ଆସନ୍ତାକାଲି ଅଣ-କଂଗ୍ରେସ ଦଳମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ଶରଦ ପାୱାର ଓ ପ୍ରଶାନ୍ତ କିଶୋର 

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବା ଆରମ୍ଭ କରିଛନ୍ତି। ସୋମବାର ପ୍ରଶାନ୍ତ କିଶୋର ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ବୈଠକ ପରେ ମଙ୍ଗଳବାର ଦିନ ରାଷ୍ଟ୍ର ମଞ୍ଚର ଏକ ବୈଠକ ହେବ। ମଙ୍ଗଳବାର ଦିନ ଅପରାହ୍ନ ୪ଟାରେ ଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ମୋଦୀ ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ର ମଞ୍ଚର ବୈଠକ ଅନୁଷ୍ଠିତ ହେବ। ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମ ଥର ପାଇଁ ରାଷ୍ଟ୍ର ମଞ୍ଚ ବୈଠକରେ ଯୋଗଦେବେ |

୨୦୧୮ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ଦ୍ୱାରା ରାଷ୍ଟ୍ର ମଞ୍ଚ ଗଠନ କରାଯାଇଥିଲା। ଯଶୱନ୍ତ ସିହ୍ନା ଏବଂ ଶରଦ ପାୱାରଙ୍କ ବ୍ୟତୀତ ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ ଓ ପବନ ବର୍ମାଙ୍କ ଛଡା ଆଉ କିଛି ନେତା ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବେ। ୨୦୧୮ ମସିହାରେ, ଯଶୱନ୍ତ ସିହ୍ନା ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ରାଷ୍ଟ୍ର ମଞ୍ଚ ଆରମ୍ଭ କରିଥିଲେ।

ବିରୋଧୀ ଦଳର ବିଭିନ୍ନ ନେତାଙ୍କ ବ୍ୟତୀତ ଅଣ ରାଜନୈତିକ ବ୍ୟକ୍ତି ମଧ୍ୟ ଏଥିରେ ଭାଗ ନେଇଛନ୍ତି। ରାଷ୍ଟ୍ର ମଞ୍ଚର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା। ମଙ୍ଗଳବାର ଦିନ ଶରଦ ପାୱାରଙ୍କ ଘରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ର ମଞ୍ଚ ବୈଠକରେ କଂଗ୍ରେସ ନେତାମାନେ ଯୋଗଦେବେ ନାହିଁ। କୁହାଯାଉଛି ଯେ ଏହି ବୈଠକରେ ତୃତୀୟ ମେଣ୍ଟର ରୂପରେଖ ବାବଦରେ ଆଲୋଚନା ହୋଇପାରେ | ତେଣୁ କଂଗ୍ରେସ ନେତାମାନେ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି।

ସମ୍ବନ୍ଧିତ ଖବର