ପାକିସ୍ତାନ: ଅପହରଣ ପରେ ବଳପୂର୍ବକ ଧର୍ମାନ୍ତର କରାଇ ହିନ୍ଦୁ ନାବାଳିକାଙ୍କୁ ଅପହର୍ତ୍ତାଙ୍କ ସହ ଦିଆଗଲା ବିବାହ
ନୂଆଦିଲ୍ଲୀ: ନିକଟରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇ ବଳପୂର୍ବକ ଅନ୍ୟ ଧର୍ମରେ ଦୀକ୍ଷିତ କରାଇ ସମ୍ପୃକ୍ତ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଥିବା କଥା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୩ ବର୍ଷ ବୋଲି କୁହାଯାଉଥିବା କବିତା ବାଈ ନାମକ ଉକ୍ତ ନାବାଳିକାଙ୍କୁ ବାହାଲକାନି ଜନଜାତିର ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଇଚ୍ଛା ନ ଥିଲେ ବି କବିତାଙ୍କୁ ବଳପୂର୍ବକ ବାେରେଲ୍ଓ୍ଵି ମୌଲବୀ ମିଆଁ ମିଠୁ ଇସ୍ଲାମ୍ ଧର୍ମରେ ଦୀକ୍ଷିତ କରାଇଥିଲେ। ପରେ ତାଙ୍କୁ ସମ୍ପୃକ୍ତ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଥିଲା।
‘ସାଉଥ୍ ଏସିଆ ମିଡିଆ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ରିପୋର୍ଟ ଅନୁସାରେ, ବଳପୂର୍ବକ ଧର୍ମାନ୍ତର କରାଯାଇ କବିତା ବାଈଙ୍କୁ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଛି। ଏହି ଅକଥନୀୟ ଘଟଣା ଘଟିଛି ସିନ୍ଧ୍ ପ୍ରଦେଶ ଅନ୍ତର୍ଗତ କାଶ୍ମୋର ଜିଲ୍ଲାର ତାଙ୍ଗ୍ଓ୍ଵାନି ଅଞ୍ଚଳରେ।
ବଳପୂର୍ବକ ଧର୍ମାନ୍ତର ଘଟଣାର ଏକ ଭିଡିଓ ମଧ୍ୟ ‘ସାଉଥ୍ ଏସିଆ ମିଡିଆ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ସେୟାର୍ କରିଛି। ତାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋମବାର ଦିନ କବିତାଙ୍କୁ ତାଙ୍କ ଘରୁ ୫ଜଣ ବ୍ୟକ୍ତି ଅପହରଣ କରି ନେଇଥିଲେ। ତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୫ଜଣ ସଶସ୍ତ୍ର ବ୍ୟକ୍ତି ତାଙ୍କ ଘରେ ପଶି ଝିଅକୁ ଘୋଷାରି ନେଇ ଗାଡ଼ିରେ ବସାଇ ନେଇଯାଇଥିଲେ।
ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ବୁଧବାର ଦିନ କବିତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ତାଙ୍କର ବୟସ ୧୮ ଏବଂ ସେ ନାବାଳିକା ନୁହନ୍ତି ବୋଲି କବିତା ଅଦାଲତଙ୍କୁ କହିଛନ୍ତି। ବାପାମାଆଙ୍କ ଇଚ୍ଛା ବିରୋଧରେ ସେ ବିବାହ କରିଥିବା କଥା ମଧ୍ୟ କହିଛନ୍ତି।