ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ଦୃଶ୍ୟ : ଦିନରେ ଅଣ୍ଡା ଦେଉଛନ୍ତି ଅଲିଭ୍ ରିଡ଼୍‌ଲେ, ଦୁଇଦିନରେ ୯୯ହଜାର ୭୭ କଇଁଛଙ୍କ ଅଣ୍ଡାଦାନ

ବ୍ରହ୍ମପୁର : ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ଚଳିତବର୍ଷ ଦେଖିବାକୁ ମିଳିଛି ବିରଳ ଘଟଣା। ସାଧାରଣତଃ ଅଲିଭ୍‌ ରିଡ଼୍‌ଲେ କଇଁଛ ରାତିରେ ଆସି ଗଣଅଣ୍ଡଦାନ କରିଥାନ୍ତି। କିନ୍ତୁ ଚଳିତବର୍ଷ ସହସ୍ରାଧିକ କଇଁଛ ଦିନରେ ଆସି ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି। ପ୍ରତିକୂଳ ପାଗ ଓ ଅନିୟନ୍ତ୍ରିତ ତାପମାତ୍ରା ଆଦିକୁ ଖାତିର୍ ନ କରି କଇଁଛ ମାନେ ଗତ ଦୁଇ ଦିନ ହେଲା ଦିନରେ ଅଣ୍ଡାଦାନ କରିଛନ୍ତି। ନୂଆ ପୋଡ଼ମ୍‌ପେଟା ଠାରୁ ପୁରୁଣାବନ୍ଧ ମଧ୍ୟରେ ୩ କିମି ବ୍ୟାପୀ ବେଳାଭୂମିରେ ଏହି ଗଣଅଣ୍ଡାଦାନ ହୋଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୁଇ ଦିନରେ ୯୯ହଜାର ୭୭ ଅଲିଭ୍‌ ରିଡ଼୍‌ଲେ ଅଣ୍ଡାଦାନ କରିଥିବା ଜଣାପଡ଼ିଛି।

୨୦୧୩ ମସିହାରେ ଗଣଅଣ୍ଡାଦାନ ଋତୁ ଶେଷର ୧୫ ଦିନ ବି କିଛି କଇଁଛ ଦିନରେ ଆସି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥିଲା। ୭ବର୍ଷ ପରେ ଏହାର ପୁନରାବୃତ୍ତି ହୋଇଛି। ନଭେମ୍ବର ୧ତାରିଖରୁ ଆରମ୍ଭ ହୋଇଛି ଅଲିଭ୍‌ ରିଡ଼୍‌ଲେଙ୍କ ଅଣ୍ଡାଦାନ ଋତୁ। ଗଞ୍ଜାମର ଋଷିକୁଲ୍ୟା ମୁହାଣରେ ସାଧାରଣତଃ ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ଗଣଅଣ୍ଡାଦାନ ହୋଇଥାଏ। ହେଲେ ଗତବର୍ଷ ଅନିୟମିତ ବର୍ଷା ସାଙ୍ଗକୁ ପ୍ରତିକୂଳ ପାଗ କାରଣରୁ ଗଣଅଣ୍ଡାଦାନ ବ୍ୟାହତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରତିକୂଳ ପାଗ ଗଣଅଣ୍ଡାଦାନରେ ବାଧା ସୃଷ୍ଟି କରିଥିଲା। ଅନିୟମିତ ବର୍ଷା ଓ ଦକ୍ଷିଣାପବନରେ ବ୍ୟତିକ୍ରମ କାରଣରୁ ଅଣ୍ଡାଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ପ୍ରୟାଗୀ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମିରେ କାଁ ଭାଁ ‌କଇଁଛ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥିଲା।

ଚଳିତବର୍ଷ ନଭେମ୍ବର ୧ତାରିଖ ଠାରୁ ଗତ ୨୦ତାରିଖ ସୁଦ୍ଧା ସମୁଦାୟ ୩୩୮ଟି କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ। କିନ୍ତୁ ଗତ ୧୫ତାରିଖରୁ ଚଳିତବର୍ଷର ଗଣଅଣ୍ଡାଦାନର ସଙ୍କେତ ମିଳି ସାରିଥିଲା। ଗତ ୧୫ ତାରିଖ‌ରେ ୫୪ଟି, ୧୬ ତାରିଖରେ ୫୬ଟି, ୧୭ ତାରିଖରେ ୩୮ଟି ଓ ୧୯ ତାରିଖରେ ୨୬ଟି ଅଲିଭ୍‌ ରିଡ଼୍‌ଲେ ଅଣ୍ଡା ଦେଇଥିଲେ। ଗତ ୨୦ ତାରିଖ ‌ଭୋର୍ ୩ଟା ୧୦ରେ ନୂଆ ପୋଡ଼ମ୍‌ପେଟା ଠାରୁ ପୁରୁଣାବନ୍ଧ ୩ କିମି ବେଳାଭୂମିରେ ୨ହଜାର ୩୪ ଅଲିଭ ରିଡ଼୍‌ଲେ ଆସି ଅଣ୍ଡାଦାନ କରିଥିଲେ। କିନ୍ତୁ ଗତକାଲି ଅପରାହ୍‌ଣ ୨ଟାରେ ହଠାତ୍ କଇଁଛ ବେଳାଭୂମିକୁ ଆସି ଅଣ୍ଡାଦାନ କରିଥିଲେ। ୨୦ ତାରିଖ ଓ ୨୧ତାରିଖ ମଧ୍ୟରେ ସମୁଦାୟ ୪୮ହଜାର ୮୬୧ଟି କଇଁଛ ଅଣ୍ଡା ଦେଇଛନ୍ତି। ୨୧ତାରିଖ ରାତି ତମାମ୍‌ ୫୦ ୧୬୬ଟି କଇଁଛ ଅଣ୍ଡା ଦେଇଛନ୍ତି। ଗତକାଲି ଅପରାହ୍‌ଣ ୩ଟା ଠାରୁ ପୁଣି ଅଲିଭ ରିଡ଼୍‌ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରୟାଗୀ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ନୂଆପୋଡ଼ମ୍‌ପେଟା ଠାରୁ ପୁରୁଣାବନ୍ଧ ମଧ୍ୟରେ ପୁଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୫କିଲୋମିଟର ବ୍ୟାପୀ ବେଳାଭୂମିକୁ ୧୦ଟି ସେକ୍ଟର୍‌ରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟର୍‌ ଲାଗି ଜଣେ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନେ ପାଳି କରି ୨୪ ଘଣ୍ଟିଆ ପଇଁତରା ଦେଉଛନ୍ତି। ସେହିପରି ଗୋଖରକୁଦାରେ ବନବିଭାଗ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି।

ସମ୍ବନ୍ଧିତ ଖବର