସ୍ୟ ଓ ସଦସ୍ୟା ନିଜ ସଂପର୍କୀୟଙ୍କୁ ଚାକିରି ଦେଇଥିଲେ। ସଭାପତି ନିଜ ଶାଳୀଙ୍କୁ ଅଡର୍ଲି ରଖିଥିଲେ। ସେ ୮ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଗିରୀଶ ଦାସ ୫ରୁ ୬ ଜଣଙ୍କୁ। ଏହି ନିଯୁକ୍ତିରେ ବ୍ୟାପକ କିକ୍‍ବ୍ୟାକ୍‍ ହୋଇଛି। ୧୨ ହଜାର ଟଙ୍କା ଦରମା ପାଇ ଚାକିରି କରିବା ଲାଗି ଏହି ଡାଟାଏଣ୍ଟ୍ରି ଅପରେଟରମାନେ ୩ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା କୁହାଯାଉଛି। ପ୍ରଶ୍ନ ଉଠୁଛି, କଟକ ଓ ଭୁବନେଶ୍ୱରର ଆଉଟ୍‌ସୋର୍ସିଂ ସଂସ୍ଥାକୁ ନିଯୁକ୍ତି ନ ଦେଇ ରାଉରକେଲାର ଗୋଲଡେନ୍ ସିକ୍ୟୁରିଟି ସଂସ୍ଥାକୁ କାହିଁକି ନିଯୁକ୍ତି ଦିଆଗଲା?ଏହାଦ୍ୱାରା ଅନେକ ଯୋଗ୍ୟ ପ୍ରାର୍ଥୀ ବଞ୍ଚିତ ହୋଇଛନ୍ତି ।

ଶ୍ରୀ ସେଠୀ ଅଭିଯୋଗ କରିଥିଲେ ଯେ ନିଜ ସଂପର୍କୀୟଙ୍କୁ ଚାକିରି ଦେଇଥିଲେ ସଭ୍ୟ ପଦ ରଦ୍ଦ ହେବା କଥା। କିନ୍ତୁ ୨ ବର୍ଷ ହେଲା କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ? ଏହି ବ୍ୟାଙ୍କ ଅଧୀନରେ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏହାକୁ ଭଡ଼ାରେ ଲଗାଇ ଦିଆଯାଇଛି। ହେଲେ ଏ ବାବଦ ଅର୍ଥ କୁଆଡ଼େ ଗଲା? ପଦୋନ୍ନତି ଦିଆଯିବା କ୍ଷେତ୍ରରେ ମଧ୍ୟ ନିୟମକୁ କାନୁନର ଉଲ୍ଲଂଘନ ହୋଇଛି। ସ୍ଥିତି ଏମିତି ହୋଇଥିଲା ଯେ ଗୋଟିଏ ସମୟରେ ଡିଆରସିଏସ୍‍ ଭିଜିଲାନସ ତଦନ୍ତ କରିବା ଲାଗି ଆଗ୍ରହ ଦେଖାଇଥିଲେ।

କେଳେଙ୍କାରୀ ଏତିକିରେ ସୀମିତ ନାହିଁ । ଅବସର ପରେ ରବୀନ୍ଦ୍ର କୁମାର ପୁହାଣ ନାମକ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।। ତାଙ୍କୁ ମାସିକ ୪୦ ହଜାର ଟଙ୍କା ଦିଆଯାଉଛି। କାଳିଆ ଯୋଜନା ପାଇଁ ୮୬ଲକ୍ଷ ୪୪ ହଜାର ଟଙ୍କାର େଫ୍ଲକ୍ସ ଛପାଯାଇଥିଲା। ଏ ବାବଦରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଜେପି ପକ୍ଷରୁ ବିଧାୟକ ମଦନମୋହନ ଦତ୍ତ, ସନାତନ ବିଜୁଳି, ପ୍ରମୁଖ ଆଲୋଚାନରେ ଭାଗ ନେଇଥିଲେ। ଚାଷୀର ପଇସାରେ କିଭଳି କିଛି ଲୋକ ଭୋଗ ବିଳାସରେ ମାତିଛନ୍ତି, ସେ କଥା ବଖାଣିଥିଲେ ।

ସେହିପରି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି କଥା କହିଥିଲେ। ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ ଯେ ଚାଷୀ, ଗରିବ, ଖଟିଖିଆ, ମୁଲିଆଙ୍କ ପଇସାରେ ଯେଉଁ ବ୍ୟାଙ୍କ ହୋଇଛି, ତାକୁ ଦୁର୍ନୀତିଖୋର ଲୁଟିଦେଲେଣି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦୁର୍ନୀତି ଅଡିଟ୍‍ ଧରିଲେ । ୩ କୋଟି ଟଙ୍କାରୁ ଅଧିକ ଟଙ୍କାର େହରଫେର ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ କଲେ। ୩ କୋଟି ୫୮ଲକ୍ଷରୁ ଏହାର ଆକାର ଆଉ ଟିକିଏ ଅଧିକ ହେଲା। କିନ୍ତୁ ତା ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ। ପାପଡାହାଣ୍ଡିରେ ୭୦ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ଏ ନେଇ ଏତଲା ହେଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କିମ୍ୱା କେହି ନିଲମ୍ୱିତ ହେଲେ ନାହିଁ। ଦଶମନ୍ତପୁରରେ ଜଣେ ବ୍ୟକ୍ତି ୭୪ଲକ୍ଷ ଟଙ୍କ ଜମା କଲେ। ରସିଦ୍‍ ପାଇଲେ। ମାତ୍ର ଏହା ଜମା କରାଗଲାନି। ଅଭିଯୋଗ ହେଲା, କାର୍ଯ୍ୟାନୁଷ୍ଠାନ ଶୂନ । ଉମୁରିରେ ବି ସେହିଭଳି ଦୁର୍ନୀତି ହୋଇଛି।

ଶ୍ରୀ ବାହିନୀପତି କହିଥିଲେ, ଜଣେ ଦୁର୍ଗାଦାସ ଅଛନ୍ତି । ସେ ହିଁ ମୁଖ୍ୟ । ତାଙ୍କରି ହାତଲେଖାରେ ସବୁ କେଳେଙ୍କାରୀ ହେଉଛି। ଟିଏ ଡିଏରେ ବ୍ୟାପକ କେଳେଙ୍କାରୀ ହେଉଛି । ସଭାପତିଙ୍କ ଘରଠାରୁ ବ୍ୟାଙ୍କ ଦେଢ଼ କିଲୋମିଟର। ମାତ୍ର ପ୍ରତିଦିନ ୧୧ କିଲୋମିଟର ପଡ଼ି ବିଲ୍‍ ହେଉଛି। କେବେ ବିଶାଖାପାଟଣା ଓ କେବେ ଭୁବନେଶ୍ୱର ଖର୍ଚ୍ଚ ଏଥିରେ ପଡ଼ିଛି। ସବୁଠାରୁ ବଡ଼ କଥା ହେଲା, ସରକାର ଗ୍ରୁପ୍‍ ଋଣ ଦେଉଛନ୍ତି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ଏହାକୁ ଜାଲି କରି ହରିଲୁଟ୍‍ ଚାଲିଛି। ପାଖାପାଖି ୬୦ ପ୍ରତିଶତ ଜାଲ ଗ୍ରୁପ କରି ଅର୍ଥ ନେଇଯାଇଛନ୍ତି। ଏହାର ତଦନ୍ତ ହେବା ଦରକାର। ଦୁର୍ନୀତି ବଢିଯାଇଛି। ସମବାୟ ସମିତି ଏବେ ସାହାଣ ମେଲା। ରାମ୍ପି ଖାଇଯାଉଛନ୍ତି ବୋଲି ଶ୍ରୀ ବାହିନୀପତି ଗର୍ଜିଥିଲେ।

ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଲୋଚନାରେ ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ଅନନ୍ତ ଦାସ ପ୍ରମୁଖ ଭାଗ ନେଇଥିଲେ। ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମତ ରଖିଥିଲେ।

ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ସୁଜିତ ନାୟକ ଓ ଅନ୍ୟ ୭ଜଣ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କରେ ବ୍ୟାପକ ଅନିୟମିିତତା ହୋଇଥିବା ଅଭିଯୋଗ କରିଥିଲେ। ଏହାର ତଦନ୍ତ ଉପନିବନ୍ଧକ ସମବାୟ ସମିତି ସମୂହ କରିଥିଲେ ଓ ଗତ ମେ’ ମାସରେ ତାଙ୍କର ରିପୋର୍ଟ ଦେଇଛନ୍ତି। ପରିଚାଳନା ପରିଷଦ ସଭାପତି, ଉପସଭାପତି ଓ ଅନ୍ୟ ନିର୍ଦେଶକଙ୍କୁ ଟିଏ ଡିଏ, କାଳିଆ ଯୋଜନାର େଫ୍ଲକ୍ସ, ବ୍ୟାନର ଛପାରେ ଅନିୟମିତତା, ବୀମା ଏଜେଣ୍ଟ ନିଯୁକ୍ତି ଅନିୟମିତତା, ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅନିୟମିତତା ଓ ବାର୍ଷିକ ସାଧାରଣ ସଭା ଖର୍ଚ୍ଚ କଥା ରହିଛି।

ହେଲେ ଏହି ରିପୋର୍ଟରେ ସେଭଳି କୌଣସି ଅନିୟମିତତା ଉଲ୍ଲେଖ ନାହିଁ। କେବଳ ୭ ଲକ୍ଷ ୭୦ ହଜାର ୭୦୨ ଟଙ୍କା ଆଦାୟ ପାଇଁ କୁହାଯାଇଛି । ଗତ ଜୁଲାଇ ୧୫ ତାରିଖରେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଅବ୍ୟାହତି ପାଇଁ ନିର୍ଦେଶ ଦିଆଯାଇଛି। ବୀମା ନେଇ ଟେଣ୍ଡର ମାଧ୍ୟମରେ ଯେଉଁ କଂପାନି ଆସିଥିଲା, ତାଙ୍କ ସହ ବ୍ୟାଙ୍କ ଅନୁବନ୍ଧିତ କରିଛନ୍ତି । କାଳିଆ ଯୋଜନାରେ ୧ କୋଟି ୨୧ଲକ୍ଷ ୮୦ ହଜାର ୬୭୭ ଟଙ୍କା ଖର୍ଚ୍ଚ ହୋଇଛି, ଏହାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଅନୁମୋଦନ କରିଥିଲେ। ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ରେ ୧୯ଲକ୍ଷ ୩୧ ହଜାର ୯୦୪ ଟଙ୍କା ଟିଏ ଓ ଡିଏ ବାବଦରେ ଖର୍ଚ୍ଚ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷର ଅଡିଟ୍‍ ହେଉଛି ଓ ଅନିୟମିତତା ଆସିଲେ ତଦନ୍ତ ହେବ।

ମନ୍ତ୍ରୀ ଆହୁରି କହିଥିଲେ ଯେ କୌଣସି ପରିସ୍ଥିତିରେ ବି ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ଟେଣ୍ଡର ମାଧ୍ୟମରେ ଗୋଲଡେନ୍‍ ସିକ୍ୟୁରିଟିକୁ ଡାଟାଏଣ୍ଟ୍ରି ଅପରେଟର ପାଇଁ ନିଯୁକ୍ତି ଦିଆଯାଇଥିଲା। ଘର ଭଡ଼ା ଦିଆଯାଇଥିବା କଥା ସତ୍ୟ ନୁହେଁ। ରବୀନ୍ଦ୍ର ପୁହାଣଙ୍କୁ ଇତିମଧ୍ୟରେ ବିଦା କରାଯାଇସାରିଲାଣି। ହେଲେ ସମବାୟ ବିଭାଗରେ କିନ୍ତୁ ଏବେ ୧୨୦୦ ପୋଷ୍ଟ ଖାଲି ଅଛି। ଏସବୁ ପୂରଣ ପାଇଁ ପଦକ୍ଷେପ ନିଆଯିବ। ବାଲେଶ୍ୱର-ଭଦ୍ରକ ବ୍ୟାଙ୍କ ୩୫୦୦ କୋଟି ଟଙ୍କା ଟଙ୍କା କାରବାର କରୁଛି ଓ ୩୦ କୋଟି ଟଙ୍କା ଲାଭ କରୁଛି । ପାଖାପାଖି ୬ କୋଟି ଟଙ୍କା ଆୟକର ବି ଦେଉଛି । କୋରାପୁଟ ସଂପର୍କରେ ସେ ଅନୁଧ୍ୟାନ କରିଦେଖିବେ ବୋଲି ମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ।

ସମ୍ବନ୍ଧିତ ଖବର