ଡାଇମଣ୍ଡ ପ୍ରିନସେସରେ ଥିବା ଆଉ ୨ ଭାରତୀୟ କରୋନା ଭାଇରସ ସଂକ୍ରମିତ, ମୋଟ ସଂଖ୍ୟା ୫ରେ ପହଞ୍ଚିଲା 

ଟୋକିଓ : ଜାପାନର ୟାକାହାମା ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଆଉ ଦୁଇଜଣ ଭାରତୀୟଙ୍କ ଶରୀରରେ ମାରାତ୍ମକ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଜାହାଜରେ ଥିବା ମୋଟ ୫ ଜଣ ଭାରତୀୟଙ୍କଠାରେ ଏହା ଚିହ୍ନଟ ହେଲାଣି ।  ଏହି ଦୁଇଜଣଙ୍କୁ ମିଶାଇ ଜାହାଜରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂଥ୍ୟା ୩୫୫ରେ ପହଞ୍ଚିଲାଣି । ଏହି ସଂକ୍ରମିତ ବ୍ୟକ୍ତି ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଜାହାଜରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି । ଗତ କାଲି ଆମରିକା ଏଥିରେ ଥିବା ନିଜର ପ୍ରାୟ ୩୮୦ ଜଣ ନାଗରିକଙ୍କୁ ଉଦ୍ଧାର କରିବା ବିଷୟରେ ଘୋଷଣା କରିଥିଲା ।

ଗତକାଲି ଜାପାନ ସରକାର ଘୋଷଣା କରିଥିଲେ ଯେ ୧୭ ତାରିଖଠାରୁ ଯାତ୍ରୀମାନଙ୍କର ଚୂଡ଼ାନ୍ତ ରକ୍ତ ପରୀକ୍ଷା କରାଯିବ ଓ ସୁସ୍ଥ ବ୍ୟକ୍ତିମାନଙ୍କୁ ନିଜ ନିଜ ଦେଶକୁ ଯିବାକୁ ଅନୁମତି ଦିଆଯିବ ।  ସୂଚନାଯୋଗ୍ୟ ଯେ, ପ୍ରାୟ ୧୪ ଦିନ ପୂର୍ବେ ଏହି ବିଳାସମୟ ଜାହାଜଟି ଜାପାନର ୟାକାହାମା ଉପକୂଳରେ ଲାଗିଥିଲା । କରୋନା ଭାଇରସ ସଂକ୍ରମଣ କାରଣରୁ ଏହି ଜାହାଜକୁ  ଜାପାନ ସରକାର ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଓ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଦେଉନାହାନ୍ତି । ଏଥିରେ ଯାତ୍ରା କରି ହଂକଂରେ ଓହ୍ଲାଇଯାଇଥିବା ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଯାତ୍ରୀମାନଙ୍କ ଶରୀରକୁ ସଂକ୍ରମଣ ବ୍ୟାପିଥିବା  ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର