ଗୁଜରାଟ ନିର୍ବାଚନ: ମତଦାନ ପୂର୍ବରୁ ହାର୍ଦ୍ଦିକଙ୍କୁ ଶକ୍ତ ଝଟକା, ପଦରୁ ଇସ୍ତଫା ଦେଲେ ଦିନେଶ

ଅହମଦାବାଦ: ରାତି ପାହିଲେ ଗୁଜରାଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପାଟିଦାର ନେତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶୁକ୍ରବାର ଏକ ଶକ୍ତ ଝଟକା ଲାଗିଛି। ହାର୍ଦ୍ଦିକ ପଟେଲଙ୍କ ଘନିଷ୍ଠ କୁହାଯାଉଥିବା ତଥା ପାଟିଦାର ଅମାନତ ଆନ୍ଦୋଳନ ସମିତିର ସଂଯୋଜକ ଦିନେଶ ବାମନିଆ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବାମନିଆଙ୍କ ପୂର୍ବରୁ ଅନେକ ପାଟିଦାର ନେତା ଦଳ ଛାଡ଼ିଛନ୍ତି।

ଦଳ ଛାଡ଼ିବା ପୂର୍ବରୁ ବାମନିଆ କଂଗ୍ରେସ ଓ ହାର୍ଦ୍ଦିକ ପଟେଲଙ୍କ ମଧ୍ୟରେ ନିର୍ବାଚନ ପାଇଁ ଟିକଟ ଆବଣ୍ଟନକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏଥି ସହିତ କଂଗ୍ରେସ ବିରୋଧରେ ସେ ପ୍ରଦର୍ଶନ କରିଛନ୍ତି। ପାଟିଦାର ଅମାନତ ଆନ୍ଦୋଳନ ସମିତିର ସଂଯୋଜକ ଦିନେଶ ବାମନିଆ ହାର୍ଦ୍ଦିକ ପଟେଲ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହି ସମୟରେ ସେ ହାର୍ଦ୍ଦିକଙ୍କ ସେକ୍ସ ସିଡି ମାମଲା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ବାମନିଆ କହିଛନ୍ତି, ପାଟିଦାର ଆରକ୍ଷଣ ଉପରେ କଂଗ୍ରେସ ଓ ହାର୍ଦ୍ଦିକ ପଟେଲଙ୍କ ସ୍ପଷ୍ଟତା ନାହିଁ। ସେଥିପାଇଁ ଅନେକ ସଂଖ୍ୟାରେ ନେତା ଦଳ ଛାଡ଼ିଛନ୍ତି। କେତନ ପଟେଲ, ଚିରାଗ ପଟେଲ, ବରୁଣ ପଟେଲ ଓ ରେସମା ପଟେଲ ହାର୍ଦ୍ଦିକ ପଟେଲ ଦଳ ଛାଡ଼ିଛନ୍ତି। ହାର୍ଦ୍ଦିକ ପଟେଲ କୋର କମିଟିରେ ବାମନିଆ ସଦସ୍ୟ ଥିଲେ। ହାର୍ଦ୍ଦିକଙ୍କ ସହିତ ତାଙ୍କର ଦେଶଦ୍ରୋହ ମୁକଦ୍ଦମା ଚାଲିଥିଲା।

ଉପରୋକ୍ତ ଘଟଣା ପରେ ଜଣାପଡୁଛି ଯେ, ଗୁଜରାଟ ନିର୍ବାଚନ ହାର୍ଦ୍ଦିକ ପଟେଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ବିଜେପିକୁ ପରାସ୍ତ କରିବା ପାଇଁ ହାର୍ଦ୍ଦିକ ପଟେଲ ପୂର୍ବରୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ଜନସଭା ମାଧ୍ୟମରେ ବିଜେପି ବିରୋଧରେ ହାର୍ଦ୍ଦିକ ପଟେଲ ବୟାନବାଜି କରୁଛନ୍ତି। ବିକଳ୍ପ ରୂପରେ ହର୍ଦ୍ଦିକ ପଟେଲ କଂଗ୍ରେସ ସହିତ ସମ୍ପର୍କରେ ଅଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ନେତାମାନେ ଛାଡ଼ିବା ଚିନ୍ତାଜନକ ବିଷୟ ହୋଇପାରେ। ଏବେ ଦେଖିବାକୁ ରହିଲା ଯେ, ନିର୍ବାଚନରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ କେମିତି ରହୁଛି। ମତଦାତା ତାଙ୍କୁ ଗ୍ରହଣ କରୁଛନ୍ତି ନାଁ ନାହିଁ।

ସମ୍ବନ୍ଧିତ ଖବର