୧୦ % ବୟସ୍କ ବ୍ୟକ୍ତିଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ

ରାଜ୍ୟରେ ଶିଶୁମାନେ କରୋନାରୁ ମୁକ୍ତ ବୋଲି କହିହେବ ନାହିଁ

ଭୁବନେଶ୍ବର : ଓଡ଼ିଶାର ‌ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଅଧିକ। ଅର୍ଥାତ୍‌ ପ୍ରାୟ ୪୫ଲକ୍ଷ ବୟସ୍କ ଲୋକ ଅଛନ୍ତି ରାଜ୍ୟରେ। ଅନ୍ୟ ଦେଶଗୁଡ଼ିକରେ କରୋନା ଜନିତ ହେଉଥିବା ମୃତ୍ୟୁରେ ବୟସ୍କ ଲୋକମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି। ତେଣୁ ଘରେ ଥିବା ବୟସ୍କ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ସମସ୍ତର କାର୍ଯ୍ୟ ବୋଲି କହିଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଅନ୍ୟ ଦେଶଗୁଡ଼ିକରେ କ‌ରୋନା ସଂକ୍ରମିତ ପ୍ରତି ୧ହଜାର ଲୋକଙ୍କ ମଧ୍ୟରେ ୪୦-୫୦ ବୟସର ୩ଜଣ ପ୍ରାଣ ହରାଉଥିବା ବେଳେ ୫୦-୬୦ ବୟସର ୧୨.୫ ଲୋକ, ୬୦ବୟସରୁ ଅଧିକ ୪୦, ୭୦-୮୦ ବୟସରେ ୮୬ଜଣ ଓ ୮୦ରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ ୧୩୪ଜଣ ପ୍ରାଣ ହରାଇଥାନ୍ତି। ବୟସ୍କଙ୍କ କ୍ଷେତ୍ରରେ କରୋନା ଘାତକ ସାବ୍ୟସ୍ତ ହେଉଥିବା ଏଇଥିରୁ ପ୍ରମାଣିତ ହେଉଛି। ଗତକାଲି ରାଜ୍ୟରେ ୭୦ ଓ ୮୦ବୟସର ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ଘରୁ କୁଆଡ଼େ ଯାଇ ନ ଥିଲେ, ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେଣୁ ଘରର ଅନ୍ୟ ବ୍ୟକ୍ତି ବାହାରୁ କରୋନା ସଂକ୍ରମିତ ହୋଇ ଆସିବା ଫଳରେ ଘରର ବୟସ୍କ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

୬୦ ବର୍ଷରୁ ଅଧିକ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସାଧାରଣ ଭାବେ କମ୍ ରହିଥିଲା। ୭୦ରୁ ଅଧିକ ବୟସ୍କ ଲୋକଙ୍କ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଦେଖାଦେବା ସ୍ବାଭାବିକ। ସେହିପରି ବିକାଶଶୀଳ ଦେଶଗୁଡ଼ିକରେ ଶିଶୁମାନଙ୍କ କ୍ଷେତ୍ରରେ କରୋନାଜନିତ ସଂକ୍ରମଣ କମ୍ ରହିଛି। ସେସବୁ ରାଷ୍ଟ୍ରର ଶିଶୁମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଅଧିକ ଥାଇପାରେ ବୋଲି କୁହାଯାଇପାରେ। ମାତ୍ର ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଏହାକୁ ସମାନ ‌ଭାବେ ଦେଖା ଯାଇପାରିବ ନାହିଁ। ଭାରତରେ ଶିଶୁ ସ୍ବାସ୍ଥ୍ୟ ଅନ୍ୟ ବିକାଶଶୀଳ ରାଷ୍ଟ୍ର ଭଳି ନୁହେଁ। ବିଶ୍ବର ସମୁଦାୟ ୧/୩ ଅପପୁଷ୍ଟି ଶିଶୁ ଭାରତବର୍ଷରେ ଦେଖିବାକୁ ମିଳିଥାଏ। ଶୈଶବରେ ପୁଷ୍ଟି ପୋଷଣର ଅଭାବ ରହିଲେ, ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଦେଖିବାକୁ ମିଳିଥାଏ। ତେଣୁ ଆଜି ରାଜ୍ୟର ଶିଶୁମାନେ କରୋନାର ସଂକ୍ରମଣରୁ ମୁକ୍ତ ବୋଲି ଜୋର୍‌ ଦେଇ କହିହେବ ନାହିଁ। ତେଣୁ ଘରେ ଥିବା କମ୍ ବୟସର ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବୁଝିବାକୁ ହେବ। ଅପରପକ୍ଷରେ ସାମାଜିକ ଦୂରତ୍ବ ବଜାୟ ରଖିବା କଷ୍ଟକର ଥିବାରୁ ରାଜ୍ୟର ୮୧ଲକ୍ଷ ଶିଶୁଙ୍କୁ ଘରକୁ ପଠାଇ ଦିଆଯାଇଛି। ତେଣୁ ବାହାରୁ ଯେପରି କରୋନା ଘରକୁ ଆସିବ ନାହିଁ, ସେଥିପାଇଁ ପରିବାରଲୋକ ଯତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର