ଗର୍ଭିଣୀ ନାଗୁଣୀ ମୁହଁରେ ଅଠା, ଓୟୁଏଟିରେ ଅସ୍ତ୍ରୋପଚାର ପରେ ଖୋଲିଲା ପାଟି

ଦାୟୀ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ନେକ୍ ହେଲ୍ପଲାଇନ୍‌ର ଦାବି

ପୁରୁଣା ଭୁବନେଶ୍ବର : ଗର୍ଭବତୀ ନାଗସାପର ପାଟି ବନ୍ଦ ପାଇଁ ଲଗାଇଦେଲେ ଅଠା। ଯେମିତିକି ସାପଟି ପାଟି ଖୋଲି ପାରିବ ନାହିଁ କି କାହାକୁ କାମୁଡ଼ି ପାରିବ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ସମ୍ଭବତଃ କୌଣସି ଧାର୍ମିକ କାର୍ଯ୍ୟରେ ସାପଟିକୁ ବ୍ୟବହାର କରିବା ଲାଗି କେହି ଏଭଳି ଅମାନୁଷିକ କାର୍ଯ୍ୟ କରିଥିଲା। ରାଜଧାନୀର ଏକ ମନ୍ଦିର ପରିସରରୁ ଏଭଳି ଅବସ୍ଥାରେ ନାଗସାପଟିକୁ ସ୍ନେକ ହେଲ୍ପଲାଇନର ଜଣେ ସଦସ୍ୟ ଉଦ୍ଧାର କରିବା ପରେ ଓୟୁଏଟିକୁ ଅଣାଯାଇଥିଲା। ଶେଷରେ ଓୟୁଏଟି ପଶୁ ଚିକିତ୍ସା ବିଭାଗର ବିଶେଷଜ୍ଞମାନେ ପ୍ରାୟ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର କରିବା ପରେ ସାପର ପାଟି ଖୋଲିଛି ଏବଂ ସାପଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ସଂଧ୍ୟା ୬ଟାରେ ପୁରୁଣା ଭୁବନେଶ୍ୱରର ସ୍ଥିତ ତାରିଣୀ ମନ୍ଦିର ନିକଟରେ ଗୁରୁତର ଅବସ୍ଥାରେ ନାଗସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପଲାଇନର ସଦସ୍ୟ ଅରୁଣ ବରାଳ। ସାପର ଗତିବିଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସାପଟି ସମ୍ପୂର୍ଣ ଭାବରେ ଫଣା ଟେକି ପାରୁନଥିଲା କି ପାଟି ଖୋଲି ପାରୁନଥିଲା। ମୁଣ୍ଡ ଉପର ଏବଂ ପାଟି ତଳ କାତି ଛଡ଼େଇବା ବେଳେ ଅଠା ବାହାରିଥିଲା। ଶୁକ୍ରବାର ସକାଳେ ସ୍ନେକ ହେଲ୍ସଲାଇନ ପକ୍ଷରୁ ସାପଟିକୁ ଓୟୁଏଟି ସ୍ଥିତ ଭେଟେରିନାରି କଲେଜକୁ ଅଣା ଯାଇଥିଲା। ପଶୁ ଚିକିତ୍ସା ବିଭାଗର ସର୍ଜରି ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣି ନାଥ ଏକ୍ସ-ରେ କରିବା ପରେ ସାପଟି ଗର୍ଭବତୀ ଥିବା ଜଣାପଡ଼ିଥିଲା। ପେଟ ଭିତରେ ଅନେକ ଅଣ୍ଡା ଥିଲା। ତେଣୁ ପାଟିରେ ଲାଗିଥିବା ଅଠା ଛଡ଼େଇବା ପାଇଁ ଅନେକ ପ୍ରକାରର ରାସାୟନିକ ତରଳ ପଦାର୍ଥ ମିଳୁଥିଲେ ମଧ୍ୟ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନ କରିବାକୁ ପ୍ରଫେସର ନାଥ ସ୍ଥିର କରିଥିଲେ। ଏହା ତାର ଗର୍ଭରେ ଥିବା ଅଣ୍ଡାକୁ ପ୍ରଭାବିତ କରିବାର ଆଶଙ୍କା ଥିଲା। ତେଣୁ ସାପ ପାଟିରୁ ଅଠା ଛଡ଼େଇବା ପାଇଁ ଦେଶୀ ଉପାୟ ହିସାବରେ ଲେମ୍ବୁ ରସ ବ୍ୟବହାର କରିବା ପାଇଁ ସ୍ନେକ୍ ହେଲ୍‌ପଲାଇନ୍‌ର ଶୁଭେନ୍ଦୁ ମଲ୍ଲିକ ପ୍ରସ୍ତାବ ଦେଇଥିଲେ। ଲେମ୍ବୁରସରେ ସାଇଟ୍ରିକ ଏସିଡ ଥିବାରୁ ଏହା ଅଠାକୁ ଛଡ଼େଇ ପାରିବ ବୋଲି ଅନୁମାନ କରାଯାଇଥିଲା। ଏହି ଉପାୟ ଅବଲମ୍ବନ କରି ଏକ ଟ୍ରେରେ ନଖ ଉଷୁମ ପାଣି ରଖାଟାଇଥିଲା ଏବଂ ସେଥିରେ ଗୋଟିଏ ଲେମ୍ବୁ ଚିପୁଡି ରସ ମିଶାଯାଇଥିଲା। ନାଗ ସାପ ମୁଣ୍ଡକୁ ହାତରେ ଧରି କିଛି ସମୟ ସେହି ପାଣିରେ ଭିଜାଗଲା ପରେ ସାପର ମୁହଁର ଧାରଗୁଡିକ ଖୋଲିବା ଆରମ୍ଭ ହୋଇଥିଲା। ପାଟି ଭିତରେ ଲାଗିଥିବା ଧଳା ରଙ୍ଗର ସିନ୍ଥେଟିକ ଅଠାକୁ ସଫା କରିବା ଲାଗି ଲେମ୍ବରସ ଭିଜା ଇୟର ବଡ଼୍ ବ୍ୟବହାର କରାଯାଇଥିଲା। ଘଣ୍ଟାଏରୁ ଊର୍ଦ୍ଧ୍ବ କାଳ ଅସ୍ତ୍ରୋପଚାର ପରେ ଶେଷରେ ସାପ ପାଟିରୁ ସବୁ ଅଠା ଛାଡ଼ିଥିଲା।

ଡାକ୍ତର ଇନ୍ଦ୍ରମଣି ନାଥ କହିଛନ୍ତି ଯେ ସାପ ମୁହଁକୁ ଅଠା ଦେଇ ବନ୍ଦ କରିବା ଅତି ବର୍ବର କାର୍ଯ୍ୟ। କେହି ଜଣେ ସାପକୁ ଧରି ଫେଭିକଲ ବା ସେହିଭଳି କିଛି ସିନ୍ଥେଟିକ ଅଠା ତା ପାଟିରେ ଭର୍ତ୍ତି କରିଛି। ହୁଏତ ସେଥିରେ ଫେଭିକୁଇକ ଅଠା ମଧ୍ୟ ମିଶାଯାଇଛି। ତେବେ ସାପଟି ସୁସ୍ଥ ଅଛି ଏବଂ ମାତ୍ର ଗୋଟିଏ ଦିନ ରଖିବା ପରେ ତାକୁ ଛାଡ଼ି ଦିଆଯିବ। ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ନାଗସାପ ପାଟିରୁ ଅଠା ଛଡେଇବାବେଳେ ସବୁଠୁ କଷ୍ଟ କାମ ଥିଲା ସାପଟିର ମୁଣ୍ଡକୁ ଧରିପାଟିକୁ ମେଲା କରି ଧରିବା। କାରଣ ସାପଟିର ବିଷ ଦାନ୍ତ ଦୁଇଟି ଅକ୍ଷତ ଅବସ୍ଥାରେ ଥିଲା। ଏହି ବିପଦପୂର୍ଣ କାମକୁ ପାଳି କରି କରିଥିଲେ ସ୍ନେକ ହେଲ୍ପଲାଇନ ସଦସ୍ୟ ପୂର୍ଣଚନ୍ଦ୍ର ଦାସ ଓ ସିଲକା ସେଲୋନୀ। ଏଭଳି ଘଟଣାକୁ ସେ ଦୃଢ ନିନ୍ଦା କରିବା ସହ ଧାର୍ମିକ ଅନୁଷ୍ଠାନରେ ବ୍ୟବହାର କରିବା ପାଇଁ ହିଁ ଏଇ ସାପ ମୁହଁ କୁ ଅଠା ଦେଇ ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି। ଏକ ଗର୍ଭବତୀ ସାପର ମୁହଁ କୁ ବାନ୍ଧି ତାକୁ ଅଖିଆ ଅପିଆ ମରିବାକୁ ଛାଡିଦେବା କଦାପି ଧର୍ମ ନୁହେଁ। ତେଣୁ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଉଲ୍ଲଂଘନ ଅପରାଧରେ ନାଗ ସାପ ମୁହଁରେ ଅଠା ଦେଇଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର