କରୋନା ପାଇଁ ୧୫ ହଜାର କୋଟିର ଜରୁରୀକାଳୀନ ପାଣ୍ଠି

୫ ବର୍ଷ ଅବଧିର କେନ୍ଦ୍ରୀୟ ସ୍କିମ୍ ଘୋଷଣା, ତିନି ପର୍ଯ୍ୟାୟରେ ଦିଆଯିବ ଅର୍ଥ

ନୂଆଦିଲ୍ଲୀ : କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଥିବା ଭାରତ ସରକାର ୧୫ ହଜାର କୋଟି ଟଙ୍କାର ଏକ କୋଭିଡ୍‌-୧୯ ଜରୁରୀକାଳୀନ ପାଣ୍ଠି ବିଷୟରେ ଆଜି ଘୋଷଣା କରିଛନ୍ତି। ଏହା ହେଉଛି ପାଞ୍ଚ ବର୍ଷ ଅବଧିର ଏକ ଶତ ପ୍ରତିଶତ କେନ୍ଦ୍ରୀୟ ସ୍କିମ୍। ଜାତୀୟ ଓ ରାଜ୍ୟ ସ୍ତ‌ରରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ହେଉଛି ଏହି ପାଣ୍ଠିର ମୂଳ ଲକ୍ଷ୍ୟ।

ଏହି ସ୍କିମ୍‌ର ନାମ ହେଉଛି କୋଭିଡ୍‌-୧୯ ଜରୁରୀକାଳୀନ ପ୍ରଶମନ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ୍; ଯାହାକୁ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟ ୨୦୨୦ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ, ଦ୍ବିତୀୟ ପର୍ଯ୍ୟାୟ ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ ପଯ୍ୟନ୍ତ ଓ ତୃତୀୟ ପର୍ଯ୍ୟାୟର ସମୟ ସୀମା ହେଉଛି ୨୦୨୧ ଏପ୍ରିଲ୍‌ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ। ଏହି ପାଣ୍ଠିର ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଭାଗ କରାଯିବ। ଏହି ପାଣ୍ଠିର ଅର୍ଥକୁ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍‌ ନିର୍ମାଣ କରିବା, ଆଇସିୟୁ ସ୍ଥାପନ କରିବା ଏବଂ ମେଡିକାଲ୍ କେନ୍ଦ୍ରଗୁଡ଼ିକୁ ଅମ୍ଳଜାନ ଯୋଗାଇ ଦେବାରେ ବ୍ୟୟ କରାଯିବ।

ଜାତୀୟ ସ୍ବାସ୍ଥ୍ୟ ମିସନ ତରଫରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, କୋଭିଡ୍‌-୧୯ର ପ୍ରତିରୋଧ ଓ ମୁକାବିଲା ଲାଗି ପ୍ରସ୍ତୁତି, ଆବଶ୍ୟକ ମେଡିକାଲ ଉପକରଣ ମଗାଇବା, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା, ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ପରୀକ୍ଷାଗାର ଓ ଜୈବ ନିରାପତ୍ତା ପ୍ରସ୍ତୁତି ପାଇଁ ଜାତୀୟ ଓ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି କୋଭିଡ୍‌-୧୯ ଜରୁରୀକାଳୀନ ପାଣ୍ଠି ସ୍ଥାପନ କରାଯାଇଛି। ଏହି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲ୍, ସରକାରୀ ଆମ୍ବୁଲାନ୍ସକୁ ଜୀବାଣୁମୁକ୍ତ କରିବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଓ ଏନ୍‌-୯୫ ମାସ୍କ କିଣିବା ବାବଦରେ ପାଣ୍ଠିରୁ ଜାରି କରାଯିବାକୁ ଥିବା ଅର୍ଥ ବ୍ୟୟ କରାଯିବ।

କରୋନା ମୁକାବିଲା ଲାଗି ଏହା ପୂର୍ବରୁ ବିଶ୍ବବ୍ୟାଙ୍କ ତରଫରୁ ଭାରତକୁ ୧ ବିଲିଅନ ଡଲାରର ଜରୁରୀକାଳୀନ ପାଣ୍ଠି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଏହି ଭୂତାଣୁ ମୁକାବିଲାରେ ରାଜ୍ୟଗୁଡ଼ିକୁ ସଶକ୍ତ କରିବା ଲାଗି ଗତ ସପ୍ତାହରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୧୧,୦୯୨ କୋଟି ଟଙ୍କା ଦେଇଛନ୍ତି। ଏହି ବିଶ୍ବ ମହାମାରୀର ମୁକାବିଲା ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କେୟାରସ୍‌ ପାଣ୍ଠି ଗଠନ କରିଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରିବା ଲାଗି ଜନସାଧାରଣ ଓ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ସାଂସଦ ଅନୁଦାନ ପାଣ୍ଠିକୁ ଦୁଇ ବର୍ଷ ସ୍ଥଗିତ ରଖାଯାଇ ସେହି ଅର୍ଥକୁ ମଧ୍ୟ କରୋନା ମୁକାବିଲାରେ ଖର୍ଚ୍ଚ କରିବାକୁ ଘୋଷଣା କରାଯାଇଛି। ମନ୍ତ୍ରୀ ଓ ସାଂସଦମାନଙ୍କ ବେତନରେ ୩୦% ହ୍ରାସ ଘୋଷଣା କରାଯାଇଛି। ରାଜ୍ୟଗୁଡ଼ିକ ବରିଷ୍ଠ ଅଧିକାରୀମାନଙ୍କ ଦରମା କମ୍ କରୁଥିବା ବେଳେ ଋଣ ସୀମାକୁ ବଢ଼ାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର