ଯୁବକର ଆକ୍ରମଣରେ ୩ ପୁଲିସ ଅଧିକାରୀ ଆହତ

ଥାନା ଭିତରେ ବି ଅସହାୟ!

ଆଠଗଡ : ଶନିବାର ରାତିରେ ଆଠଗଡ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଥାନା ଭିତରେ ପଶି ଜଣେ ମୁଖା ପିନ୍ଧା ଯୁବକ ଉନ୍ମତ୍ତକାଣ୍ତ କରିଛି। ଯୁବକର ଆକ୍ରମଣରେ ୩ ଜଣ ପୁଲିସ ଆହତ ହୋଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଥିବା ବେଳେ ତାକୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। କିନ୍ତୁ ପୁଲିସ ଥାନା ଭିତରେ ଏଭଳି ଅସହାୟ ହେବା ଏବଂ ଜଣେ ଯୁବକ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିବା ଘଟଣା ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି। ନିଜକୁ ସୁରକ୍ଷିତ ରଖି ପାରୁ ନଥିବା ଏଭଳି ପୁଲିସ ‌ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେବ ବୋଲି ପ୍ରଶ୍ନ ଉଠୁଛି। ଅନ୍ୟପଟେ ସରକାରଙ୍କ ‘୫ଟି କାର୍ଯ୍ୟକ୍ରମ ଯୋଗୁଁ ସେମାନେ ଦୃଢ ପଦକ୍ଷେପ ନେଇ ପାରି ନଥିବା ଭଳି ଥାନା ପକ୍ଷରୁ ବିଚିତ୍ର ସଫେଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଆଠଗଡ ଟାଉନ୍ କଙ୍ଗଡା ସାହିର ରଥ ସିଂଙ୍କ ପୁଅ ବାବୁଲି ସିଂ (୨୮) ଶନିବାର ରାତିରେ ମୁଖା ପିନ୍ଧି ହଠାତ୍ ଥାନା ଭିତରକୁ ପଶି ଯାଇ ଡିସିଓ ଦାୟିତ୍ବରେ ଥିବା ଏଏସଆଇ ଲିଙ୍ଗରାଜ ସିଠଙ୍କ ପାଖରେ ପହଞ୍ଚି ତାଙ୍କ ଗାଲକୁ ମୁଥ ମାରିଥିଲା। ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ ସୁଧାଂଶୁ ଧଳସାମନ୍ତ ଏହାର ବିରୋଧ କରିବାରୁ ଟେବୁଲ୍ ଉପରେ ଥିବା ପେପର ୱେଟକୁ ସେ ଧଳସାମନ୍ତଙ୍କ ମୁହଁକୁ ଫୋପାଡି ଥିଲା। ସେଥିରେ ଧଳସାମନ୍ତଙ୍କ ନାକ ଫାଟିଯାଇଥିଲା। ଉପସ୍ଥିତ ପୁଲିସ କର୍ମଚାରୀ ବାବୁଲିକୁ କାବୁ କରି ଅଭ୍ୟର୍ଥନା ପ୍ରକୋଷ୍ଠକୁ ନେବା ବେଳେ ସେ ଏସଆଇ ସନ୍ତୋଷ ପ୍ରଧାନଙ୍କ ବାମ ହାତକୁ ଏକ ବାଡିରେ ଶକ୍ତ ପାହାର ଦେଇଥିଲା। ପୁଲିସ କହିବା ଅନୁଯାୟୀ ତାକୁ ମାନସିକ ଭିନ୍ନକ୍ଷମ ଭାବି ପରିବାର ଜିମା ଦେବାକୁ ଯୋଜନା କରାଯାଉଥିବା ବେଳେ ସେ ନିଶାସକ୍ତ ବୋଲି ଜଣାପଡ଼ିଥିଲା। ଏଏସଆଇ ଲିଙ୍ଗରାଜ ସିଠ ଆଠଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନାରେ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିଲା। ତା’ ବିରୋଧରେ ଦଫା ୩୪୧, ୩୨୩, ୩୨୫, ୩୩୨, ୩୩୩, ୩୯୪, ୩୦୭, ୫୦୬ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର