ରାଜ୍ୟର ପ୍ରମୁଖ ବୈଷୟିକ ଅନୁଷ୍ଠାନ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ସହବନ୍ଧନ ନେଇ ସହମତି
ବିଶ୍ୱସ୍ତରୀୟ କମ୍ପାନିଙ୍କ ସହିତ ଧର୍ମେନ୍ଦ୍ରଙ୍କ ଆଲୋଚନା
ଭୁବନେଶ୍ୱର : ରାଜ୍ୟରେ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ ନେଇ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକର ସହଯୋଗ ନିଆଯିବ। ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ନିମନ୍ତେ ରାଜ୍ୟର ପ୍ରମୁଖ ବୈଷୟିକ ଅନୁଷ୍ଠାନଗୁଡ଼ିକ ସହିତ ଅନ୍ତର୍ଜାତୀୟ ତାଲିମ୍ ପ୍ରଦାନକାରୀ କମ୍ପାନିଗୁଡ଼ିକର ସହବନ୍ଧନ ହେବ। ଆଜି ୨୨ତମ ରିଫାଇନାରି ଏବଂ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ପ୍ରମୁଖ କମ୍ପାନୀ ମୁଖ୍ୟ ମାନଙ୍କ ସହିତ ଏକ ସ୍ୱତନ୍ତ୍ର ଆଲୋଚନା କାଳରେ ଏପରି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ଦକ୍ଷତା ବିକାଶ ତାଲିମ ଦେଉଥିବା ଅନୁଷ୍ଠାନ, ହିଟାଚିଜୋସେନ, ମିତ୍ସୁବିସି, ଟୟୋ ଇଞ୍ଜିନିୟରିଂ ଇଣ୍ଡିଆ ପ୍ରା. ଲି ଭଳି ଜାପାନୀ କମ୍ପାନି ଏବଂ ଡୁପଂଟ, ଏକ୍ସୋନମୋବିଲ, ହଲଡର ଟୋପସୁ, ୟୁଓପି ଆଦି ଭଳି ବିଶ୍ୱର ଖ୍ୟାତନାମା ତୈଳ ଓ ଗ୍ୟାସ କମ୍ପାନୀର ପ୍ରତିନିଧିଙ୍କ ସହିତ ଏକାଠି ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ। ଜାପାନ ରାଷ୍ଟ୍ରଦୂତ କେନ୍ଜି ହୀରାମାସୁ ରାଜ୍ୟରେ ଉପଯୁକ୍ତ ତାଲିମ୍ ପ୍ରଦାନ ପୂର୍ବକ ଦକ୍ଷତା ବିକାଶ କରାଗଲେ ଏହା ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହେବ। ଏନେଇ ଜାପାନ ସର୍ବଦା ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଥିଲେ।
ବିଶେଷକରି ପାରାଦୀପରେ ପେଟ୍ରୋକେମିକାଲ୍ସ, ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶକ୍ଷେତ୍ର (ପିସିପିଆଇଆର) ହାଇଡ୍ରୋକାର୍ବନ ଶିଳ୍ପ ତଥା ଅନ୍ୟାନ୍ୟ ଉପକ୍ଷେତ୍ର ପାଇଁ ବିବିଧ କୁଶଳୀ ବୃତ୍ତିଧାରୀ ଆବଶ୍ୟକ କରୁଛି। ତେଣୁ ନେଟୱର୍କିଂ ନିଯୁକ୍ତିଦାତା ଏବଂ ଦକ୍ଷତା ପ୍ରତିପାଦନ ପାଇଁ ବ୍ୟକ୍ତି ବିଶେଷଙ୍କ ସହିତ ସକାରାତ୍ମକ ଭାବବିନିମୟ ଏହି କ୍ଷେତ୍ରରେ ସହାୟକ ହେବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଦକ୍ଷତା) ରାଜେଶ ଅଗ୍ରୱାଲ ପ୍ରକାଶ କରିଥିଲେ। ଏହି ବୈଠକରେ ଆଇଆଇଆଇଟି ଭୁବନେଶ୍ୱର, ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ, ସିପେଟ, ସିଭି ରମଣ ଇଞ୍ଜିନିୟରିଂ କଲେଜ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍), ସିଟିଟିସି, ସେଂଚୁରିଆନ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଭଳି ରାଜ୍ୟର ପ୍ରମୁଖ ଦକ୍ଷତା ବିକାଶ ପ୍ରତିଷ୍ଠାନର ପ୍ରତିନିଧି ସାମିଲ ହୋଇଥିଲେ।