ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ମାର୍ଚ ୨ରେ ସରିବ

କଟକ: ଆଗାମୀ ଫେବ୍ରୁଆରି୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାଯାଇଛି। ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୨ ତାରିଖ ଯାଏଁ ଚାଲିବ ବୋଲି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ୧୯ ତାରିଖରେ ପ୍ରଥମ ଭାଷା, ୨୨ ତାରିଖରେ ଦ୍ବିତୀୟ ଭାଷା, ୨୪ ତାରିଖରେ ତୃତୀୟ ଭାଷା, ୨୬ ତାରିଖରେ ଗଣିତ ପରୀକ୍ଷା ହେବ | ଠିକ୍ ସେହିପରି ୨୮ ତାରିଖରେ ସାଧାରଣ ବିଜ୍ଞାନ ଓ ମାର୍ଚ ୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ | ମାର୍ଚ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ପ୍ରତିଦିନ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ଣ ୧୨ଟା ୩୦ରେ ସରିବ । ମାତ୍ର ଗଣିତ ପରୀକ୍ଷା ପାଇଁ ପିଲାଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ ବୋଲି ସୂଚନା ଦେଇଛି ବୋର୍ଡ।

ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ ପାଇଁ ନକ୍‌ସା ତିଆରି ହୋଇଥିବା ଜଣାଯାଇଛି।

ଏଥର  ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଏକ ଡିଜିଟାଲ କୋଡ ଖଞ୍ଜାଯାଉଛି । ପ୍ରଶ୍ନ ପତ୍ରର ଜେରକ୍ସ କଲେ କିମ୍ବା ଫଟୋ ଉଠାଇ ଭାଇରାଲ କରିବାକୁ ଉଦ୍ୟମ କଲେ ତାହା ସଙ୍ଗେ ସଙ୍ଗେ ଆଡମିନଙ୍କୁ ଜଣାପଡିଯିବ । ଏହା ମାଧ୍ୟମରେ କପି ରୋକାଯାଇପାରିବ ବୋଲି କହିଛି ବୋର୍ଡ।

ସମ୍ବନ୍ଧିତ ଖବର