କୋଡ଼ିଏର କୋହ: ଇ-ଶୁଣାଣି, ମେଘାଳୟରୁ କାରରେ ଆସିଲେ ନୂଆ ମୁଖ୍ୟ ବିଚାରପତି

ଦାଣ୍ଡରେ ଗଡ଼ିଲା ଷ୍ଟାର ଦମ୍ପତି ବିବାଦ

ସାରାବିଶ୍ବକୁ ଗ୍ରାସ କରିଥିବା କରୋନା ମହାମାରୀ ପ୍ରଭାବରୁ ବିଚାର ବ୍ୟବସ୍ଥା ବା ବାଦ୍‌ ପଡିଥାନ୍ତା କିପରି! ମାର୍ଚ୍ଚ ମାସରେ କରୋନା ରାଜ୍ୟରେ ନିଜ ସ୍ଥିତି ଜାହିର କରିଥିଲା। ଏହାପରେ ଅଦାଲତରେ ସ୍ବାଭାବିକ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ନ୍ୟାୟ ବ୍ୟବସ୍ଥାରୁ ଯେପରି କେହି ବଞ୍ଚିତ ନ ହେବେ ସେଥିପାଇଁ ବିକଳ୍ପ ପନ୍ଥା ବାହାର କରାଯାଇଥିଲା। ଐତିହାସିକ ଘଟଣାକ୍ରମରେ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗତ ମାର୍ଚ୍ଚ ଶେଷ ସପ୍ତାହରେ ମାମଲା ଗୁଡ଼ିକର ଶୁଣାଣି ଆରମ୍ଭ ହୋଇଥିଲା। ଘରେ ରହି ଆଇନଜୀବୀ, ମହକିଲ ଓ ସମସ୍ତ ପକ୍ଷ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ପରିଚାଳନା କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଇ-ଶୁଣାଣି ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ‘ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିଓ କନଫରେନ୍ସିଂ ସ୍କିମ୍, ୨୦୨୦’ ପ୍ରଣୟନ କରାଯାଇଥିଲା। ହାଇକୋର୍ଟ ପରିସରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ନିମ୍ନ ଅଦାଲତରେ ମଧ୍ୟ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଗୁଡ଼ିକର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏସବୁ ଘଟଣା ଥିଲା ନ୍ୟାୟପାଳିକା ଇତିହାସରେ ପ୍ରଥମ।

ଅଦାଲତରେ ସ୍ବାଭାବିକ କାର୍ଯ୍ୟକୁ ଚଳିତବର୍ଷ ପ୍ରଭାବିତ କରିଦେଇଛି କରୋନା। ତେବେ ନ୍ୟାୟ ବ୍ୟବସ୍ଥାରୁ ଯେପରି କେହି ବଞ୍ଚିତ ନ ହେବେ ସେଥିପାଇଁ ବିକଳ୍ପ ପନ୍ଥା ବାହାର କରାଯାଇଥିଲା। ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଫଳରେ କେତେକ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଆସି ପାରିଥିଲା, ଯାହାକି ଚଳିତବର୍ଷର ଉଲ୍ଲେଖନୀୟ ଘଟଣା।

ମେଘାଳୟରୁ କାରରେ ଆସିଲେ ନୂଆ ମୁଖ୍ୟ ବିଚାରପତି,

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌

କରୋନା ବଦଳାଇ ଦେଇଥିଲା ବ୍ୟବସ୍ଥା। ଜାନୁଆରି ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ.ଏସ.ଜାଭେରୀ ଅବସର ଗ୍ରହଣ କରିଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା ଦାୟିତ୍ବ ନିର୍ବାହ କରିଥିଲେ। କିନ୍ତୁ ୨୦୨୦, ଏପ୍ରିଲ ୨୭ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ। କିନ୍ତୁ ବିମାନ ଚଳାଚଳ ବନ୍ଦ ଥିବାରୁ ଜଷ୍ଟିସ ରଫିକଙ୍କୁ ରାସ୍ତାରେ କାର ଯୋଗେ ଓଡ଼ିଶା ଆସିବାକୁ ପଡ଼ିଲା। ଆଉ ହାଇକୋର୍ଟ ବଦଳରେ ଭୁବନେଶ୍ବରରେ ଲୋକସେବା ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଶପଥ ନେବାକୁ ହେଲା। ଜଷ୍ଟିସ ରଫିକ ମାତ୍ର ୮ ମାସ ହେଲା ଓଡ଼ିଶାର ମୁଖ୍ୟ ବିଚାରପତି ରହିଥିବା ବେଳେ ଡିସେମ୍ବର ୧୪ରେ ସୁପ୍ରିମକୋଟ କଲେଜିୟମ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.ମୂରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ସହିତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିସ କରିଥିଲା।

ଦାଣ୍ଡରେ ଗଡ଼ିଲା ଷ୍ଟାର ଦମ୍ପତି ବିବାଦ

ଓଲିଉଡ୍‌ର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡିଥିଲା। କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ବର୍ଷା ନିଜ ଦାମ୍ପତ୍ୟ ସଂପର୍କ ବଞ୍ଚାଇବାକୁ ପ୍ରାର୍ଥନା କରି କଟକ ପରିବାର ଅଦ‌ାଲତରେ ମଧ୍ୟ ପୃଥକ ଆବେଦନ ଦାୟର କରିଥିଲେ। ଏଥି ସହିତ ଚଳିତବର୍ଷ ଅନୁଭବ ବି ଦିଲ୍ଲୀର ଏକ କୋର୍ଟରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଅଦାଲତ ସମୟ ନଷ୍ଟ କରିବାରୁ ଆବେଦନକାରୀ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ
ହାଇକୋର୍ଟରେ ଅଯଥା ପ୍ରସଂଗରେ ଆବେଦନ କରି ଜଣେ ବ୍ୟକ୍ତି ୨ଲକ୍ଷ ଟଙ୍କା ତଣ୍ଡ ଗଣିଛନ୍ତି। ପୁରୀ ସହରର ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଅଯଥାରେ ଏପରି ଆବେଦନ କରାଯାଇଥିଲା। ହାଇକୋର୍ଟ ଆବେଦନକୁ ଖାରଜ କରିବା ସହିତ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଓ ପ୍ରତିପକ୍ଷ ନମ୍ବର-୩ଙ୍କୁ ହଇରାଣ କରିଥିବାରୁ ଆବେଦନକାରୀଙ୍କୁ ୨ ଲକ୍ଷ ଟଙ୍କା(କଷ୍ଟ୍‌) ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ।

ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ
ଦଶହରା ସମୟରେ ଭବାନୀପାଟଣାର ମାଣିକେଶ୍ବରୀଙ୍କ ପୀଠରେ ହେଉଥିବା ପ୍ରସିଦ୍ଧ ଛତର୍‌ ଯାତ୍ରାରେ ପଶୁବଳି ଉପରେ ହାଇକୋର୍ଟ ରୋକ୍ ଲଗାଇ ଗତ ଜାନୁଆରି ମାସରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ଗତ ଅକ୍ଟୋବରରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

୩୨ ବର୍ଷ ପରେ ଜେଲକୁ ଫେରି‌ଲେ ଆସାମୀ
ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟ ହାଇକୋର୍ଟ କାଏମ ରଖିବା ପରେ ୧୯୮୮ରୁ ଜାମିନରେ ଥିବା ଜଣେ ବ୍ୟକ୍ତି ଅବଶିଷ୍ଟ ସମୟର ଦଣ୍ଡାଦେଶ ଭୋଗ କରିବାକୁ ଜେଲ୍‌କୁ ଫେରିବାକୁ ବାଧ୍ୟ ହୋଇଥିଲେ। ମୟୂରଭଞ୍ଜ ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ୧୯୮୮, ଅକ୍ଟୋବର ୩ରେ ଯେଉଁ ରାୟ ପ୍ରଦାନ କରିଥିଲେ ତାହାକୁ ହାଇକୋର୍ଟ କାଏମ ରଖିଥିଲେ।

Freepik

ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ପ୍ରଥମ କରି ଲୋକ ଅଦାଲତ
ଜନସାଧାରଣଙ୍କ ସୁରକ୍ଷା ତଥା କୋଭିଡ୍‌-୧୯ ନିୟମାବଳିକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ବିଚାରବିଭାଗୀୟ ଅଦାଲତରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପକ୍ଷମାନଙ୍କ ଅସୁବିଧା ଓ କୋଭିଡ-୧୯ ସମୟରେ ମାମଲା ଗୁଡିକର ଆପୋସ ବୁଝାମଣାରେ ସମାଧାନ ପ୍ରସଂଗକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।
ପରମ୍ପରା ଅନୁସାରେ ଦୁର୍ଗାପୂଜା ପ୍ରସଂଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣ ପ୍ରସଂଗ ହାଇକୋର୍ଟରେ ପହଞ୍ଚିଥିଲା। ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବା ପୂଜା ମଣ୍ଡପ ଗୁଡ଼ିକୁ ପୂର୍ବ ପରମ୍ପରା ଅନୁସାରେ ପୂଜା କରିବାକୁ ଅନୁମତି ମିଳିଥିଲା। କିନ୍ତୁ ଏହି ସବୁ ମଣ୍ଡପରେ ମଧ୍ୟ କୋଭିଡ୍‌ କଟକଣା ସହିତ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଥିଲା।

ଉପସ୍ଥାପନା: ଚୌଧୁରୀ ଅଶ୍ବିନୀ ଦାସ, ନଇମ ଅଖତର

ସମ୍ବନ୍ଧିତ ଖବର