ନିଆଳିରେ ଟ୍ରକ୍‌ ଧକ୍କାରେ ସାଇ‌କେଲ୍‌ ଆରୋହୀ ମୃତ

ନିଆଳି: ଶନିବାର କଟକ ଜିଲ୍ଲାର ନିଆଳିରେ ଘଟିଥିବା ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଟ୍ରକ୍‌ ଓ ସାଇକେଲ୍‌ ମଧ୍ୟରେ ଦୁର୍ଘଟଣା ଘଟି ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ ଚାଳକ ଓ ସେହି ଟ୍ରକ୍‌‌ରେ ଥିବା ହେଲ୍‌ପର୍‌ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ହେଉଛନ୍ତି ଶରତ ଚନ୍ଦ୍ର ଦଳାଇ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ଶରତଙ୍କ ପତ୍ନୀ ପ୍ରମିଳା ଦଳାଇ ଥାନାରେ ଏତଲା ଦେଇଛନ୍ତି। ଶରତ ପରିବା ବିକ୍ରି କରିବା ପାଇଁ ସାଇକେଲ୍‌ରେ ପରିବା ନେଇ କାଳିଆଘାଇ ଯିବା ବାଟରେ କାଳିଆଘାଇ ପୋଲ ଉପରେ କଟକ ଆଡୁ ଆସୁଥିବା ଏକ ମାଲବାହୀ ଟ୍ରକ୍‌ ତାଙ୍କୁ ପଛ ପଟରୁ ପିଟି ଦେଇଥିଲା। ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଅଡ଼ଶପୁର ମେଡିକାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରମିଳା ଲିଖିତ ଆକାରରେ ଜଣାଇଛନ୍ତି।

ଶରତ ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବା କାରଣରୁ ତାଙ୍କ ପରିବାର ଏବେ ତାଙ୍କ ପରେ ନିସହାୟ ହୋଇପଡ଼ିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ନୀ ପ୍ରମିଳା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର