ଅତିକ୍ରାନ୍ତ ସମୟ

ଜଳବାୟୁ ପରିବର୍ତ୍ତନକୁ କାବୁ କରିବାରେ ସରକାରମାନଙ୍କର ଭୂମିକା ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଏଥିରୁ ଗୋଟିଏ ଛାମୁହାଁ ହେଲା ଲୋକମାନଙ୍କ ଉପରେ ଏହାର ପ୍ରଭାବ। ଉଦାହରଣ ସ୍ବରୂପ ସରକାର ତାପନ ନିୟନ୍ତ୍ରଣ ନିମିତ୍ତ ଏକ ଲକ୍ଷ୍ୟ ବା ଟାର୍ଗେଟ୍‌ ନିର୍ଦ୍ଧାରଣ କରିପାରନ୍ତି, ଯେମିତି ୨୦୧୫ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ବିଶ୍ବ ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ତର ଠାରୁ ୧.୫-୨ ଡିଗ୍ରି ସେଲ୍‌ସିଅସ୍‌ ଶତା˚ଶ ଅଧିକ ସୀମା ମଧୢରେ ଅଟକାଇ ରଖିବା ପାଇଁ ସମସ୍ତ ସଦସ୍ୟ ଦେଶମାନେ ଏକମତ ହୋଇ ଅଙ୍ଗୀକାରବଦ୍ଧ ହୋଇଥିଲେ। ଅର୍ଥନୀତିର ମୌଳିକ ନିୟମ ଅନୁସାରେ ଲୋକମାନେ ଯଦି ସରକାରଙ୍କର ଏଭଳି ନିଷ୍ପତ୍ତିକୁ ପୂର୍ଣ୍ଣମାତ୍ରାରେ ବିଶ୍ବାସ କରିବେ, ତେବେ ସେମାନେ ସର୍ବନିମ୍ନ ଅଙ୍ଗାର ସୃଷ୍ଟିକାରୀ ପ୍ରବିଧି ଓ ଭିତ୍ତିଭୂମି ଆଦିରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ଲାଗିବେ- ଯେମିତି ବିଦ୍ୟୁତଚାଳିତ ଗାଡ଼ି କିମ୍ବା ଜୁଆର ଶକ୍ତି କିମ୍ବା ସୌର ଶକ୍ତି ଆଦି। ସେମାନେ ପରିବେଶ ସୁରକ୍ଷା ଭଳି ମହତ୍‌ ଲକ୍ଷ୍ୟ ଦ୍ବାରା ଅନୁପ୍ରାଣିତ ହୋଇ ଏଭଳି ଅର୍ଥନୈତିକ ପଦକ୍ଷେପ ନିଅନ୍ତି ନାହିଁ; ଯେ କୌଣସି ଅର୍ଥନୈତିକ ପ୍ରାଣୀ ଭଳି ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଲାଭ ଅର୍ଜ୍ଜନ। କିନ୍ତୁ ସେମାନେ ଲାଭ କରିବା ସଙ୍ଗେ ସଙ୍ଗେ ସରକାର ଧାର୍ଯ୍ୟ କରିଥିବା ଜଳବାୟୁ ପରିବର୍ତ୍ତନ ବା ଉତ୍ତାପ ନିୟନ୍ତ୍ରଣ ଲକ୍ଷ୍ୟ ପୂରଣ ଦିଗରେ ଏହାଦ୍ବାରା ସହାୟକ ହୋଇଥାନ୍ତି। ଅସଲ କଥା ହେଲା ଉଦ୍ୟୋଗୀ, ନିବେଶକରୁ ଖାଉଟି ମାନଙ୍କ ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତିକୁ ବିଶ୍ବାସ ଓ ଭରସା କରିବା ଦରକାର। ଏଥିରେ କୌଣସି ପ୍ରକାର ଅନିଶ୍ଚିତତା ସେମାନଙ୍କୁ ନିଜର ପୂର୍ବର ଆଚରଣ ବଦଳାଇବା ପାଇଁ ନିରୁତ୍ସାହିତ କରିଥାଏ, ଯାହା ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣକୁ ଦୁରୂହ କରି ବସ୍ତୁତଃ ମରୀଚିକାରେ ପରିଣତ କରି ଦେଇଥାଏ।

ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ଠାରେ ସଦ୍ୟ ସମାପ୍ତ ବିଶ୍ବ ଜଳବାୟୁ ସମ୍ମିଳନୀ (କପ୍‌-୨୫)ର ପରିଣତି ବସ୍ତୁତଃ ଏହାହିଁ ହୋଇଛି ବୋଲି କୁହାଯାଇପାରେ। ଏହି ପଞ୍ଚବି˚ଶ ଜଳବାୟୁ ସମ୍ମିଳନୀର ସ୍ଲୋଗାନ୍‌ ଥିଲା: ‘‘ଟିଏମ୍ପୋ ଡି ଆକ୍‌ଚୁଆର୍‌’’, ବା ‘‘କାର୍ଯ୍ୟାନୁଷ୍ଠାନର ସମୟ’’। ଏହି ସ୍ଲୋଗାନ୍‌ ସହିତ ଖାପ ଖାଉଥିବା ଛବି ବା ଲୋଗୋ ଥିଲା ୧୨ଟା ବାଜିବାକୁ ୧୫ ମିନିଟ୍‌ ବାକି ଥିବା ସମୟ ପ୍ରଦର୍ଶନ କରୁଥିବା ଏକ ଘଡ଼ିର। ଶୁକ୍ରବାର ଥିଲା ସମ୍ମିଳନୀ ପାଇଁ ଧାର୍ଯ୍ୟ ହୋଇଥିବା ଶେଷଦିନ। କିନ୍ତୁ ଏକ ବିଡ଼ମ୍ବନା ଭଳି ଶୁକ୍ରବାର ଅତିକ୍ରମ କରି ଶନିବାର ରାତି ୧୨ ବାଜିବାକୁ ୧୫ ମିନିଟ୍‌ ଟପିଯିବା ପରେ ମଧୢ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କରିବା ଦିଗରେ ସମ୍ମିଳନୀରେ କୌଣସି ଦୃଢ଼ ନିଷ୍ପତ୍ତି ନିଆଯାଇ ପାରିଲା ନାହିଁ। ଶେଷରେ ପାଖାପାଖି ଦୁଇ ଦିନ ଅଧିକ କାଳ ଅତିକ୍ରାନ୍ତ ହେବା ପରେ ରବିବାର ଦିନ କପ୍‌-୨୫ରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଗଲା ତାହା ସରକାରମାନଙ୍କର ଅଙ୍ଗାର ନିର୍ଗମନ ହ୍ରାସ ପାଇଁ ପ୍ରଦତ୍ତ ପ୍ରତିଶ୍ରୁତିର ଦୁର୍ବଳତାକୁ ଯେଉଁଭଳି ପ୍ରଦର୍ଶିତ କରିଥାଏ, ଏକ ନୂତନ ଆନ୍ତର୍ଜାତିକ ଅଙ୍ଗାର ବଜାର ପ୍ରତିଷ୍ଠା ପାଇଁ ଆବଶ୍ୟକ ନିୟନ୍ତ୍ରଣ ମାନ ନିର୍ଦ୍ଧାରଣ ଚୂଡ଼ାନ୍ତ କରିବା ପାଇଁ ଆବଶ୍ୟକ ନିଷ୍ପତ୍ତିକୁ ଆସନ୍ତା ବର୍ଷକୁ ସ୍ଥଗିତ କରାଯିବା କଥାରୁ ଏଥିପ୍ରତି ସରକାରମାନଙ୍କର ଦୁର୍ବଳ ନିଷ୍ଠାକୁ ମଧୢ ସେଇଭଳି ଅନାବୃତ କରିଥାଏ। ଆଶା କରାଯାଉଥିବା ଭଳି ସରକାରମାନଙ୍କର ଏଭଳି ଟାଳଟୁଳ ନୀତି ଜଳବାୟୁ ଆନ୍ଦୋଳନକାରୀମାନଙ୍କର କ୍ରୋଧ ନିଆଁରେ ଘିଅ ଢାଳିଥିଲା ଏବ˚ ସେମାନେ ଗତ ପ୍ରାୟ ବର୍ଷେକାଳ ଯେପରି ପୃଥିବୀର ବିଭିନ୍ନ ଦେଶରେ ବିଦ୍ୟାଳୟରୁୁ ସହର ପର୍ଯ୍ୟନ୍ତରେ ପ୍ରଦର୍ଶନ କରିଛନ୍ତି, ସେଇଭଳି ବିକ୍ଷୋଭ ପ୍ରଦର୍ଶନ କରି ସମ୍ମିଳନୀରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।
୨୦୧୫ର ପ୍ୟାରିସ୍‌ ରାଜିନାମା ପରଠାରୁ (ଆମେରିକା ଏଥରୁ ଓହରି ଯିବାକୁ ନିଷ୍ପତ୍ତି ନେଇସାରିଛି) ଅଙ୍ଗାର ନିର୍ଗମନ ଓ ବିଶ୍ବତାପନରେ ବୃଦ୍ଧି ଅବ୍ୟାହତ ରହିଛି। ଏହି ସମୟ ମଧୢରେ ଘଟିଥିବା ଭୟଙ୍କର ବାତ୍ୟା, ତାପପ୍ରବାହ, ଅଗ୍ନିକାଣ୍ତ ଆଦି ଏହାର ପରିଣାମ ବୋଲି ବିଶ୍ବାସ କରାଯାଉଛି। ଡିସେମ୍ବର ୪ ତାରିଖରେ ପ୍ରକାଶିତ ସଦ୍ୟତମ ବିଶ୍ବ ନିର୍ଗମନ ଆକଳନ ଅନୁସାରେ ଯଦି ବର୍ତ୍ତମାନର ନିର୍ଗମନ ହାର ଅବ୍ୟାହତ ରହେ, ତେବେ ଏଥିରୁ ବାହାରୁଥିବା ତାପ ବୃଦ୍ଧିକାରୀ ବାଷ୍ପ ବା ‘ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌’ ମାନଙ୍କ ଉପସ୍ଥିତି ବୃଦ୍ଧି ଯୋଗୁଁ ଆଉ ମାତ୍ର ଦଶ ବର୍ଷ ମଧୢରେ ପୃଥିବୀର ତାପମାତ୍ରାରେ ଆଉ ୧.୫ ଡିଗ୍ରି ସେଲ୍‌ସିଅସ୍‌ ବୃଦ୍ଧି ଘଟିବ, ଯାହା ହେଉଛି ପ୍ୟାରିସ୍‌ ଚୁକ୍ତିରେ ଧାର୍ଯ୍ୟ ହୋଇଥିବା ସର୍ବୋଚ୍ଚ ସୀମା। ଏହାପରେ ଆମେ ଏହି ସର୍ବୋଚ୍ଚ ନିରାପତ୍ତା ସୀମା ଅତିକ୍ରମ କରି ଯେତେବେଳେ ଆହୁରି ନିର୍ଗମନ ବୃଦ୍ଧି କରି ଚାଲିବା, ସେତେବେଳେ ବା˚ଲାଦେଶ ବା ଆମେରିକାର ପୂର୍ବ ଉପକୂଳ ସମୁଦ୍ର ଗର୍ଭରେ ବିଲୀନ ହେବା ସଙ୍ଗେ ସଙ୍ଗେ ଭୂମଧୢସାଗରୀୟ ଅଞ୍ଚଳ ମରୁଡ଼ିଗ୍ରସ୍ତ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଉଛନ୍ତି।

ସେଇଥିପାଇଁ ହିଁ ନିର୍ଗମନ ହ୍ରାସକୁ ଦ୍ରୁତତର କରିବା ପାଇଁ କଠୋର ନିଷ୍ପତ୍ତି ନେବା ଉଦ୍ଦେଶ୍ୟରେ ମାଡ୍ରିଡ୍‌ ଠାରେ ପ୍ରାୟ ୨୦୦ ସରିକି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ମିଳିତ ହୋଇଥିଲେ। ଦେଶ ଦେଶ ମଧୢରେ ସେଠାରେ ଦେଖା ଦେଇଥିବା ବିଭିନ୍ନ ଅସହମତି ମଧୢରୁ ଗୋଟିଏ ଥିଲା ଭାରତ ଭଳି ବିକାଶଶୀଳ ଦେଶମାନଙ୍କର ସ୍ବାର୍ଥରକ୍ଷାକୁ କେନ୍ଦ୍ର କରି। ପୃଥିବୀର ସ˚ଖ୍ୟାବହୁଳ ସ୍ବଳ୍ପବିକଶିତ ଦେଶମାନଙ୍କର ଅଙ୍ଗାର ନିର୍ଗମନ ପ୍ରତି ଅବଦାନ ଇତିହାସ ସାରା ନଗଣ୍ୟ ହୋଇ ଆସିଥିଲେ ହେଁ ସେମାନେ ହିଁ ଏଥିରୁ ପ୍ରସ୍ତୁତ ପ୍ରାକୃତିକ ବିପର୍ଯ୍ୟୟମାନ ଦ୍ବାରା ବହୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। କହିବାକୁ ଗଲେ ଧନୀ ଦେଶମାନଙ୍କର ନିର୍ଗମନ ଯୋଗୁଁ ସୃଷ୍ଟି ହୋଇଥିବା ବ୍ୟାଧି ଗରିବ ଦେଶମାନଙ୍କୁ ଅଧିକ ଆକ୍ରାନ୍ତ କରିଥାଏ। ଏହାର ଚିକିତ୍ସା, ଅର୍ଥାତ୍‌ ଏଭଳି କ୍ଷୟକ୍ଷତି ଭରଣା ପାଇଁ ଗରିବ ଦେଶମାନଙ୍କୁ ରୋଗ ସୃଷ୍ଟିକାରୀ ଧନୀ ଦେଶମାନେ ମୁକ୍ତ ହସ୍ତରେ ସମ୍ବଳ ଯୋଗାଇବା ପାଇଁ ମାଡ୍ରିଡ୍‌ ଠାରେ ହୋଇଥିବା ଦାବିକୁ ଧନୀ ଦେଶମାନେ ଗ୍ରହଣ କରିବାକୁ ରାଜି ହୋଇନଥିଲେ। ସମସ୍ୟାର ମୁକାବିଲାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବା ଦ୍ବାରା ସମସ୍ୟାର ଜଟିଳତା ହ୍ରାସ ପାଇବା ପରିବର୍ତ୍ତେ ଯେ ବୃଦ୍ଧି ପାଇବା ନିଶ୍ଚିତ ତାହା ସେମାନେ ହୃଦୟଙ୍ଗମ କଲାଭଳି ମନେ ହେଉନାହିଁ।

ସମ୍ବନ୍ଧିତ ଖବର