ସାନ୍ତାଳି ସମ୍ପ୍ରଦାୟର ପୂଜା ଚାଲିଥିବା ବେଳେ ବଜ୍ରପାତ: ପ୍ରାଣ ହାରିଲେ ବୃଦ୍ଧ, ୧୧ ଗୁରୁତର

ବାଙ୍ଗିରିପୋଷି: ସାନ୍ତାଳି ସମ୍ପ୍ରଦାୟର ପୂଜା ଚାଲିଥିଲା ବେଳେ ଆଜି ହଠାତ ବର୍ଷା ଓ ବଜ୍ରପାତ ହୋଇଛି। ଏଥିରେ ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଅଂଚଳର ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ଦୁର୍ଘଟଣାର ଶିକାର ହୋଇଛନ୍ତି ସ୍ଥାନୀୟ ଅଂଚଳର ଆହୁରି ୧୧ ଜଣ ଲୋକ। ବଜ୍ରପାତରେ ଗୁରୁତର ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ବୃଦ୍ଧ ବ୍ୟକ୍ତି ହେଲେ କୁଅଁରଡିହି ଗ୍ରାମର ନାରଣ ହାଁସଦା (୬୫)।

ସୂଚନା ଅନୁସାରେ ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ସାନ୍ତାଳି ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ପୂଜା ଚାଲିଥିଲା। ଏହି ସମୟରେ ହଠାତ ବର୍ଷା ସହିତ ଘଡଘଡି ହୋଇଥିଲା। ଅଳ୍ପ ସମୟ ପରେ ବଜ୍ରପାତ ହେବା ଫଳରେ କୁଅଁରଡିହି ଗ୍ରାମର ନାରଣ ହାସଦା ପୂଜାସ୍ଥଳରେ ହିଁ ଟଳିପଡ଼ିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଅନ୍ୟ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଶିର୍ଶା ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ୨ ଜଣକ ଅବସ୍ଥା ଅଧିକ ସଂକଟ ହେବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଝାରପୋଖରିଆ ପୁଲିସ ଓ ସାରସକଣା ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁଯାଇ କ୍ଷତିପୁରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ସତ୍ୟବାନ ନାୟକ।

ସମ୍ବନ୍ଧିତ ଖବର