କଥାଟିଏ – ଯାଯାବର

ଜଣେ ବଦାନ୍ୟ ଧନୀ ଲୋକ କିଛି ଦିନ ଲାଗି ବାହାରକୁ ଗଲେ। ଗଲା ବେଳେ ଚାକରମାନଙ୍କୁ କହିଦେଇ ଗଲେ- ଦିନ କାଳ ଭଲ ନାହିଁ। ସାବଧାନରେ ରହିବ। ମୋ ବଦାନ୍ୟତା କଥା ଶୁଣି ଲୋକେ ଆଶ୍ରା ମାଗିବେ। ଦେଖି ଚାହିଁ ଆଶ୍ରୟ ଦେବ।

ଏହା ପ‌ରେ ଦିନେ ସେଠାକୁ ଆସିଲା ଜଣେ ବ୍ୟକ୍ତି। ତା’ର ଚେହେରା ଥିଲା କଦାକାର। ତା’ର କଥାବାର୍ତ୍ତା ମଧୢ ଥିଲା ରୁକ୍ଷ। ଚାକରମାନେ ଭାବିଲେ, ଏଇଟା ବଦମାସଟିଏ। ତାକୁ ତେଣୁ ଘର ଭିତରେ ଜାଗା ନ ଦେଇ ବାହାର ବାରଣ୍ଡାର କୋଣରେ ରହିବା ଲାଗି କହିଲେ।

ସେଇ ଲୋକଟି ସେଠାରେ ରହିବା ଦିନ ଠାରୁ ଘରର ବିରାଟ ବଗିଚା ସଫା କରିବାକୁ ଲାଗିଲା। ବଗିଚାର ତତ୍ତ୍ବ ନେଲା। ଚାକରମାନେ କିନ୍ତୁ ତା’ ସହିତ କଥାବାର୍ତ୍ତା ହେଉ ନ ଥିଲେ।
କିଛି ଦିନ ଗଲା ପରେ ସେଠାକୁ ଆସିଲେ ଜଣେ ସାଧୁ। ତାଙ୍କ ସହିତ କିଛି ଚେଲା ବି ଥିଲେ। ସେମାନେ ଭଗବାନଙ୍କ ନାମ ସ˚କୀର୍ତ୍ତନ କରି ଆସି ସେଠାରେ ପହଞ୍ଚିଗଲେ। ଚାକରମାନେ ସେମାନଙ୍କୁ ଦେଖିଲା ମାତ୍ରକେ ସେମାନଙ୍କ ଗୋଡ଼ ତଳେ ପଡ଼ିଗଲେ। କୃତକୃତ୍ୟ ହୋଇ ସେମାନଙ୍କୁ ପାଛୋଟି ନେଇ ଘର ଭିତରେ ସେବାର ବ୍ୟବସ୍ଥା କଲେ।

ସେମାନେ ପ୍ରକୃତରେ ଥିଲେ ସାଧୁ ବେଶୀ ଚୋର ଦଳ। ଦୁଇ ଦିନ ପରେ ସେମାନେ ନିଜ ଗୁଣ ଦେଖାଇଲେ। ରାତିରେ ଘର ଭିତରେ କଳାକନା ବୁଲାଇ ଚଂପଟ ମାରିବାକୁ ବାହାରିଲେ। କିନ୍ତୁ ତାହା ପଣ୍ଡ ହୋଇଗଲା। ବାରଣ୍ଡାରେ ପଡ଼ି ରହିଥିବା ଲୋକଟି ଏହା ଜାଣିପାରି ଚିତ୍କାର କଲା। ଚୋର ଦଳ ପଳାୟନ କଲେ।

ଏ ଘଟଣା ଘଟିବାର ପର ଦିନ ଘରର ମାଲିକ ପହଞ୍ଚିଲେ। ସବୁ ଶୁଣି ସାରି ସେ କେବଳ ଏତିକି କହିଲେ ଯେ ତୁମେମାନେ ଭେକ ଦେଖି ଲୋକ ଚିହ୍ନିବାର ଚେ‌ଷ୍ଟା କରୁଥିଲ କି?

ସମ୍ବନ୍ଧିତ ଖବର