ସିରିଜ୍‌ ଟ୍ବିଟ୍‌ କରି ରିୟାଙ୍କ ଉପରେ ଦୋଷ ଲଦିଲେ ସୁଶାନ୍ତଙ୍କ ଭଉଣୀ ଶ୍ବେତା, ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ବୋଲି ଆଣିଲେ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ପୁଣି ଏକ ଭୟଙ୍କର ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ବେତା ସିଂହ କିର୍ତ୍ତୀ। ସେ ଅଭିଯୋଗ ଆଣି କହିଛନ୍ତି କି ରିୟା ତାଙ୍କ ଭାଇର ଅଜାଣତରେ ତାଙ୍କୁ ଡ୍ରଗ୍ସ(ନିଶା ଦ୍ରବ୍ୟ) ଦେଇ ଆସୁଥିଲେ।

ଶ୍ବେତା ସିରିଜ୍‌ ଟ୍ବିଟ୍‌ କରି ରିୟାଙ୍କ ନାମରେ ଅନେକଗୁଡ଼ିଏ ଅଭିଯୋଗ ଆଣିଛନ୍ତି। ‌ସେ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘୨୦୨୦ ଜାନୁଅ‌ାରିରେ ଯେତେବେଳେ ଭାଇ ରାନୀ ଦିଙ୍କୁ ଏସ୍‌ଓଏସ୍‌ କଲ କରିଥିଲେ, ସେତେବେଳେ ସେ ଡ୍ରଗ୍ସ ନେଇଥିଲେ। ପରେ ପରେ ସେ ଚଣ୍ଡିଗଡ଼ରେ ପହଞ୍ଚିଲେ। ସେ ଚଣ୍ଡିଗଡ଼ ଆସିବା ପରେ ମାତ୍ର ୨-୩ ଦିନ ସମୟ ମଧ୍ୟରେ ରିୟା ତାଙ୍କୁ ୨୫ ଥର କଲ୍‌ କରିଥିଲେ। ମାତ୍ର କାହିଁକି? ତାଙ୍କୁ ପୁଣି ଥରେ ଡାକିବାର ଏପରି କ’ଣ ଜରୁରୀ ଥିଲା? ରିୟାଙ୍କୁ ବର୍ତ୍ତମାନ ଗରଫ କରାଯାଉ।’

ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ସବୁଠାରୁ ଖରାପ ଲାଗିଥିଲା ସେତେବେଳେ ମୁଁ ଚଣ୍ଡିଗଡ଼ରେ ପହଞ୍ଚିଲା ବେଳକୁ ରିୟାର ଲଗାତର କଲ୍‌ ଓ କିଛି କାର୍ଯ୍ୟ ଚୁକ୍ତି ହେତୁ ଭାଇ ଚଣ୍ଡିଗଡ଼ ଛାଡ଼ି ସ‌ାରିଥିଲେ। ମୁଁ ତାଙ୍କୁ ସାକ୍ଷାତ୍‌ କରିପାରିନଥିଲି।’

ଶ୍ବେତା ତାଙ୍କ ତୃତୀୟ ଟ୍ବିଟ୍‌ରେ ଲେଖିଛନ୍ତି, ‘ମୋ ଭାଇ ସେ ଝିଅକୁ ଭେଟି ନଥାନ୍ତା କି! କାହାର ସମ୍ମତି ବିନା ତାକୁ ଡ୍ରଗ୍ ଦେଇ  ତା’ପରେ ସେ ମାନସିକ ଭାବେ ଅସୁସ୍ଥ ବୋଲି କହି ମନସ୍ତତ୍ବବିତ୍‌ଙ୍କ ପାଖକୁ ନେଇଯିବା କେଉଁ ସ୍ତରର ଷଡ଼ଯନ୍ତ୍ର!’

ଏପଟେ ରିୟା ଅଭିଯୋଗ ଆଣି କହିଛନ୍ତି କି ସୁଶାନ୍ତଙ୍କର କେବେ ବି ତାଙ୍କ ପରିବାର ସହ ଭଲ ସଂପର୍କ ନଥିଲା। ସେ ନିଜ ପରିବାର ଲୋକଙ୍କୁ ଆଦୌ ପସନ୍ଦ କରୁନଥିଲେ ଓ ସେହି କାରଣରୁ ବିଶାଦଗ୍ରସ୍ତ ରହୁଥିଲେ।

ସମ୍ବନ୍ଧିତ ଖବର