ପଦାରେ ପଡ଼ିଲା ବିଜେଡି ବିବାଦ, ୭ରେ ‘ଅନୁଗୁଳ ବନ୍ଦ’କୁ ସମର୍ଥନ ଦେବେନି ସାଂସଦ

ସଭାପତି କହିଲେ, କିଛି ଅସୁବିଧା ନାହିଁ

ଅନୁଗୁଳ : ଉଦ୍ଦେଶ୍ୟ ଗୋଟିଏ, ତାଳଚେର ଥର୍ମାଲ ପାୱାର ଷ୍ଟେସନ୍(ଟିଟିପିଏସ୍) ପୁଣିଥରେ ଚାଲୁ। ଦଳ ବି ସମାନ। କିନ୍ତୁ ଲଢିବେ ଅଲଗା ଅଲଗା। ଆଉ ଭିନ୍ନ ଭିନ୍ନ ଦିନରେ। ଏମିତି ବିଚିତ୍ର ସ୍ଥିତି ଏବେ ଅନୁଗୁଳ ବିଜେଡିରେ ସୃଷ୍ଟି ହୋଇଛି। ଟିଟିପିଏସ ଚାଲୁ କରିବା ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ବିଜେଡି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଆସନ୍ତା ୭ ତାରିଖରେ ବିଜେଡି ପକ୍ଷରୁ ‘ଅନୁଗୁଳ ବନ୍ଦ’ ଡାକରା ଦିଆଯାଇଥିଲାବେଳେ ଦଳର ସାଂସଦ ମହେଶ ସାହୁ ଏହାକୁ ସମର୍ଥନ ଦେବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି। ଏପଟେ ତାଙ୍କ ନେତୃତ୍ବରେ ୮ ତାରିଖରେ ‘ତାଳଚେର ବନ୍ଦ’ ପାଳନ ପାଇଁ ପ୍ରସ୍ତୁତି ଚାଲିଛି।

ଟିଟିପିଏସର ପୁରୁଣା ପ୍ଲାଣ୍ଟକୁ ପୁଣିଥରେ ଚଳାଇବା ପାଇଁ ଦାବି କରିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି ଯେ ଏହା ହଜାର ହଜାର ଲୋକଙ୍କ ପାଇଁ ଭାତହାଣ୍ଡି ଥିଲା। ଓଡ଼ିଶା ଶକ୍ତି କ୍ଷେତ୍ରରେ ଏହାର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ। ଏହାକୁ ନ ଚଳାଇଲେ ବିଜେଡି ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେବା ସହ ଆସନ୍ତା ୭ ତାରିଖରେ ‘ଅନୁଗୁଳ ବନ୍ଦ’ ଡାକରା ଦେଇଛି। ଏଥିନେଇ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସମେତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ ପାଳ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଯୋଗ ଦେଇଥିଲେ। ଅନୁଗୁଳ ଓ ଆଠମଲ୍ଲିକ ବିଧାୟକ ଯୋଗ ଦେଇପାରି ନଥିଲେ ବି ଉଭୟଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସାଂସଦ ମହେଶ ସାହୁଙ୍କୁ ଏଥିରେ ଦେଖିବାକୁ ମିଳି ନ ଥିଲା। ଟିଟିପିଏସ୍‌ ଆନ୍ଦୋଳନରେ ଆରମ୍ଭରୁ ସାଂସଦ ମହେଶ ସାହୁ ସମ୍ମୁଖ ଭାଗରେ ରହି ଆସିଥିଲେ ମଧ୍ୟ ଖୋଦ୍‌ ନିଜ ଦଳ ବିଜେଡି ଏବେ ତାଙ୍କୁ କାହିଁକି କୋଣଠେସା କରୁଛି ତାକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ସଂଶୟ ପ୍ରକାଶ ପାଇଛି। ଏପରିକି ସାଂସଦଙ୍କ ସମର୍ଥକମାନେ ଏହାକୁ ନେଇ ବେଶ୍‌ ଖପ୍ପା ହୋଇଛନ୍ତି। ତେବେ ଜିଲ୍ଲା ସଭାପତି କହିଛନ୍ତି ଯେ ତରବରରେ ଏହି ସାମ୍ବାଦିକ ସମ୍ମିଳନୀ ଡକା ହୋଇଛି। ସାଂସଦଙ୍କୁ ଯୋଗାଯୋଗ ହୋଇ ନ ପାରିବାରୁ ସେ ଆସି ପାରି ନାହାନ୍ତି। ତେବେ ଏହାକୁ ନେଇ ଦଳରେ କୌଣସି ଫାଟ ନ ଥିବା ସେ କହିଛନ୍ତି। ଦଳରେ ସବୁ ଠିକଠାକ୍‌ ଚାଲିଛି। କିଛି ଅସୁବିଧା ହୋଇନି।

ସବୁ ଠିକ୍‌ଠାକ୍ ଥିବା ଜିଲ୍ଲା ସଭାପତି କହୁଥିଲେ ମଧ୍ୟ ଭିତରେ ବଡ଼ଧରଣର ବିବାଦ ଚାଲିଛି ତାହା ସାଂସଦଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି। ସାଂସଦ ମହେଶ ସାହୁ ‘ସମ୍ବାଦ’କୁ କହିଛନ୍ତି ଯେ ଆସନ୍ତା ୮ ତାରିଖରେ ‘ତାଳଚେର ବନ୍ଦ’ ପାଇଁ ତାଳଚେର କ୍ରିୟାନୁଷ୍ଠାନ କମିଟି ଡାକରା ଦେଇଛି। ଏଥିରେ ସାଂସଦ ସାମିଲ୍‌ ଥିବାରୁ ଏହାକୁ ଭଣ୍ଡୁର କରିବା ପାଇଁ ବିଜେଡି ପକ୍ଷରୁ ହଠାତ ୭ରେ ବନ୍ଦ କରାଯାଉଥିବା ପରି ମନେ ହେଉଛି। ଟିଟିପିଏସ ଚାଲୁ କରିବା ପାଇଁ ଯେତେ ଅଧିକ ଚାପ ପଡ଼ିବ, କ୍ରିୟାନୁଷ୍ଠାନ କମିଟି ତାକୁ ସ୍ବାଗତ କରିବ। କିନ୍ତୁ ଆଜି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ନେତାମାନେ ଏ ପର୍ଯ୍ୟନ୍ତ କୁଆଡ଼େ ଯାଇଥିଲେ ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରଶ୍ନ କରୁଛି ବୋଲି ସାଂସଦ କହିଛନ୍ତି। ଏହା ସହ ଆଜି ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀକୁ ତାଙ୍କୁ ଡକାଯାଇ ନ ଥିବା ସେ ସୂଚନା ଦେଇଛନ୍ତି। ସେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୮ ତାରିଖରେ ହେଉଥିବା ବନ୍ଦ ପାଳନରେ ସାମିଲ ହେବାକୁ ଯାଉଥିବାରୁ ବିଜେଡି ପକ୍ଷରୁ କରାଯାଉଥିବା ବନ୍ଦକୁ ସମର୍ଥନ ଦେବା ପ୍ରଶ୍ନ ଉଠୁନି ବୋଲି ସାଂସଦ ରୋକଠୋକ୍‌ କହିଛନ୍ତି।

ଆଗରୁ ବିଭିନ୍ନ ପ୍ରସଙ୍ଗରେ ସାଂସଦ ଓ ବିଧାୟକଙ୍କ ଭିତରେ କନ୍ଦଳ ଲାଗି ରହିଥିବା ସାମ୍ନାକୁ ଆସିଥିଲା। କିନ୍ତୁ ଦଳୀୟ କାର୍ଯ୍ୟକ୍ରମକୁ ସାଂସଦ ଖୋଲାଖୋଲି ବିରୋଧ କରିବା ପରେ ଆଗକୁ ଏହା ବିସ୍ଫୋରକ ରୂପ ଧାରଣ କରିବ ବୋଲି ଚର୍ଚ୍ଚା ହେଉଛି। ସାଂସଦ ମହେଶ ସାହୁ ଦୀର୍ଘଦିନ ଧରି ତାଳଚେର ବିଧାୟକ ରହିଥିଲାବେଳେ ତାଳଚେରରେ ତାଙ୍କର ବେଶ୍‌ ପ୍ରଭାବ ରହିଛି। ପୁଣି ଟିଟିପିଏସ୍‌କୁ ନେଇ ସେ ବହୁ ଆଗରୁ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି। ତେଣୁ ତାଙ୍କୁ ଅଣଦେଖା କରିବା ଫଳରେ ବିଜେଡିର କ୍ଷତି ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର