ଚମକିଲା ରାମଲିଙ୍ଗେଶ୍ବର ମହୋତ୍ସବ, ଅନୁପ ଜଲୋଟାଙ୍କ କଣ୍ଠର ଯାଦୁରେ ଝୁମିଲେ ଦର୍ଶକ

ବ୍ରହ୍ମପୁର : ଏସି ଲାଗି ଲଗନ୍‌, ମୀରା ହୋଗୟି ମଗନ୍‌…, ଅଚ୍ୟୁତମ୍‌ କେଶବମ୍‌, କୃଷ୍ଣ ଦାମୋଦରମ୍‌…। ଲୋକପ୍ରିୟ ଭଜନ ଗାୟକ ଅନୁପ ଜଲୋଟାଙ୍କ ସୁଲଳିତ କଣ୍ଠରେ ଏଭଳି ଗୋଟିଏ ପରେ ଗୋଟିଏ ସ˚ଗୀତ ଆଜି ସନ୍ଧ୍ୟାରେ ରାମଲିଙ୍ଗେଶ୍ବର ମହୋତ୍ସବକୁ ଆଧ୍ୟାତ୍ମିକମୟ କରି ଦେଇଥିଲା। ପବିତ୍ର ମହାଶିବରାତ୍ରୀ ଅବସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦର୍ଶକମାନେ ସ˚ଗୀତର ତାଳେତାଳେ ଝୁମୁଥିବା ଦେଖିବାକୁ ମିଳିଥିଲା। ଏହି ମହୋତ୍ସବରେ ସାରେଗାମା ପ୍ରତିଯୋଗୀ ବର୍ଣ୍ଣାଳୀ ହୋତା, ସୁପ୍ରସିଦ୍ଧ ଭଜନ ଗାୟକ ପ୍ରଭାକର ପାତ୍ର, ଶିବଶଙ୍କର ଷଡ଼ଙ୍ଗୀ, ଡ. ଚନ୍ଦନ ପ୍ରମୁଖ ସୁମଧୂର ଭକ୍ତି ସ˚ଗୀତ ପରିବେଷଣ କରିଥିଲେ। ଉପସ୍ଥାପକ ସାନ୍‌ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ।

ଏହି ମହୋତ୍ସବରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ମାସ୍କ ପରିଧାନ ସହ ସାନିଟାଇଜର୍‌ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହି ମହୋତ୍ସବର ଶୁଭ ଉଦ୍‌ଘାଟନ କରିଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ତା, ଦକ୍ଷିଣା˚ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ତା, ପୂର୍ବତନ ବିଡିଏ ଅଧୢକ୍ଷ  ସୁବାସ ମହାରଣାଙ୍କ ସମେତ ନିଗମ ପ୍ରଶାସକ ତଥା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

ସହରବାସୀ କିପରି ଏଭଳି ମହୋତ୍ସବକୁ ମନଭରି ଉପଭୋଗ କରିବେ ସେ ଉପରେ ଗୁରୁତ୍ବାରୋପ କରିବା ସହ ବ୍ରହ୍ମପୁରର ହୃଦୟଭାବେ ପରିଚିତ ରାମଲିଙ୍ଗମ୍‌ ପୋଖରୀ ଆଜି କିପରି ସହରବାସୀଙ୍କ ମନୋର˚ଜନର ଖୋରାକ୍‌ ସାଜିଛି ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟକ୍ରମର ଏକ ନମୁନା ମାତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ନିଗମ କମିସନର‌୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ସମସ୍ତ ଅତିଥିଙ୍କୁ ସ୍ବାଗତ କରିବା ସହ ସହରବାସୀଙ୍କ ପାଇଁ ଏଭଳି ମନୋର˚ଜନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ବରିଷ୍ଠ ନାଗରିକଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଡେପୁଟି କମିସନର‌୍‌ ରୋମାଞ୍ଚଳ ଖମାରୀ, ଆଶୁତୋଷ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର