୨ ହଜାର ଟଙ୍କା ପାଇଁ ହତ୍ୟା: ଠିକାଦାରଙ୍କୁ ହତ୍ୟା କଲା ଶ୍ରମିକ, ହତ୍ୟା ପରେ ଅନ୍ତବୁଜୁଳା ଫିଙ୍ଗିଲା

କବିସୂର୍ଯ୍ୟନଗର : ବକେୟା ମାତ୍ର ଦୁଇ ହଜାର ଟଙ୍କା ଦେଉ ନଥିବାରୁ ଶ୍ରମିକ ଭାବେ କାମ କରୁଥିବା ଜଣେ ଯୁବକ ଆଜି ଗାଁଦାଣ୍ଡରେ ଜଣେ ଠିକାଦାରଙ୍କୁ ଛୁରୀରେ ଭୁସି ନିର୍ମମ ଭାବେ ହତ୍ୟା କରିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡ଼ା ଗ୍ରାମରେ ଏହି ବୀଭତ୍ସ ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ରାଧାକୃଷ୍ଣ ସାହୁ(୧୯)କୁ ଗିରଫ କରିବା ସହ ରକ୍ତଭିଜା ଛୁରୀ ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ, ଭାଟପଡ଼ା ଗ୍ରାମର ଟୁକୁନା ଜଣେ ଶ୍ରମିକ ଠିକାଦାର। ସ୍ଥାନୀୟ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ବିଭିନ୍ନ ନିର୍ମା‌ଣ କାମରେ ଶ୍ରମିକ ପଠାଇ ନିୟୋଜିତ କରୁଥିଲେ। ତାଙ୍କ ଜରିଆରେ ଅଭିଯୁକ୍ତ ଏ.ବରିଡ଼ା ଗ୍ରାମର ରାଧାକୃଷ୍ଣ ଶ୍ରମିକ ଭାବେ ଆନ୍ଧ୍ର ଯାଇ କାମ କରିଥିଲେ। ହେଲେ ଗ୍ରାମକୁ ଫେରିବା ପରେ ରାଧାକୃଷ୍ଣଙ୍କ ୨ ହଜାର ଟଙ୍କା ପ୍ରାପ୍ୟ ପାଇବାକୁ ଥିଲା। ଅଭିଯୁକ୍ତ ବାରମ୍ବାର ବକେୟା ଟଙ୍କା ମାଗି ନିରାଶ ହୋଇଥିଲେ ବି ଠିକାଦାର ଟୁକୁନା ପ୍ରାପ୍ୟ ଦେଇ ନଥିଲେ। ଆଜି ସକାଳୁ ଠିକାଦାର ଟୁକୁନା ଶ୍ରମିକ ଯୋଗାଡ଼ ପାଇଁ ଗୋବିନ୍ଦପୁର ଆସିଥିଲେ। ଏହି ସୂଚନା ପାଇ ଅଭିଯୁକ୍ତ ରାଧାକୃଷ୍ଣ ବରିଡ଼ା ଗ୍ରାମ ଜଗନ୍ନାଥ ମନ୍ଦିର ସାମ୍ନାରେ ଯୋଜନା ମୁତାବକ ଅପେକ୍ଷା କରିଥିଲା। ଟୁକୁନା ସେହି ରାସ୍ତାରେ ପହଞ୍ଚିବା କ୍ଷଣି ତାଙ୍କୁ ଅଟକାଇ ବକେୟା ଟଙ୍କା ମାଗିଥିଲା। ହେଲେ ଟଙ୍କା ପରେ ଦେବି କହିବାରୁ ହଠାତ୍‌ ଲୁଚାଇ ରଖିଥିବା ଛୁରୀ ବାହାର କରି ରାଧାକୃଷ୍ଣ ତାଙ୍କୁ ଭୁସି ଦେଇଥିଲା।

ପ୍ରାଣ ବିକଳରେ ଟୁକୁନା ଖସି ପଳାଇବାକୁ ଉଦ୍ୟମ କଲା ବେଳେ ତାଙ୍କୁ ରା‌ଧାକୃଷ୍ଣ ବାରମ୍ବାର ଛୁରୀରେ ଭୁସି ଗାଁ ଦାଣ୍ଡରେ କିଛି ସମୟ ଆତଙ୍କ ଖେଳାଇଥିଲା। ଲୋକେ ଦୂରରେ ଜମା ହୋଇ ଏ ବୀଭତ୍ସ ଦୃଶ୍ୟ ଦେଖୁଥିଲେ। ଏପରିକି କିଛି ସମୟ ପରେ ଅଭିଯୁକ୍ତ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଟୁକୁନାଙ୍କ ପାଖରେ ବସି ଛୁରୀରେ ଅନ୍ତବୁଜୁଳା ବାହାର କରି ରାସ୍ତାରେ ଫିଙ୍ଗି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର