କୌଣସି ସଂସ୍ଥାର ନାହିଁ ‘ପୂଜା ଘିଅ’ ଲାଇସେନ୍ସ

ଚେନ୍ନାଇର ସୋୟାବିନ୍‌ ତେଲ ଆଣି ପ୍ରସ୍ତୁତ ଚାଲିଛି ନକଲି ଘିଅ; ମାଲଗୋଦାମ ବାହାରେ ଚୋରା ବେପାରୀଙ୍କ ଆଡ଼ା

କଟକ: ପୂଜା ଘିଅ ନାଁରେ କୌଣସି ଲାଇସେନ୍ସ ଏଫ୍‌ଏସ୍‌ଏସ୍‌ଏଆଇ(ଫୁଡ୍‌ ସେଫ୍ଟି ଆଣ୍ତ ଷ୍ଟାଣ୍ତାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ତିଆ) ପକ୍ଷରୁ କୌଣସି କମ୍ପାନିକୁ ପ୍ରଦାନ କରାଯାଏ ନାହିଁ। ଘିଅର ଶ୍ରେଣୀଭୁକ୍ତ କେବଳ ଗାଈ ଘିଅ ଓ ବନସ୍ପତ୍ତି ଘିଅ ନାଁରେ କରାଯାଇଛି। ଚେନ୍ନାଇରୁ ଆମଦାନୀ ହେଉଥିବା ସୋୟାବିନ୍‌ ତେଲ ଅସଲି ଗାଈ ଘିଅ ଭଳି ବାସ୍ନା ହେଉଛି। ଏଥିରୁ ହିଁ ପୂଜା ଘିଅ ପ୍ରସ୍ତୁତ କରାଯାଉଛି। ଏହି ଦୃଷ୍ଟିରୁ କଟକ ସହରରେ ବର୍ତ୍ତମାନ ସୁଦ୍ଧା ଯେଉଁ ପୂଜା ଘିଅ ବିକ୍ରି କରାଯାଉଛି ଏଗୁଡ଼ିକ ସମ୍ପୂର୍ଣ୍ଣ ବେଆଇନ। ଜଗତପୁରର ସୁବାସ ଘିଅ ୨୦୧୭ରେ ଗାଈ ଘିଅ ବିକ୍ରି କରିବାକୁ ଲାଇସେନ୍ସ ଆଣିଥିଲା। ସୁବାସ ବ୍ୟତୀତ ଅନ୍ୟ କାହାର ବି ଘିଅ ଲାଇସେନ୍ସ ନାହିଁ। ଏମାନେ କେବଳ ଡବାରେ ପୂଜା ଘିଅ ଲେଖି ବିକ୍ରି କରୁଥିଲେ। ସିଏମ୍‌ସିର ଫୁଡ୍‌ ସେଫ୍ଟି ଅଫିସରଙ୍କ ହାତରେ ଏଭଳି ତଥ୍ୟ ହସ୍ତଗତ ହୋଇଛି। କଟକ କମିସନରେଟ୍‌ ପୁଲିସ ନିୟମିତ ଘିଅ ୟୁନିଟ୍‌ ଉପରେ ଚଢ଼ଉ କରିବାରୁ ଏବେ ସହରରେ ପୂଜା ଘିଅର ସ˚କଟ ଦେଖାଦେଇଛି। ଏଭଳି ସ୍ଥିତିରେ ରାୟପୁରରୁ କଟକକୁ ଏକ ନିର୍ଦ୍ଦିଷ୍ଟ କମ୍ପାନିର ପୂଜା ଘିଅ ଚାଲାଣ ହେଉଥିବା କୁହାଯାଉଛି।

କଟକ ସହରରେ ମର୍କତନଗର ଥାନା ପୁଲିସ ଜାନୁଆରି ୩୦ ତାରିଖରେ ସିଡିଏ ସେକ୍ଟର ୯ରୁ ପୂଜା ଘିଅ ପ୍ରସ୍ତୁତ କରୁଥିବା ଏକ ଫ୍ୟାକ୍ଟ୍ରିରେ ଚଢ଼ଉ କରି ୧ ଲକ୍ଷ ଟଙ୍କାର ଘିଅ ଜବତ କରିଥିଲା। ସେହିଭଳି ପୂର୍ବରୁ ଗବଗସ୍ତ, ନୂଆବଜାର ସମେତ ୫ଟି ୟୁନିଟ୍‌ରୁ ବର୍ତ୍ତମାନ ସୁଦ୍ଧା ନକଲି ଘିଅ କମିସନରେଟ୍‌ ପୁଲିସ ଜବତ କରିସାରିଲାଣି। ପାଖାପାଖି ଏକ କୁଇଣ୍ଟାଲ୍‌ ଘିଅ ପୁଲିସ ନଷ୍ଟ କରିସାରିଲାଣି। ଗୋଟିଏ ପଟେ ପୁଲିସ ଘିଅ ନଷ୍ଟ କରି ଚାଲିଥିବା ବେଳେ ଏବେ ରାୟପୁର ଲିଙ୍କ୍‌ ସାମନାକୁ ଆସିଲାଣି। ରାୟପୁରରୁ ଆସୁଥିବା ପୂଜା ଘିଅ ଜଗତପୁରରେ ଅନଲୋଡି˚ କରାଯାଉଛି। ଜଗତପୁରରୁ ଛୋଟ ଗାଡ଼ିରେ ପ୍ରଫେସର ପଡ଼ା ଚାଲାଣ ହେଉଛି। ଏଠାରେ ପୂଜା ଘିଅ ଗଚ୍ଛିତ ରହୁଥିବା କୁହାଯାଉଛି। ମାଲଗୋଦାମ ବ୍ୟବସାୟୀମାନେ ନକଲି ଘିଅ ବିକ୍ରି ପାଇଁ ଅନୁମତି ଦେଉନଥିବାରୁ ଘିଅ ମାଫିଆମାନେ ଏବେ ମାଲଗୋଦାମ ବାହାରେ ଘିଅ ଗଚ୍ଛିତ କରିବା ଆରମ୍ଭ କରିଦେଲେଣି। କଟକରେ ୫ଟି ପ୍ରମୁଖ ଘିଅ ୟୁନିଟ୍‌ କମିସନରେଟ୍‌ ପୁଲିସ ବନ୍ଦ କରିଦେବା ପରେ ଏବେ ପୂଜା ଘିଅର ଚାହିଦା ବଢ଼ିଯାଇଛି। ପ୍ରତି ମାସରେ ହାରାହାରି ୧୫ ଥର ରାୟପୁରରୁ ପୂଜା ଘିଅ କଟକକୁ ଚାଲାଣ ହେଉଛି। ପ୍ରତି ଥରରେ ୫ଟନ୍‌ ଲେଖାଏ ଘିଅ ଆସୁଥିବା କୁହାଯାଉଛି। ଏହି ଘିଅ ଚୌଦ୍ବାର, ଆଠଗଡ଼, ନିଆଳି, ଅଡ଼ଶପୁର, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଇତ୍ୟାଦି ଅଞ୍ଚଳକୁ ଚାଲାଣ କରାଯାଉଛି।

ପୂଜା ଘିଅ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ପୂଜା ଘିଅ ପାଇଁ ଚେନ୍ନାଇରୁ ଆମଦାନୀ ହେଉଥିବା ସୋୟାବିନ୍‌ ତେଲରେ ବନସ୍ପତ୍ତି, ପାମୋଲିନ ଓ ଏସେନ୍ସ ମିଶ୍ରଣ କରାଯାଇ ପୂଜା ଘିଅ ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କଟକ ସହରରେ ସୁବାସ ଘିଅ, ସସ୍‌, ହଳଦୀକୁ ମିଶାଇ ତିନୋଟି ମାମଲାରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରାଯାଇଛି। ଏଥିରେ କେବଳ ପୂଜା ଘିଅ ଏକ କୁଇଣ୍ଟାଲ୍‌ ରହିଛି। ଆହୁରି ୨ ଟନ୍‌ ସାମଗ୍ରୀ ଜଗତପୁର, ଚୌଦ୍ବାର ଓ ମାଲଗୋଦାମ ଅଞ୍ଚଳରେ ନଷ୍ଟ କରାଯିବାକୁ ପୁଲିସ ଯୋଜନା କରୁଛି। ବର୍ତ୍ତମାନ ସୁଦ୍ଧା ନକଲି ଘିଅ ଓ ମସଲା କାରବାର ଘଟଣାରେ ୨୫ଟି ମାମଲା କମିସନରେଟ୍‌ ପୁଲିସ ରୁଜୁ କରିଥିବା ବେଳେ ଏହି ଘଟଣାରେ ୩୦ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ୫ରୁ ଏବେ ୧୭ଟି ମାମଲାରେ ଜିଏସ୍‌ଟି ତଦନ୍ତ ଆରମ୍ଭ କରିଦେଲାଣି। ସିଏମସି ଫୁଡ ସେଫଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି ଯେ ପୂଜା ଘିଅ ନାଁରେ ସେଭଳି କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ କରାଯାଇନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ଲୋକେ ଏଥିପ୍ରତି ସଚେତନ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର