ପାରଳା ମହାରାଜାଙ୍କୁ ଅସମ୍ମାନ!

୨ ଲେଖକଙ୍କ କାଠଗଡ଼ାରେ ଦୁଇ ମହାରାଜା
ଅସମ୍ମାନସୂଚକ ମନ୍ତବ୍ୟକୁ ନେଇ ସ୍ବର ଉଠିଲା
ପ୍ରତିବାଦ ଜଣାଇଲେ ଜୟପୁର ରାଣୀ ସାରିକା ଦେବୀ
ରାଜକୁମାରୀ କଲ୍ୟାଣୀ ଗଜପତି ନିରବ

ପାରଳାଖେମୁଣ୍ଡି/ଭୁବନେଶ୍ବର : ‘ଜୟପୁର ରାଜବଂଶାବଳୀ’ ପୁସ୍ତକରେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ କିଛିଦିନ ତଳେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟିହେବା ସହିତ କେତେ ସଂଗଠନ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ପୁସ୍ତକରେ ଜୟପୁର ମହାରାଜା ବିକ୍ରମ ଦେବ ବର୍ମାଙ୍କ ପ୍ରତି ବି ଆକ୍ଷେପ କରାଯିବା ସହିତ ଅରୁଚିକର ମନ୍ତବ୍ୟ ରହିଛି। ଜୟପୁର ରାଣୀ ସାରିକା ଦେବୀ ଏହାର ତୀବ୍ର ପ୍ରତିବାଦ କରିଛନ୍ତି। ତେବେ, ପାରଳା ମହାରାଜାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟରେ ରାଜକୁମାରୀ କଲ୍ୟାଣ ଗଜପତି ନିରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ପୁସ୍ତକରେ ଦୁଇ ମହରାଜାଙ୍କୁ ଏକପ୍ରକାର କାଠଗଡ଼ାରେ ଠିଆ କରାଯାଇଥିଲେ ବି ରାଜ୍ୟ ସରକାର ବି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏହି ‘ଜୟପୁର ରାଜବଂଶାବଳୀ’ ପୁସ୍ତକ ପ୍ରକାଶ ପାଇଛି। ସୂଚନା ଅନୁସାରେ, ସେହି ପୁସ୍ତକର ୩୩୨ ନଂ ପୃଷ୍ଠାରେ ଉକ୍ତ ଦୁଇ ମହାରାଜା ‘କୂଟ ଚକ୍ରାନ୍ତ କରି ତତ୍କାଳୀନ ମାଡ୍ରାସ ସରକାରଙ୍କ ଗୋପନ ପରାମର୍ଶରେ ନିଜର ସ୍ବାର୍ଥ ପୂରଣ ପାଇଁ ଅର୍ଦ୍ଧେକ ଓଡ଼ିଆ ଅଞ୍ଚଳ ଆନ୍ଧ୍ର ପ୍ରଦେଶକୁ ଦେଇ ଓଡ଼ିଆମାନଙ୍କୁ ଦୁଇ ଭାଗ କରି ଦେଇଛନ୍ତି’ ବୋଲି ବର୍ଣ୍ଣନା କରାଯାଇଛି। ଏହି ଦୁଇ ମହାରାଜାଙ୍କୁ ବ୍ରିଟିସ୍ ସରକାରଙ୍କ ଚାଟୁକାର ବୋଲି ମଧ୍ୟ ଉକ୍ତ ପୁସ୍ତକରେ ଉଲ୍ଲେଖ କରାଯାଇ ସେମାନେ ପୂଜ୍ୟପୂଜାର ଯୋଗ୍ୟ କି ବୋଲି ପ୍ରଶ୍ନ କରାଯାଇଛି।

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଥିଲେ। ଏଥିପାଇଁ ସେ ୧୯୧୪ରୁ ୧୯୩୬ ମସିହା ପର୍ଯ୍ୟନ୍ତ କରିଥିବା ନିଷ୍ଠାପର ଉଦ୍ୟମ ଓ ସେ ଦିଗରେ ଅଜସ୍ର ଅର୍ଥ ବ୍ୟୟ କରିବା ସହ ବାରମ୍ବାର ଲଣ୍ଡନ ଯାଇ ଓଡ଼ିଶା ସପକ୍ଷରେ ଦାବି ଉପସ୍ଥାପନ କରିଥିବା ସମସ୍ତେ ଜାଣନ୍ତି। ଏଥିସହ ଶିକ୍ଷାର ବିକାଶ, ଗମନାଗମନର ଉନ୍ନତି, ମେଡିକାଲ କଲେଜ ପ୍ରତିଷ୍ଠା, ଓଡ଼ିଶା ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମ ପ୍ରଶଂସନୀୟ ଥିଲା। ସେହିପରି ମହାରାଜା ବିକ୍ରମ ଦେବ ବର୍ମା ମଧ୍ୟ ଓଡ଼ିଶା ପ୍ରଦେଶ ଗଠନରେ ଯଥାସାଧ୍ୟ ଉଦ୍ୟମ କରିବା ସହ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଯଥେଷ୍ଟ କାର୍ଯ୍ୟ କରିଥିଲେ। ଏହି ଉଭୟ ରାଜା ଓଡ଼ିଶାର ସର୍ବଜନପୂଜ୍ୟ ଅଟନ୍ତି। ଏପରିସ୍ଥଳେ, ଦୁଇ ମହାରାଜଙ୍କ ପ୍ରତି ଏହିଭଳି ଅସମ୍ମାନଜନକ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପାରଳାଖେମୁଣ୍ଡିର ଉତ୍କଳ ହିତୈଷିଣୀ ସମାଜ ମହାରାଜାଙ୍କ ପ୍ରତି ଉକ୍ତ ପୁସ୍ତକରେ ଉଲ୍ଲିଖିତ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରିଛି। ଏହି ଅନୁଷ୍ଠାନର ସମ୍ପାଦକ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଥିପାଇଁ ଉକ୍ତ ପୁସ୍ତକର ଦୁଇ ଲେଖକ ସୁବାସ ଚନ୍ଦ୍ର ମିଶ୍ର ଓ କୃଷ୍ଣଚନ୍ଦ୍ର ସାହୁଙ୍କ ବିରୋଧରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦାୟର କରିଛନ୍ତି। ତାଙ୍କ ଅଭିଯୋଗ ଉପରେ ଏ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାପଡ଼ିଛି। ଆହୁରି ମଧ୍ୟ ଉକ୍ତ ପୁସ୍ତକରେ ଓଡ଼ିଶାର ପ୍ରଣମ୍ୟ ଓ ପ୍ରବାଦପୁରୁଷ ବିଜୁ ବାବୁଙ୍କ ସମ୍ପର୍କରେ ମଧ୍ୟ ଏହି ପୁସ୍ତକରେ ଅରୁଚିକର ମନ୍ତବ୍ୟ ଦିଆ ଯାଇଥିବା ଅଭିଯୋଗ ହେଉଛି। ଏହାସହ ପୁସ୍ତକର ସଂପୂର୍ଣ୍ଣ ବିକ୍ରି, ପ୍ରଚାର, ପ୍ରସାର ବନ୍ଦ କରିବାକୁ ସରକାରଙ୍କୁ ମଞ୍ଚ ଅନୁରୋଧ କରିଛି।

ପାରଳା ଗଜପତି ବିକାଶ ମଞ୍ଚ, ଭୁବନେଶ୍ବର ପକ୍ଷରୁ ମଧ୍ୟ ଏହିଭଳି ଅରୁଚିକର ମନ୍ତବ୍ୟର କଡ଼ା ନିନ୍ଦା କରିଛି। ମଞ୍ଚର ସଭାପତି ରାସବିହାରୀ ମହାନ୍ତି କହିଛନ୍ତି ଯେ, ଏପରି ଜଣେ ବ୍ୟକ୍ତିତ୍ବଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଏବଂ ଇତିହାସକୁ ଠିକ୍ ଭାବେ ନଜାଣି ପୁସ୍ତକକୁ ଅଧିକ ବିକ୍ରି କରିବା ଲାଗି ଇତିହାସକୁ ବିକୃତ କରିବା ଏକ ଜାତି ଦ୍ରୋହ। ତେଣୁ ଦୁଇ ଲେଖକଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଗଜପତି ବିକାଶ ମଞ୍ଚ ସରକାରଙ୍କୁ ଅନୁରୋଧ କରିଛି।

ଅନ୍ୟପକ୍ଷରେ , ମହାରାଜା ବିକ୍ରମ ଦେବଙ୍କ ପ୍ରତି ଥିବା ଅଶାଳୀନ ମନ୍ତବ୍ୟର ପ୍ରତିବାଦ ଜୟପୁରର ରାଣୀ ସାରିକା ଦେବୀ କରି ସାରିଛନ୍ତି। ତେବେ ଏବେ ସୁଦ୍ଧା ପାରଳା ରାଜ ପରିବାରର ଦାୟାଦ ରାଜକୁମାରୀ ସୁଶ୍ରୀ କଲ୍ୟାଣୀ ଗଜପତିଙ୍କ ନିରବତା ସମସ୍ତଙ୍କୁ ବିସ୍ମିତ କରିଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନର ସ୍ବୀକୃତି ସ୍ଵରୂପ ବିଜୁବାବୁ ତାଙ୍କ ନାମରେ ଗଜପତି ଜିଲ୍ଲାର ନାମକରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ରାଜଧାନୀରେ ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ତଥାପି ରାଜ୍ୟ ପ୍ରଶାସନ ଓ ପୁଲିସ ପକ୍ଷରୁ ବିବାଦୀୟ ପୁସ୍ତକର ଲେଖକ ଦ୍ୱୟଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ଅସନ୍ତୋଷ ବଢ଼ାଉଛି। ଯଥାଶୀଘ୍ର ଉକ୍ତ ଦୁଇ ଲେଖକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ପୁସ୍ତକର ବିକ୍ରୟ ଓ ବଣ୍ଟନ ନିଷିଦ୍ଧ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର