ସ୍କୁଲ ପିଲାଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ, ଶିକ୍ଷା ଅଧିକାରୀଙ୍କୁ ଫେରାଇଦେଲେ

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ବାଙ୍କିବାହାଲ-ଟପରିଆ ଦେଇ ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ବିରୋଧ କରି ରତନପୁର ଠାରେ ଚଲାଇଥିବା ଧାରଣା ଆଜି ଦ୍ବିତୀୟ ଦିନରେ। କୌଣସି ସ୍ଥିତିରେ କୋଇଲା ଗାଡ଼ିକୁ ଗାଁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ସେମାନେ ଆଜି ବି ଦୋହରାଇଥିଲେ।

ତେବେ ସ୍କୁଲ ପିଲା ପାଠ ପଢ଼ିବା ଛାଡ଼ି ରାସ୍ତାରେ ଆନ୍ଦୋଳନ କରିବା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ହେମଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦାନନ୍ଦ ନାଏକଙ୍କ ନେତୃତ୍ବରେ ଶିକ୍ଷା ବିଭାଗର ଏକ ଟିମ୍ ରତନପୁର ଯାଇ ଧାରଣାରତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ବୁଝାସୁଝା କରିଥିଲେ। କିନ୍ତୁ ପିଲାଏ ଧାରଣାରୁ ଉଠିବାକୁ ରୋକଠୋକ ମନା କରି ଦେଇଥିଲେ। ଆଗ ଜୀବନ, ପଛେ ପାଠ ବୋଲି ଶୁଣାଇ ଦେଇଥିଲେ। ଶେଷକୁ ଅଧିକାରୀମାନେ ଫେରି ଯାଇଥିଲେ।

ସୂଚନାଯୋଗ୍ୟ, ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିରେ ଜନଶକ୍ତି ବିକାଶ ପରିଷଦ ଦୁର୍ବାର ଆନ୍ଦୋଳନ ଚଲାଇଥିବା ବେଳେ ପୁଲିସ ଜୁଲୁମ ଓ ଗିରଫଦାରି ସତ୍ତ୍ବେ ଆନ୍ଦୋଳନକାରୀ ପଛକୁ ହଟିନାହାନ୍ତି। ୧୮ ତାରିଖ ସକାଳରୁ ରତନପୁର ଠାରେ ସ୍କୁଲପିଲା ହାତରେ ଜୀବନଜୀବିକାର ସୁରକ୍ଷା, ପ୍ରଦୂଷଣମୁକ୍ତ ଅଞ୍ଚଳ ଦାବି ଲେଖା ପ୍ଲାକାର୍ଡ ଧରି ରାସ୍ତାରେ ବସି କୋଇଲା ଗାଡ଼ିକୁ ରୋକିଛନ୍ତି।

୧୭ ତାରିଖରେ ପୁଲିସ ବ୍ୟାରିକେଡ୍ ଭିତରେ କିଛି ଘଣ୍ଟା ପାଇଁ ଏମସିଏଲର କୋଇଲା ଟ୍ରକ ଛତିଶଗଡକୁ ଯାଇଥିବାବେଳେ ଦୁଇ ଦିନ ହେଲା ଗାଡ଼ି ଚଳାଚଳ ବନ୍ଦ ରହିଛି। ଆଜି ଧାରଣାସ୍ଥଳକୁ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଯାଇ ସ୍କୁଲ ପିଲା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବଞ୍ଚିବାର ଅଧିକାର ପାଇଁ ଲଢ଼େଇ ଜରୁରି ବୋଲି କହିଛନ୍ତି। ଯାହା ଆନ୍ଦୋଳନକାରୀଙ୍କ ମନୋବଳ ବଢ଼ାଇଥିବା ପ୍ରକାଶ। ଅନ୍ୟପଟେ ଆଜି ବିସ୍ଥାପିତ ଗାଡ଼ି ମାଲିକ ସଂଘ ସଭାପତି ଗୋପାଳ ପ୍ରଧାନ ଏକ ବିବୃତିରେ କହିଛନ୍ତି, ‘କୋଇଲା ଗାଡ଼ି ରୋକିବାକୁ ଆନ୍ଦୋଳନକାରୀ ଛୁଆମାନଙ୍କୁ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର