ଦିନ ଦି’ପହରେ ଆତଙ୍କ: ଯୁବକଙ୍କୁ ଗୋଡ଼ାଇ ହାଣିଲେ, ୧୫ ଦିନରେ ଦ୍ବିତୀୟ ଘଟଣା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜଧାନୀରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି ଅପରାଧୀ। ଦିନ ଦ୍ବିପ୍ରହରରେ ବାପୁଜୀନଗର ଚିକେନ୍ ଦୋକାନ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣର ଶିକାର ପି. ନରସୀମାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତଙ୍କ କଟୁରି ଚୋଟରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଆକ୍ରମଣ କରିଥିବା ରଡ୍ ଗୋଦାମ ବସ୍ତିର ଶିବା ଓ ପପୁ ଫେରାର ହୋଇଯାଇଛନ୍ତି। କ୍ୟାପିଟାଲ ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର୍ ପାଇ ପାରି ନାହିଁ। ଅପରପକ୍ଷେ ରାଜରାସ୍ତାରେ ଦୁର୍ବୃତ୍ତଙ୍କ ଏହି ଆତଙ୍କରାଜ ଦେଖି ସେହି ବାଟ ଦେଇ ଯାଉଥିବା ଲୋକ ଭୟଭୀତ ହୋଇ ପଡ଼ିଥିଲେ।

ସୂଚନା ଅନୁସାରେ, ଆକ୍ରମଣର ଶିକାର ଯୁବକ ନରସୀମା ଓ ଆକ୍ରମଣକାରୀ ଯୁବକଙ୍କ ଘର ରଡ୍‌ ଗୋଦାମ ବସ୍ତିରେ। ଆଜି ସକାଳେ ପୂର୍ବ ବିବାଦକୁ କେନ୍ଦ୍ର କରି ନରସୀମା ସେହି ବସ୍ତିର ସୁରେନ୍ଦ୍ର ଦାସଙ୍କୁ ଛୁରାମାଡ଼ କରିଥିଲା। ତାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଆହତ ଅବସ୍ଥାରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ସୁରେନ୍ଦ୍ରଙ୍କ ପୁଅ ଶିବା ଓ ତାର ସାଙ୍ଗ ପପୁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ। ବାପୁଜୀନଗର ଚିକେନ୍ କାଉଣ୍ଟର ନିକଟରେ ନରସୀମା ଥିବା ବେଳେ ଶିବା ଓ ପପୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ରାଜମହଲ ଫ୍ଲାଏ ଓଭରନିକଟରୁ ଚିକେନ୍ କାଉଣ୍ଟର ପର୍ଯ୍ୟନ୍ତ ସମସ୍ତଙ୍କ ସାମ୍ନାରେ ଏହି ଆକ୍ରମଣ ହୋଇଥିଲା। ନିଜ ଜୀବନ ବଞ୍ଚାଇବା ଲାଗି ସାହାଯ୍ୟ ମାଗି ଧାଉଁଥିଲେ ବି ମାରଣାସ୍ତ୍ର ଧରି ଦୁର୍ବୃତ୍ତଙ୍କ ଆକ୍ରମଣ ଏଭଳି ଥିଲା କେହି ପାଖକୁ ଆସିବାକୁ ସାହସ ଜୁଟାଇ ପାରି ନ ଥିଲେ। ଆକ୍ରମଣ କରିବା ପରେ ଦୁଇ ଦୁର୍ବୃତ୍ତ ଶିବା ଓ ପପୁ କଟୁରି ବୁଲାଇ ବୁଲାଇ ଫେରାର୍‌ ହୋଇଯାଇଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଗୁରୁତର ଆହତ ନରସୀମାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଘଟଣା ପରେ ଦୁଇ ଆକ୍ରମଣକାରୀ ଫେରାର ହୋଇ ଯାଇଥିବା ବେଳେ ସୁରେନ୍ଦ୍ରଙ୍କ ସାନ ପୁଅକୁ କ୍ୟାପିଟାଲ ଥାନା ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଦୁଇଟି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ଚୋରା ଦେଶୀ ମଦ କାରବାରକୁ ନେଇ ଘଟଣା ଘଟିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଉଭୟ ଏହି କାରବାରରେ ସମ୍ପୃକ୍ତ ଥିଲେ। ଗତକାଲି ମଧ୍ୟ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସକୁ ଖବର ଦେଉଥିବା ସନ୍ଦେହ କରି ଆଜି ସକାଳେ ନରସୀମା ପ୍ରଥମେ ସୁରେନ୍ଦ୍ରଙ୍କୁ ଆକ୍ରମଣ କରିଥିବା ପୁଲିସ ଅନୁମାନ କରୁଛି। ମଦ କାରବାରରେ ସମ୍ପୃକ୍ତ ଥିବା ବେଳେ ଉଭୟ ଉଭୟଙ୍କ ଶତ୍ରୁ ପାଲଟି ଯାଇଥିଲେ।

୧୫ ଦିନରେ ଦ୍ବିତୀୟ ଘଟଣା
ବାପୁଜୀନଗର ପାଣିଟାଙ୍କି ଅଞ୍ଚଳ ଏବେ ଅପରାଧୀଙ୍କ କବଜାକୁ ଚାଲି ଯାଇଛି। କଥା କଥାକେ ବୁଲୁଛି ମାରଣାସ୍ତ୍ର। ଖୁଲମଖୁଲା ଅପରାଧ ଘଟାଇ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ। ଗତ ୬ ତାରିଖରେ ବାପୁଜୀନଗର ପାଣିଟାଙ୍କି ବସ୍ତିରେ ଦୁଇ ଭାଇଙ୍କୁ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ବି. ରାମାରାଓ ଏବଂ ବି. ଶଙ୍କର ରାଓ ଗୁରୁତର ଆହତ ହୋଇଥିଲେ। ଜଣଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରାବଣ ସୋମବାରରେ ଚିକେନ୍ ଦୋକାନ ଖୋଲିବାକୁ କେନ୍ଦ୍ର କରି ସେହି ମାର୍କେଟର ସମ୍ପାଦକ ଓ ତାଙ୍କ ଭାଇ ଏହି ଆକ୍ରମଣ କରିଥିଲେ। ଘଟଣାକୁ ୧୫ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ି ନାହାନ୍ତି। ସେହି ଗୋଟିଏ ଅଞ୍ଚଳରେ ବାରମ୍ବାର ଅପରାଧୀଙ୍କ କାର୍ଯ୍ୟକଳାପ ଜାରି ରହିଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି ପୁଲିସ? ଅପରାଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ପଛରେ ଚୋରା ମଦ କାରବାର ବଡ଼ କାରଣ ହୋଇଥିଲେ ବି କାହିଁକି ରୋକିପାରୁନି ପୁଲିସ? ପୁଲିସର ନିଷ୍କ୍ରିୟତା ଅପରାଧୀଙ୍କୁ ସୁହାଉଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବ୍ରାଉନସୁଗାର କାରବାରକୁ କେନ୍ଦ୍ରକରି ଜୁନ୍ ୧୮ ତାରିଖରେ ୟୁନିଟ୍-୮ ପାଣିଟାଙ୍କି ବସ୍ତିରେ ଯୁବକ ହେମନ୍ତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମଧ୍ୟ କେହି ଧରା ପଡ଼ି ନାହାନ୍ତି।

ସମ୍ବନ୍ଧିତ ଖବର