ସହରାଭିମୁଖି ଜଙ୍ଗଲୀ ଭାଲୁ, ବନ ବିଭାଗର ଜଙ୍ଗଲ ସୁରକ୍ଷା ନେଇ ପ୍ରଶ୍ନବାଚୀ

ଭବାନୀପାଟଣା : ଗତ ଶନିବାର ସକାଳୁ ଭବାନୀପାଟଣା ସହରର ମାଂସ ବଜାରକୁ ଏକ ଜଙ୍ଗଲୀ ଭାଲୁ ପଶିଆସିଥିଲା । ଭଲୁକୁ ଦେଖି ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇଁ ବନବିଭାଗ କର୍ମଚାରୀମାନେ ଭାଲୁକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ଦୀର୍ଘ ଚାରି ଘଣ୍ଟାର ଉଦ୍ୟମ ପରେ ଭାଲୁକୁ କାବୁ କରାଯାଇଥିଲା। ୪ ଘଣ୍ଟା ପରେ ବନ ବିଭାଗ ପକ୍ଷରୁ ଭାଲୁକୁ କାବୁ କଲା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା । ବର୍ତ୍ତମାନ ସହରରେ ଭାଲୁ ଥାଇ ପାରନ୍ତି ବୋଲି ଲୋକ ତାଟି କବାଟ ଦେବା ସହିତ ପିଲା ଛୁଆକୁ ବାହାରକୁ ଛାଡ଼ୁନାହାନ୍ତି ।

କଳାହାଣ୍ଡି ଜିଲ୍ଲାରେ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ ଆଦି ବାର୍ତ୍ତା ସମସ୍ତେ ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପାଳନ ହେଉନଥିବାରୁ ଏହା ପ୍ରହସନରେ ପରିଣତ ହେଉଛି। ବୃକ୍ଷରୋପଣ ତ ଦୂରର କଥା ବୃକ୍ଷ ନଷ୍ଟକୁ ମଧ୍ୟ ରୋକିବାରେ ବିଫଳ ହେଉଛନ୍ତି। ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ ହେଉଛି କିନ୍ତୁ ବାସ୍ତବ ଚିତ୍ର କଣ ସମସ୍ତେ ଜାଣନ୍ତି। ବଣଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଓ ସରୀସୃପ ଗ୍ରାମ ଓ ସହରାଭିମୁଖି ହେଉଛନ୍ତି। ଏକଦା ପୋଡୁଚାଷ, ଜଙ୍ଗଲ ଲୁଟ, ରାସ୍ତାଘାଟ ସମ୍ପ୍ରସାରଣ ପାଇଁ ବ୍ୟାପକ ଜଙ୍ଗଲ କଟା, ବୃଦ୍ଧିପାଉଥିବା ଜଙ୍ଗଲ ଜମି ଜବରଦଖଲ ଆଦି କାରଣରୁ ଜିଲ୍ଲାରେ ଜଙ୍ଗଲ ଓ ପରିବେଶ ସଙ୍କଟରେ ରହିଛି। ଏହାର କୁପ୍ରଭାବ ମଣିଷ, ପଶୁପକ୍ଷୀ, ଜୀବଜଗତ ଉପରେ ପଡୁଛି। ସନ୍ତୁଳିତ ପରିବେଶ ବିଗିଡି ଯାଉଥିବା ବେଳେ ଏହାର ପ୍ରଭାବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି । ବର୍ଷାରେ ଅନିୟମିତତା, ଆବଶ୍ୟକତା ଠାରୁ କମ ବେଶୀ ବର୍ଷା ଯୋଗୁଁ ଚାଷ ତଥା ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି। ପ୍ରାକୃତିକ ଜଙ୍ଗଲକୁ କୃତ୍ରିମ ଜଙ୍ଗଲ ଦ୍ୱାରା ଭରଣା କରାଯାଇପାରୁନାହିଁ। ଫଳରେ ଜଙ୍ଗଲର ଘନତ୍ୱ ହ୍ରାସ ପାଉଛି। ସେହିପରି ଜଙ୍ଗଲର ସୁରକ୍ଷା କରାଗଲେ ପ୍ରାକୃତିକ ଜଙ୍ଗଲ ଆପେ ଆପେ ସୃଷ୍ଟି କରାଯାଇପାରିବ ବୋଲି ସାଧାରଣରେ ଦାବୀ ହୋଇଛି।

ସମ୍ବନ୍ଧିତ ଖବର