‘ଦାଦନ ଚାଲାଣରେ ସରକାରୀ ବାବୁଙ୍କ ହାତ’

ପଶ୍ଚିମ ଓଡ଼ିଶାକୁ ଆସିବ ବିକାଶ ପରିଷଦ କାର୍ଯ୍ୟାଳୟ: ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ

ବଲାଙ୍ଗୀର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଏହି ଅଂଚଳରେ ସ୍ଥାପନ କରିବାକୁ ଦାବି କରାଯାଇଥିଲା। ଏ ଅଂଚଳର ବିଧାୟକମାନେ ଏ ନେଇ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଗତ ବିଧାନସଭା ପରେ ପରେ ଏହି କାର୍ଯ୍ୟାଳୟ ପାଇଁ ବିଧିବଦ୍ଧ ଘୋଷଣା ହେବାର ଥିଲା। କିନ୍ତୁ କରୋନା ମହାମାରୀ ଆସିବା ଯୋଗୁଁ ଏହି ଘୋଷଣା ହୋଇପାରି ନାହିଁ। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଏ ଅଂଚଳର କେଉଁଠି ହେବ ସେ ନେଇ ସବିଶେଷ ଘୋଷଣା ରାଜ୍ୟ ସରକାର କରିବେ। ଏପରିକି ପଶ୍ଚିମାଞ୍ଚଳରୁ ହିଁ ଜଣଙ୍କୁ ବିକାଶ ପରିଷଦ ଅଧ୍ୟକ୍ଷ କରାଯିବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ବଲାଙ୍ଗୀର ଗସ୍ତ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଆଗାମୀ ୩୦ ଯାଏ କିଏ ବିକାଶ ପରିଷଦ ଅଧ୍ୟକ୍ଷ ହେବେ ତାହା ଘୋଷଣା ସରକାର କରିବେ ନାହିଁ। କାରଣ ଜୁନ ମାସରେ କରୋନା ଗୋଷ୍ଠୀ ସଂକ୍ରମଣର ଭୟ ରହିଛି। ଏଣୁ ଏହା ପରେ ଯାହା କିଛି ନିଷ୍ପତ୍ତି ନେଇ ସରକାର ଏ ଦିଗରେ ସବିଶେଷ ଘୋଷଣା କରିବେ ବୋଲି ସେ କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ, ପ୍ରବାସୀ ଶ୍ରମିକଙ୍କୁ ୧୪ ଦିନିଆ କ୍ୱାରାଣ୍ଟିନରେ ରଖାଯିବାର ବ୍ୟବସ୍ଥା ହୋଇଛି। ମଝିରେ ୭ ଦିନିଆ କ୍ୱାରାଣ୍ଟିନରେ ରଖିବାକୁ ଘୋଷଣା ହୋଇଥିଲା। କିନ୍ତୁ ପରେ ଜିଲ୍ଲାପାଳଙ୍କୁ ୭ ଦିନ ନା ୧୪ ଦିନ ତାହା ସେମାନେ ନିଷ୍ପତ୍ତି ନେବେ ବୋଲି କ୍ଷମତା ଦିଆଯାଇଥିଲା। ଏବେ ଯେଉଁ ପ୍ରବାସୀ ପଞ୍ଜୀକରଣରେ ଫେରିଛନ୍ତି ସମସ୍ତଙ୍କୁ ଘୋଷଣା ମୁତାବକ ୨ ହଜାର ଟଙ୍କା ସରକାର ପ୍ରଦାନ କରିବେ। ବଲାଙ୍ଗୀର ଜିଲ୍ଲାରେ ଦୁଇ ତିନି ଦିନ ଭିତରେ ସେହି ଟଙ୍କା ଶ୍ରମିକମାନଙ୍କୁ ବଣ୍ଟନ ହେବ ବୋଲି ସେ କହିଛନ୍ତି। ଏହାସହ ଲକ୍ଷାଧିକ ଦାଦନଙ୍କ ପ୍ରସଙ୍ଗରେ ଶ୍ରୀ ସିଂ କହିଛନ୍ତି, ବେଆଇନ ଭାବରେ ଦାଦନ ଚାଲାଣ ରୋକିବାକୁ ହେଲେ ଜନସାଧାରଣ ସଚେତନ ହେବାକୁ ହେବ। ନିଜେ ଶ୍ରମିକମାନେ ପଞ୍ଜୀକରଣ ନ କରି ଦାଦନ ଚାଲିଯାଉଛନ୍ତି। ଫଳରେ ବହୁ ଅସୁବିଧା ଦେଖାଦେଉଛି। ସେମାନେ ବି ନିର୍ଯାତନାର ଶିକାର ବାହାର ରାଜ୍ୟରେ ହେଉଛନ୍ତି। ବେଆଇନ ଦାଦନ ଚାଲାଣରେ ସରକାରୀ ବାବୁମାନଙ୍କ ବି ହାତ ରହୁଥିବା କଥାକୁ ସେ ସ୍ୱୀକାର କରିଛନ୍ତି। ଏପରିକି କାର୍ଯ୍ୟକାରୀ ହେଉଥିବା ଯୋଜନା ସବୁ ସରକାରୀ ଅଧିକାରୀଙ୍କ ହାତରେ ରହୁଛି। ବହୁ କ୍ଷେତ୍ରରେ ଯୋଜନାରେ ବି ଭୁଲ ରହୁଛି ବୋଲି ସେ କହିଛନ୍ତି।

ବାହାର ରାଜ୍ୟରେ ଦାଦନ ଶ୍ରମିକମାନେ ଥିବା ସମୟରେ ଏଠାରେ ସେମାନଙ୍କ ଚାଉଳ ହଡ଼ପ ହୋଇଥିବା ନଜରକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଯେଉଁମାନେ ସବୁ ଏହି ଚାଉଳ କେଳେଙ୍କାରୀରେ ସାମିଲ ଥିବେ କାର୍ଯ୍ୟାନୁଷ୍ଠାନ ହେବ। ଦାଦନମାନଙ୍କ ଚାଉଳ ଖାଇଯିବା ଭଳି ଘଟଣାରେ ସରକାର ନିହାତି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର