ଓଡ଼ିଶା ଛାଡ଼ି ଛତିଶଗଡ଼ରେ ବସତି, ଭିଟାମାଟି ଛାଡ଼ିଲେଣି ୩୪ ପରିବାର

ବରଗଡ଼ : ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକର ସୀମାନ୍ତ ଗାଁ ଗୁଡ଼ିକରେ ମୌଳିକ ସୁବିଧା ପହଂଚି ପାରୁନାହିଁ। ଫଳସ୍ବରୂପ ଅତିଷ୍ଠ ଓଡ଼ିଶାବାସୀ ନିଜ ଭିଟାମାଟି ଛାଡ଼ି ଛତିଶଗଡ଼ରେ ବସବାସ କରିବାକୁ ଶ୍ରେୟସ୍କର ମଣୁଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ମୁଖକୁ ଆସିଛି ସୀମାବର୍ତ୍ତୀ ଅଞ୍ଚଳରୁ। ସ୍ଥିତି ଏଭଳି ଯେ, ଏହି ଲୋକେ ଆଉ ଛତିଶଗଡ଼ ଛାଡ଼ି ପୁନର୍ବାର ଓଡ଼ିଶା ଫେରିବାକୁ ନାରାଜ। ଓଡ଼ିଶା ପ୍ରତି ସେମାନେ ଯେମିତି ମୋହ ତୁଟାଇ ଦେଲେଣି। କିନ୍ତୁ ପ୍ରଶାସନ ପାଖରେ ଏନେଇ ଖବର ନାହିଁ। କିମ୍ବା ପ୍ରଶାସନ ଜାଣିଶୁଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ମାମଲାକୁ ଚପାଇ ଦିଆଯାଇଛି। ସେହି ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ରାଜ୍ୟକୁ ଫେରାଇ ଆଣିବାକୁ ମଧ୍ୟ ଉଦ୍ୟମ ହୋଇନାହିଁ।

ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକର ବିରଜୁପାଲି ଗ୍ରାମ। ଦୀର୍ଘ ୨୦ ବର୍ଷ ତଳେ ଏହି ଗ୍ରାମର ମଧୁ ପଟେଲ, ରାମଚରଣ ପଟେଲ, ଚୂଳମଣି ପଟେଲ ଓ ଫକୀରଚରଣ ପଟେଲ ସପରିବାର ଭିଟାମାଟି ଛାଡ଼ି ଛତିଶଗଡ଼ ସୀମାରେ ଘର କରି ରହିଥିଲେ। ପରେ ଏହି ଗ୍ରାମରୁ ପ୍ରାୟ ୩୦ଟି ପରିବାର କଙ୍କରାଡ଼ି ନାଳା ଅପରପାର୍ଶ୍ବରେ ଥିବା ଛତିଶଗଡ଼ ଇଲାକା‌ରେ ଘର ତିଆରି କରି ରହିବା ଆରମ୍ଭ କଲେ। କାଳକ୍ରମେ ଏହି ବସତି ମଧୁଡ଼ିପା ନାମରେ ପରିଚିତ ହେଲା। ବର୍ତମାନ ସୁଦ୍ଧା ଓଡ଼ିଶାର ୩୪ଟି ପରିବାରର ପାଖାପାଖି ୧୫୦ ଜଣ ଲୋକ ଓଡ଼ିଶା ଛାଡ଼ି ଛତିଶଗଡ଼କୁ ଆପଣେଇ ନେଇଛନ୍ତି। ବିଗତ ଦୁଇଟି ନିର୍ବାଚନରେ ସେମାନେ ଓଡ଼ିଶା ଭୋଟର୍‌ ତାଲିକାରୁ ନାମ କାଟି ଛତିଶଗଡ଼ର ଭୋଟର୍‌ ତାଲିକାରେ ନାମ ଦରଜ କରିଛନ୍ତି। ସେଠାକାର ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ବିଧାନସଭା, ଲୋକସଭା ନିର୍ବାଚନରେ ମତଦାନ କରୁଛନ୍ତି। ଓଡ଼ିଶା ତୁଳନାରେ ସେଠାରେ ତାଙ୍କୁ ଅଧିକ ସୁବିଧା ସୁଯୋଗ ମିଳୁଥିବା ସେମାନେ କହୁଛନ୍ତି।

ଓଡ଼ିଶାରେ ଧାନ ଅଭାବୀ ବିକ୍ରି ସମସ୍ୟା ରହିଥିବା ବେଳେ ଛତିଶଗଡ଼ରେ ଚାଷୀ ନିଜେ ଧାନ ମଣ୍ତିରେ ସହଜରେ ତାହା ବିକ୍ରି କରୁଛନ୍ତି। କ୍ବିଣ୍ଟାଲ ପିଛା ୭ ଶହ ଟଙ୍କା ଅଧିକ ବୋନସ ଆକାରରେ ମିଳୁଛି। ଗୋପାଳନକୁ ଅଧିକ ପ୍ରୋତ୍ସାହନ ସହ ଖତକୁ କିଲୋ ପିଛା ୨ ଟଙ୍କାରେ କିଣାଯାଉଥିବା ଚାଷୀମାନେ କହୁଛନ୍ତି। ଓଡ଼ିଶା ତୁଳନାରେ ସବୁ ଭତ୍ତା ଅଧିକ ମିଳୁଛି। ରାସନ କାର୍ଡରେ ବିପିଏଲ୍‌ ଉପଭୋକ୍ତା ପରିବାର ପିଛା ୩୫ କିଲୋ ଚାଉଲ ସହିତ ଗହମ, ଚିନି, ଲୁଣ , ଖାଇବା ତେଲ ତଥା କିରୋସିନ ପାଉଛନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ଏହି ମଧୁଡ଼ିପା ଗ୍ରାମରେ ପାନୀୟ ଜଳର ବିଶେଷ ସୁବିଧା କରାଯାଇଛି । ୫ଟି ନଳକୂପ ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସ୍କୁଲ ପିଲାଙ୍କୁ ଢେ଼ର ଅଧିକ ବୃତ୍ତି ମିଳୁଛି। ତେବେ ଆଶ୍ଚର୍ଯ୍ୟର କଥା, ମଧୁଢିପା ସଂଲଗ୍ନ ଓଡ଼ିଶାର ଅମ୍ବାଭୋନା ବ୍ଲକ୍‌ରେ ୧୦୪ ଟି ରାଜସ୍ବ ଗ୍ରାମ ମଧ୍ୟରୁ କେବଳ ୨୫ଟିରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ପାଖରେ ମହାନଦୀ ଥିଲେ ମଧ୍ୟ ଲୋକେ ଶୋଷିଲା। ଶୀଘ୍ର ସୀମାନ୍ତବର୍ତୀ ଗାଁରେ ମୌଳିକ ସୁବିଧା ନମଳିଲେ ବରଗଡ଼ ଜିଲ୍ଲାରେ ବହୁ ‘କୋଟିଆ’ ଉଦାହରଣ ସୃଷ୍ଟି ହୋଇଯିବ।

ସମ୍ବନ୍ଧିତ ଖବର