ବଦଳି ତାଲିକାରେ ୨ ମୃତ ପୁଲିସ କର୍ମଚାରୀ

ଭୁବନେଶ୍ବର : ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇ ସାରିଲାଣି। କିନ୍ତୁ ବଦଳି ଆଦେଶ ହୋଇଛି। ବଦଳି ତାଲିକାରେ ସ୍ଥାନ ପାଇଛି ଦୁଇ ମୃତ ପୁଲିସ କର୍ମଚାରୀଙ୍କ ନାମ। ଜଣେ କର୍ମଚାରୀଙ୍କୁ ଭୁବନେଶ୍ବର ଓଆଇଏସ୍‌ଏଫ୍‌ରୁ କୋରାପୁଟ ବଦଳି କରାଯାଇଥିବା ବେଳେ ଆଉ ଜଣଙ୍କୁ ଅଷ୍ଟମ ଓଏସ୍‌ଏପି ବାଟାଲିୟନ୍‌ରୁ ଗଜପତି ବଦଳି କରାଯାଇଛି। ତେବେ ଏଭଳି ଆଦେଶନାମା ପ୍ରକାଶ ପାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଏହି ଦୁଇଟି ନାମ ବାଦ୍‌ ଦିଆଯାଇ ଗତ ୧୯ ତାରିଖରେ ସଂଶୋଧିତ ତାଲିକା ପ୍ରକାଶ ପାଇଛି।

ଗତ ୧୮ ତାରିଖ ଦିନ ସ୍ପେସାଲ ଆର୍ମଡ୍‌ ପୁଲିସ ମୁଖ୍ୟାଳୟ(ଭୁବନେଶ୍ବର)ରୁ ପ୍ରକାଶ ପାଇଥିବା ବଦଳି ଆଦେଶନାମାରେ ୩୨ ଜଣଙ୍କ ନାମ ରହିଥିଲା। ତେବେ ସେମାନଙ୍କ ମଧ୍ୟରୁ ଦୁଇ କର୍ମଚାରୀଙ୍କ ପରଲୋକ ହୋଇ ସାରିଥିବା ଜଣାପଡ଼ିବା ପରେ ତାଲିକାରୁ ୨ ଜଣଙ୍କ ନାମ ବାଦ୍ ଦିଆ ଯାଇଥିଲା। ଏଭଳି ତ୍ରୁଟି ନୂଆ ନୁହେଁ। ନିକଟ ଅତୀତରେ ରାଜ୍ୟ ଗୃହ ବିଭାଗରୁ ଏଭଳି ଏକ ବଦଳି ଆଦେଶ ପ୍ରକାଶ ପାଇଥିଲା। ଏଥିରେ ମଧ୍ୟ ଜଣେ ମୃତ ପୁଲିସ ଅଧିକାରୀଙ୍କ ନାଁ ରହିଥିଲା। ପରଦିନ ତ୍ରୁଟି ସଂଶୋଧନ କରାଯାଇ ଥିଲା।

ବଦଳି ତାଲିକା କୌଣସି ତଳିଆ କର୍ମଚାରୀ ତିଆରି କରନ୍ତି ନାହିଁ। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ କର୍ମଚାରୀମାନଙ୍କର ନାମ ସୁପାରିସ କରାଯାଇଥାଏ। ସ୍ବତନ୍ତ୍ର ଟ୍ରାନ୍ସଫର କମିଟି ଏହି ପ୍ରସ୍ତାବିତ ତାଲିକାର ବିଚାର କରିଥାଏ। ତାଲିକାରେ ଥିବା ପ୍ରତ୍ୟେକ ନାମକୁ ବିଚାରକୁ ନିଆଯାଇଥାଏ। କର୍ମଚାରୀ ସ୍ବଇଚ୍ଛାରେ କେଉଁଠାକୁ ଯିବାକୁ ଚାହିଁଛି କି ନାହିଁ? କର୍ମଚାରୀଙ୍କ ବିରୋଧରେ କିଛି ଅଭିଯୋଗ ରହିଛି କି ନାହିଁ? ନିୟମ ମୁତାବକ ଗୋଟିଏ ଜାଗାରେ ଧାର୍ଯ୍ୟ ସମୟଠାରୁ ଅଧିକ ରହିଛି କି? ଏସବୁ ବିଚାର କରିବା ପରେ କମିଟି ଏହି ପ୍ରସ୍ତାବ ଉପରେ ମୋହର ମାରିଥାଏ। ଶେଷରେ ସଂସ୍ଥାର ମୁଖିଆଙ୍କ ଦସ୍ତଖତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥାଏ।

ପ୍ରଶ୍ନ ଉଠୁଛି ଏଭଳି ଏକ ଲମ୍ବା ଯା‌ଞ୍ଚ ପ୍ରକ୍ରିୟା ଦେଇ ଯାଇଥିବା ତାଲିକାରେ ମୃତ ବ୍ୟକ୍ତିଙ୍କ ନାମ କିଭଳି ଆସୁଛି? ବାସ୍ତବରେ କମିଟି ଏଭଳି ବିଚାର କରେ ନା କେବଳ ଦସ୍ତଖତ ମାରେ? ନା’ ତାଲିକା ପ୍ରସ୍ତୁତ ହୋଇ ରହିଥାଏ, ମୁଖିଆ କେବଳ ଦସ୍ତଖତ ମାରନ୍ତି? ଏଭଳି ତ୍ରୁଟି ପଛର କାରଣ ଯାହା ବି ହେଇଥାଉ, ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି। ଏ ଭଳି ତ୍ରୁଟି ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଏହା ଏକ ଲମ୍ବା ପ୍ରକ୍ରିୟା। ପ୍ରକ୍ରିୟା ଭିତରେ କାହାର ମୃତ୍ୟୁ ଘଟିଲେ ଦେଖିବା ସମ୍ଭବ ହୋଇନଥାଏ। ଏଣୁ ଏଭଳି ହୋଇଯାଏ।’

ସମ୍ବନ୍ଧିତ ଖବର