ପାଳିତ ହେଲା ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପାରଳାଖେମୁଣ୍ଡି: ସ୍ଥାନୀୟ  ବେତାଗୁଡାସ୍ଥିତ ଥିବା ରିଜର୍ଭ ପୁଲିସ ପଡିଆ ଠାରେ ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଦିବସ ଅବସରରେ  ଗୃହରକ୍ଷୀ ବାହିନୀ ଉଦ୍ଦେଶ୍ୟରେ ଯେଉଁମାନେ ନିଜର ବଳିଦାନ ଦେଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗୃହରକ୍ଷୀମାନେ ସବୁବେଳେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଜନସାଧାରଣଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ସେମାନେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି , ଜନସମାଗମ ଓ ଟ୍ରାଫିକ ଭଳି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ନିଷ୍କାମ ସେବା ପ୍ରଦାନ କରିଥାନ୍ତି ।

ଏମିତିକି ବିଭିନ୍ନ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ମଧ୍ୟ ଉତ୍ତମ ସେବା ପ୍ରଦାନ କରି ଆସିବା ସହ ବର୍ତ୍ତମାନ ଦେଖା ଦେଇଥିବା କୋଭିଡ ମହାମାରୀ ସମୟରେ ସେମାନେ ଆଗ-ଧାଡିର କୋଭିଡ ଯୋଦ୍ଧା ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇ ଉଚ୍ଚକୋଟିର ସେବା ଓ ତାଙ୍କର କାର୍ଯ୍ୟଦକ୍ଷତାର ପରାକାଷ୍ଠା ଦେଖାଇଥାନ୍ତି। ଗୃହରକ୍ଷୀମାନେ ଆଗାମୀ ଦିନମାନଙ୍କରେ ମଧ୍ୟ ସେମାନଙ୍କ ଏହି ନିଷ୍କାମ ସେବା ଓ ଉଚ୍ଚ ପରମ୍ପରା ସବୁବେଳେ ବଜାୟ ରଖିବା ପାଇଁ ଆହ୍ବାନ କରିଥିଲେ।

ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମେତ ମାନ୍ୟବର ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ଗୃହମନ୍ତ୍ରୀ , ଗୃହସଚିବ ଓ ଗୃହରକ୍ଷୀ ବିଭାଗ ଡିଜିଙ୍କ ଠାରୁ ଗୃହରକ୍ଷୀ ବାହିନୀଙ୍କ ଉଦ୍ଦେଶରେ ଆସିଥିବା ବାର୍ତ୍ତାକୁ ପାଠ କରିଥିଲେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟ୍ଟନାୟକ ।

ଏହି ପବିତ୍ର ଦିବସ ଅବସରରେ ଜିଲ୍ଲାରେ ନିଷ୍ଠାର ସହ ନିଜ କାର୍ଯ୍ୟ ସମ୍ପାଦନା କରି ଚାକିରୀରୁ ଅବସର ନେଇଥିବା ପାରଳାଖେମୁଣ୍ଡି ଥାନାର ହୋମଗାର୍ଡ ତାରିଣୀ ଜେନା, ଏମ.ଆପ୍ପା ରାଓ, ଏଲ ରାମରାଓ ,ସତ୍ୟବାନ ଘାଣ୍ଟା , ଆର.ଉଦୟଗିରି ଥାନାର ବଳରାମ ପାଇକ ଏବଂ ସେରଙ୍ଗ ଥାନାର ଆନ୍ଦ୍ରିୟ ଷଡଙ୍ଗୀଙ୍କୁ ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପାରେଡ଼ କାର୍ଯ୍ୟକ୍ରମକୁ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ରାଜୁ ପାଢାଲ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସିତାରାମ ଶତପଥୀ , ଓ.ଏସ.ଏ.ପି ୩ୟ ଏସ.ଏସ ବାଟାଲିୟାନର କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା , ହୋମଗାର୍ଡ ଆର.ଆଇ ଶକ୍ତିକାନ୍ତ ମନୋରଞ୍ଜନ ଜେନା , ଡ଼ିଆଇବି ଡ଼ିଏସପି ରାଧା ଚରଣ ପଟନାୟକ , ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ , କର୍ମଚାରୀ ଓ ଗୃହରକ୍ଷୀ ବାହିନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର